ରାହାସ କୁମାର ବେହେରାଙ୍କ କବିତା : ନୂଆ ସକାଳ

ସୁନାର ସକାଳ ପହିଲି କିରଣ
ପୁଚି ଖେଳେ ଅଗଣାରେ
ମହମହ ବାସେ ପ୍ରକୃତି ଅଞ୍ଚଳେ
ସଜ ଫୁଟା ଗୋଲାପରେ |
ମୁରୁକି ହସୁଚି ଘାସର ଗାଲିଚା
ଚିତ୍ତ ଖେଳେ ଲୁଚକାଳି
ଗାଁ ଗଣ୍ଡା ଅବା ସହର ବଜାରେ
ଝୁଲୁଛି ଖୁସିର ଦୋଳି |
ଝରୁଛି ଗଭାରେ ରଜନୀଗନ୍ଧାର
ପ୍ରୀତିର ଫଗୁଣ ଏଠି
କାକ ପିକ କଣ୍ଠେ ସ୍ୱାଗତ ସଙ୍ଗୀତେ
ପ୍ରକମ୍ପିତ ହୁଏ ସୃଷ୍ଟି |
ସାଧବ ବୋହୂର ଘୁଙ୍ଗୁର ସବଦେ
ଜନ ମନ ହୁଏ ଚୋରି
ପ୍ରୀତି ଉପହାର ପରସେ ସୁନ୍ଦରୀ
ଶୀତ ସାଥେ ଆସେ ବରି |
ବାଜେ ସାହାନାଇ ମଙ୍ଗଳ ବାଇଦ
ବାହାଘର କିବା ତାର
ଭୋଜି ଭାତ ନାଚ ପାହାଡ଼ ସେପାଖେ
ମହୋତ୍ସବର ସମ୍ଭାର |
ଅମରାବତୀର ରାଜଜେମା ଲାଗେ
ସଜେଇଛି ଅଙ୍ଗରାଗ
ତା’ ରୂପ ଚାନ୍ଦିନୀ କେତେଯେ ସୁଷମା
ଆଣିଛି ମନେ ସୁଯୋଗ |
ଏଇ ପରା ସେହି ନୂଆ ବରଷଟି
ଭାବନାର ନୂଆ ରଙ୍ଗ
ଯେଉଁ ରଙ୍ଗେ ଲକ୍ଷେ ଫୁଲହୋଇ ଫୁଟେ
ସପନର ସୌଦାଗର |
ଆଜିର ସକାଳ ହେଉ ଶୁଭମୟ
ଗାଏ ଶୁଭେତ୍ସାର ମନ୍ତ୍ର
ଅଭିନନ୍ଦନର ସ୍ୱର୍ଣ୍ଣିମ ସ୍ଵାକ୍ଷର
ଲେଖେ ତୁମ ନାମେ ମିତ୍ର |

ବାଲ୍ୟମ୍ବା , ଢେଙ୍କାନାଳ:୭୫୯୦୧୫
ମୋ:୯୪୩୮୧ ୧୪୩୬୮

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.