ଭୁତ କୋଠି ପାଲଟିଛି ସ୍ୱାସ୍ଥ୍ୟ ଉପକେନ୍ଦ୍ର : ସମ୍ପୁର୍ଣ୍ଣ ହୋଇ ୫ ବର୍ଷ ପରେ ବି ହସ୍ତାନ୍ତର କରୁନାହାନ୍ତି ଠିକାଦାର

ହଇରାଣ ହେଉଛନ୍ତି ହେଲଥ ୱାର୍କର ଓ ମହିଳା ସ୍ୱାସ୍ଥ୍ୟକର୍ମୀ

ଲାଞ୍ଜିଗଡ଼,୧୫/୪: ସାଧାରଣ ଜନତାଙ୍କ ପାଖରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରି କାର୍ଯ୍ୟକାରୀ କରୁଛନ୍ତି । ତେବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଲାଞ୍ଜିଗଡ ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଠାରେ ଜନତାଙ୍କ ସହ ହଇରାଣ ହରକତ ହେଉଛନ୍ତି ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଖବାହିଲି ଗ୍ରାମରେ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ର କାମ ୫ ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇ ଥିଲେ ମଧ୍ୟ ଠିକାଦାର ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରି ନ ଥିବା ଜଣାପଡିଛି। ଫଳରେ ଏହି କୋଠାଟି ଭୂତ କୋଠି ପାଲଟିଛି।

ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଲାଖବାହିଲି ପଞ୍ଚାୟତରେ ପ୍ରାୟ ୨୫ରୁ ଉର୍ଦ୍ଧ ଗାଁ ଥିବା ବେଳେ ବିଶୁଦ୍ଧ ପାନୀୟ ଜଳ ଅଭାବରେ ଲୋକେ ବିଭିନ୍ନ ସ୍ଥାନରୁ ଦୂଷିତ ପାଣି ବ୍ୟବହାର କରି ମେଲେରିଆ, ଡାଇରିଆ, କିଟିନି, ପାଇରିଆ ଆଦି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏଣୁ ଲୋକଙ୍କ ଉତ୍ତମ ସ୍ବାସ୍ଥ୍ୟକଥାକୁ ଦୃଷ୍ଟିରେ ରଖି ସରକାର ଗତ ୨୦୧୫ ମସିହାରେ ଲାଖବାହିଲି ଠାରେ ଏକ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସ୍ଥାପନ ପାଇଁ ଅନୁମତି ଦେଇଥିଲେ। ଅନୁମତି ମୁତାବକ ସ୍ୱାସ୍ଥ୍ୟ ଉପକେନ୍ଦ୍ର କୋଠା ନିର୍ମାଣ ହୋଇଥିଲା । ଭବାନୀପାଟଣାର ଜଣେ ଠିକାଦାର ନିମ୍ନମାନର କାମ କରି ଆଜି ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରି ନଥିରୁ ତାହା ବର୍ତ୍ତମାନ ଭୁତକୋଠି ପାଲଟିଛି ବୋଲି ସ୍ଥାନୀୟ ଅଞ୍ଚଳରୁ ଅଭିଯୋଗ ଆସିଛି ।

ଅନ୍ୟପକ୍ଷେ ସ୍ୱାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ କର୍ମୀ ସୋଭାଗ୍ୟ ଶବର ଭେକ୍ସିନ ଦେବା ପାଇଁ କେତେବେଳେ କାହା ବାରଣ୍ଡାରେ ତ କେତେବେଳେ ଗଛମୂଳର ସାହାରା ନେଇଥାନ୍ତି। ବର୍ତ୍ତମାନ ଦୂର୍ଗମ ଅଂଚଳରେ ମହାମାରୀ କରୋନା ପରିସ୍ଥିତିକୁ ନେଇ ଭଡାରେ ଘର ମିଳୁନ ଥିବା ଯୋଗୁଁ ଏହି ସ୍ୱାସ୍ଥ୍ୟ କର୍ମୀ ରହିବାକୁ ଅସୁବିଧା ହେଉଛି। ତେଣୁ ସେ ବେନଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରରେ ରହି ଯିବା ଆସିବା କରୁଥିବା ବେଳେ ଅସୁବିଧା ଭୋଗୁଛନ୍ତି। ହଠାତ କ’ଣ ହେଲେ ପ୍ରାଥମିକ ଚିକିତ୍ସାର ସୁବିଧା ପାଇ ପାରୁ ନଥିବା ଅଞ୍ଚଳବାସୀ କହିଛନ୍ତି।

ସେହିପରି ଛତ୍ରପୁର ଗ୍ରାମରେ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ କବାଟ ଝରକା ନଥିବା ଯୋଗୁଁ କୋଠାଟି ଠିକ୍ ଥିଲେ ମଧ୍ୟ ଅଳ୍ପ କିଛି କାମ ପାଇଁ ବର୍ଷ ବର୍ଷ ଧରି ପଡି ରହିଛି। ବର୍ତ୍ତମାନ ଛତ୍ରପୁର ଅଞ୍ଚଳର ଦାଇତ୍ୱରେ ଥିବା ହେଲଥ ୱାର୍କର ଉମାକାନ୍ତ ଧଙ୍ଗଡାମାଝୀ, ସ୍ୱାସ୍ଥ୍ୟ କର୍ମୀ ସାରନ୍ତି ଓ ରିତା ହରପାଲଙ୍କୁ ବର୍ତ୍ତମାନ ପରିସ୍ଥିତିରେ ରହି କାମ କରିବାକୁ ଅସୁବିଧା ହେଉଥିବା ଯୋଗୁଁ ଲୋକେ ପ୍ରାଥମିକ ଚିକିତ୍ସା ପାଇଁ ହଇରାଣ ହେଉଛନ୍ତି।

ବର୍ତ୍ତମାନ ପରିସ୍ଥିତିରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମହାମାରୀ କରୋନା ଭୂତାଣୁକୁ ନେଇ ପଞ୍ଚାୟତ ସ୍ତରରେ ବିଭିନ୍ନ ପଦକ୍ଷେପ ନେଇଥିବା ବେଳେ ଏହି ଦୁଇ ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ବିଭାଗରେ ଥିବା କର୍ମଚାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ଭୁଖିନ ହେଉଥିବା ବେଳେ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

________________________________________

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.