କ୍ୱାରେନଟାଇନରେ ରହିଥିବା ବେଳେ କିଛି ବି ଲକ୍ଷଣ ନାହିଁ – ସିଡିଏମଓ
ରାୟଗଡ,୪/୪ : କରୋନା ମୁକାବିଲା ନେଇ ରାୟଗଡ ଜିଲ୍ଳା ପ୍ରଶାସନର ତତ୍ପରତା ଯୋଗୁଁ ଜିଲ୍ଳାରେ ବର୍ତମାନକୁ ସ୍ଥିତି ବହୁତ ଭଲ ରହିଛି । ଜିଲ୍ଳାରେ ଖୋଲଯାଇଥିବା ଅସ୍ଥାୟୀ କ୍ୱାରେନଟାଇନ କେନ୍ଦ୍ରଗୁଡିକରେ ୧୪ଦିନ ଧରି ରହୁଥିବା ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ସମସ୍ତ ବ୍ୟବସ୍ଥାଗୁଡିକ ଉପରେ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ନଜର ରଖିବା ସହ ସମସ୍ତଙ୍କ ସ୍ୱାବକୁ ଭୁବନେଶ୍ୱରସ୍ଥିତ ଆରଏମଆରସି କେନ୍ଦ୍ରକୁ ପଠାଯାଉଛି ।
ବର୍ତମାନ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୭ଟି, ଦ୍ୱିତୀୟ ପର୍ଯ୍ୟାୟରେ ୧୦ଟି, ତୃତୀୟ ପର୍ଯ୍ୟାୟରେ ୨୧ଟି ସ୍ୱାବ ପଠାଯାଇଥିବା ବେଳେ ସମସ୍ତ ରିପୋର୍ଟ ନେଗେଟିଭ୍ ରହିଥିଲା । ଶୁକ୍ରବାର ଦିନ ପୁଣି ଚତୁର୍ଥ ପର୍ଯ୍ୟାୟରେ ୧୬ଟି ସ୍ୱାବ୍ ପଠାଯିବ ବୋଲି ସିଡିଏମଓ ଡାକ୍ତର ଆର୍ତବନ୍ଧୁ ନାୟକ ପ୍ରକାଶ କରିଛନ୍ତି । ତେବେ ଗତ ବୁଧବାର ଦିନ କଟକରୁ ଫେରିଥିବା ମୁସଲିମ ସଂପ୍ରଦାୟର ୮ଜଣ ବ୍ୟକ୍ତିଙ୍କୁ ରାଣିଗୁଡା ଫାର୍ମ ସ୍ଥିତ ମସଜିଦରେ କ୍ୱାରେନଟାଇନ ଭାବେ ରଖାଯାଇଥିଲା । ସେମାନେ ଗତ ମାର୍ଚ୍ଚ ୩ତିାରଖରେ କଟକ ଯାଇଥିଲେ । ବୁଧବାର ଫେରିବା ଖବର ପାଇବା ପରେ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ମସଜିଦ ଠାରେ ହିଁ ୧୪ଦିନ ଧରି କ୍ୱାରେନଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ କରୋନା ସଂକ୍ରମଣର କୈାଣସି ଲକ୍ଷଣ ଦେଖାଯାଇ ନ ଥିଲେ ମଧ୍ୟ ଗାଇଡଲାଇନ ଅନୁଯାୟୀ ଶୁକ୍ରବାର ଦିନ ସମସ୍ତଙ୍କ ସ୍ୱାବକୁ ଗ୍ରହଣ କରାଯାଇ ଆରଏମଆରସି କେନ୍ଦ୍ରକୁ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଥିବା ସିଡିଏମଓ କହିଛନ୍ତି । ତେବେ କଟକ କିମ୍ବା ଅନ୍ୟ ସ୍ଥାନରୁ ସେମାନେ ଫେରିଥିବା ନେଇ ତାଙ୍କ ଗସ୍ତ ବିବରଣୀ ବିଷୟରେ ଅଧିକ ତଦନ୍ତ ଚାଲିଥିବା ମଧ୍ୟ କହିଛନ୍ତି ।
ସେହିପରି ଅଶୋକ କଲ୍ୟାଣ ମଣ୍ଡପ କ୍ୱାରେନଟାଇନ୍ କେନ୍ଦ୍ରରେ ରହିଥିବା ମହାରାଷ୍ଟ୍ରର ୪ଜଣ, ବିହାରର ଜଣେ ଓ ତାଡମା ପଂଚାୟତର ପେରିଗାଁ ଗ୍ରାମର ୩ଜଣ ସମୁଦାୟ ୮ଜଣଙ୍କ
ସ୍ୱାବକୁ ମଧ୍ୟ ପଠାଯିବ ବୋଲି କହିଛନ୍ତି । ସେହିପରି ଜିଲ୍ଳାରେ କ୍ୱାରେନଟାଇନ କେନ୍ଦ୍ରଗୁଡିକରେ ରହିଥିବା ୨୨୦୨ଜଣଙ୍କ ମଧ୍ୟରୁ ୧୪ଦିନ ସ୍ୱାସ୍ଥ୍ୟ ପରୀକ୍ଷା ଶେଷ ପରେ ସୁସ୍ଥ ଥିବା ୮୫୪ଜଣଙ୍କୁ ମୁକ୍ତ କରାଯାଇଥିବା ବେଳେ ବର୍ତମାନ ୧୩୪୮ଜଣ କେନ୍ଦ୍ରଗୁଡିକରେ ଥିବା ସିଡିଏମଓ ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।