ଜିଲ୍ଲା ପ୍ରଶାସନ ଆରମ୍ଭ କଲା ପିଲାମାନଙ୍କ ପାଇଁ ଅନଲାଇନ୍ ପ୍ରତିଯୋଗିତା

●ବିଦ୍ୟାର୍ଥୀମାନେ ଘରେ ରହି ଭାଗନେବେ ଓ ଜିତି ପାରିବେ ଅର୍ଥରାଶି

ବାଲେଶ୍ଵର, ୮/୪ : (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ଲକ୍ ଡାଉନ୍ ସମୟରେ ଘରେ ରହୁଥିବା ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ଅନଲାଇନରେ ଆରମ୍ଭ କରିଛି ପ୍ରତିଯୋଗିତା। ଏଥିପାଇଁ ବିଭିନ୍ନ ବର୍ଗର ଆଗ୍ରହୀ ପିଲାମାନେ ଭିନ୍ନ ଭିନ୍ନ ବିଷୟ ଉପରେ ଆଧାରିତ ପ୍ରତିଯୋଗିତାରେ ଭାଗ ନେଇ ଆର୍ଥିକ ପୁରସ୍କାର ପାଇବା ସହିତ ଜିଲ୍ଲାପାଳଙ୍କ ସହିତ ଫଟୋ ଉଠାଇବାର ବିରଳ ଗୌରବ ଲାଭ କରିପାରିବେ ବୋଲି ଜଣା ପଡିଛି।

ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ୫ମ ରୁ ୭ମ ଶ୍ରେଣୀର ପିଲାମାନେ ହାତ ସଫାକରିବାର ୧ ମିନିଟ ଅବଧି ବିଶିଷ୍ଟ ଭିଡିଓ କ୍ଲିପିଙ୍ଗ୍ ନତୁବା କରୋନା ବିରୁଦ୍ଧରେ ଲଢୁଛି ଓଡିଶା ବିଷୟକ ଏକ ସ୍ଲୋଗାନ ପଠାଇବେ। ଏଥିରେ ବିଜେତାଙ୍କୁ ଏକ ହଜାର ଅର୍ଥରାଶି ପୁରସ୍କାର ସ୍ଵରୂପ ଦିଆଯିବା ସହ ଶ୍ରେଷ୍ଠ ଭିଡିଓ ବା ସ୍ଲୋଗାନକୁ ଟ୍ଵିଟର୍ ଓ ଜିଲ୍ଲାପାଳଙ୍କ ଡିଏମ୍ ବାଲେଶ୍ଵର ନାମରେ ଥିବା ଫେସବୁକରେ ଅପ୍ ଲୋଡ୍ କରାଯିବ।

ସେହିପରି ୮ମ ରୁ ୧୦ମ ଶ୍ରେଣୀର ପିଲାମାନଙ୍କ ପାଇଁ ବିଷୟବସ୍ତୁ ରହିଛି ଘରେ ରୁହ ସୁରକ୍ଷିତ ରୁହ ସମ୍ପର୍କିତ ପୋଷ୍ଟର୍ ପ୍ରସ୍ତୁତି କିମ୍ବା କୌଣସି ଜଣେ ଡାକ୍ତର/ନର୍ସଙ୍କ ଏକ ପେନସିଲ୍ ପୋଟ୍ରେଟ୍ ଅଙ୍କନ। ଏହି ବର୍ଗରେ ବିଜେତାଙ୍କୁ ମିଳିବ ୧୫୦୦ ଟଙ୍କାର ଅର୍ଥରାଶି ଏବଂ ଜିଲ୍ଲାପାଳଙ୍କ ସହିତ ସେଲଫି ଉଠାର ସୁଯୋଗ।

ତୃତୀୟ ବର୍ଗରେ ଏକାଦଶ ଏବଂ ତଦୁର୍ଦ୍ଧ ଶ୍ରେଣୀର ପିଲାମାନେ ଭାଗ ନେଇପାରିବେ। ଏଥିରେ ବିଷୟବସ୍ତୁ ରହିଛି କୋଭିଡ୍ ୧୯ ହସପିଟାଲ୍ ଉପରେ ପୋଷ୍ଟର୍ ପ୍ରସ୍ତୁତି କିମ୍ବା କୋରନା ବିରୁଦ୍ଧରେ ଲଢୁଛି ଓଡିଶା ସମ୍ପର୍କରେ ୧୦୦୦ ଶବ୍ଦ ଭିତରେ ପ୍ରବନ୍ଧ ରଚନା। ଏହାର ବିଜେତାଙ୍କୁ ୨୦୦୦ ଟଙ୍କାର ଅର୍ଥରାଶି ଏବଂ ବାଲେଶ୍ଵର ଜିଲ୍ଲାପାଳଙ୍କ ସହ ସେଲଫି ଉଠାର ସୁଯୋଗ ମିଳିବ ବୋଲି ଘୋଷଣା କରାଯାଇଛି।

ଏହି ଅନ୍ ଲାଇନ୍ ପ୍ରତିଯୋଗିତାରେ ଭାଗନେବାକୁ ଚାହୁଁଥିଲେ ପ୍ରତିଯୋଗୀ ମାନେ ଅପ୍ରେଲ ୧୪ ତାରିଖ ଅପରାହ୍ନ ୪ଟା ସୁଦ୍ଧା ଡିଇଓବାଲେଶ୍ଵର୧୨@ଜିମେଲ୍.କମ୍ deobalasore12@gmail.com ଇମେଲ୍ ଆଇଡିରେ କିମ୍ବା ହ୍ଵାଟ୍ସଆପ ନମ୍ବର ୯୦୪୦୬୪୭୧୨୫ ରେ ନିଜର ଏଣ୍ଟ୍ରିଗୁଡିକୁ ପଠାଇବା ପାଇଁ କୁହାଯାଇଛି। ପ୍ରତିଯୋଗିତାର ଫଳାଫଳ ଅପ୍ରେଲ ୧୫ ତାରିଖ ଅପରାହ୍ନ ୪ଟା ସମୟରେ ପ୍ରକାଶ ପାଇବ।

ବିଦ୍ୟାର୍ଥୀ ମାନେ ଆଉ ବିଳମ୍ବ ନକରି ନିଜର ସୃଜନଶୀଳତା କୁ କାର୍ଯ୍ୟରେ ଲଗାଇ ପୁରସ୍କୃତ ହୁଅନ୍ତୁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।


Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.