ବଲାଙ୍ଗିର,୨୬/୪ : ଆଜି ପବିତ୍ର ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ଅନୁକୂଳ କରି ଚାଷ କର୍ମର ଶୁଭାରମ୍ଭ କରିଛି କୃଷକ । ବଲାଙ୍ଗିର ସମେତ ସାରା ଓଡିଶାରେ ପାଳିତ ହୋଇଛି ଅକ୍ଷୟ ତୃତୀୟା । ତେବେ ଏବେଠୁ ବଲାଙ୍ଗିର ଚାଷୀଙ୍କୁ ଘାରିଲାଣି ବିହନ ଚିନ୍ତା । ଏବର୍ଷ ଜିଲ୍ଲାର କେତେକ ଚାଷୀ ତାଙ୍କର ଧାନ ମଧ୍ୟ ବିକ୍ରି କରିପାରିନାହାନ୍ତି । ଲକଡାଉନର ପ୍ରଥମ ପର୍ଯ୍ୟାୟରେ କାମଧନ୍ଦା ପୁରା ଠପ ହୋଇଯାଇଥିବାରୁ ଚାଷୀ କିଛି ମାତ୍ରାରେ ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଅନେକ ଚାଷୀଙ୍କ ପାଖରେ ବିହନ କିଣିବାକୁ ପଇସା ନାହିଁ । ଏପରି ସ୍ଥିତିରେ ଚାଷୀ କିପରି ବିହନ ପାଇବ ତାକୁ ନେଇ ଚିନ୍ତାରେ ପଡିଯାଇଛି ।
ଜିଲ୍ଲାର ୧୪ଟି ବ୍ଲକ ୨୮୫ ଗ୍ରାମ ପଞ୍ଚାୟତ ଓ ୧୭୯୪ ଗ୍ରାମ ରହିଥିବାବେଳେ ବର୍ତ୍ତମାନର ଋତୁ ପାଇଁ ୨୦,୦୦୦ କୁଇଣ୍ଟାଲ ଧାନ ବିହନ ଆବଶ୍ୟକ ହୋଇଥାଏ । ତେବେ ବର୍ତ୍ତମାନ ସୁଦ୍ଧା କୋଣସି ବ୍ଲକକୁ ବିହନ ପହଞ୍ଚି ନଥିବା ଜିଲ୍ଲା ଉପ-କୃଷି ନିର୍ଦେଶକ ସୂଚନା ଦେଇଛନ୍ତି । ଏହାସହ ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ତରଫରୁ ସିଡ୍ସ ନିଗମକୁ ଆବଶ୍ୟକ ବିହନ ଚିଠା କରିସାରିଛୁ ଓ ଲକ ଡାଉନ ଖୋଲିବା ପରେ ବିହନ ଆସିଲେ ଚାଷୀଙ୍କୁ ଯୋଗାଇ ଦିଆଯିବ।
ଅନ୍ୟ ପଟେ କିଛି ଚାଷୀ କହିଛନ୍ତି ସମିତିକୁ ବିହନ ନଆସଥିଲେ ସୁଦ୍ଧା ନିଜ ଘରେ ରଖିଥିବା ସଞ୍ଚିତ ଧାନରେ ଅକ୍ଷୀମୁଠି ଅନୁକୂଳ ହୋଇଛି । ଆଗକୁ ସରକାର ଠିକ ସମୟରେ ଧାନ ବିହନ ଯୋଗାଇ ନଦେଲେ ବୁଣା ବୁଣି ଓ ତଳି ପକାଇବା କାର୍ଯ୍ୟ ପ୍ରଭାବିତ ହେବ । ଯାହା ଗତବର୍ଷ କେତେକ ଅଞ୍ଚଳରେ ପରିଳକ୍ଷିତ ହୋଇଥିଲା । ତେଣୁ ଏଦିଗରେ କୃଷି ବିଭାଗ ଦୃଷ୍ଟି ଦେବାକୁ ଚାଷୀ ମହଲରୁ ମତ ପ୍ରକାଶ ପାଇଛି ।
ବାଲାଙ୍ଗିର ଜିଲ୍ଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ OdiaBarta.in
Click here to get 24×7 News & Views alerts