କୋକସରା,୨୬/୪: କେନ୍ଦ୍ର ସରକାର ଗରିବ ସୀମା ରେଖା ତଳେ ଥିବା ପରିବାର ପାଇଁ ଉଜ୍ଜଳା ଯୋଜନା ମାଧ୍ୟମରେ ପ୍ରତିପରିବାରକୁ ବିନା ମୂଲ୍ୟରେ ଗ୍ୟାସ ସଂଯୋଗ ଦେବା ପାଇଁ ନିୟମ କରିଥିବା ବେଳେ କୋକସରା ଇଣ୍ଡେନ ଗ୍ରାମୀଣ ବିତରକ ଏଜେନ୍ସି ଏହାର ଖୋଲା ଖୋଲି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ଆଣିଛନ୍ତି ଉପଭୋକ୍ତା । ଘରୋଇ ରନ୍ଧନ ଗ୍ୟାସ ବିତରକ ନିୟମ ଓ ସର୍ତାବଳୀ ଭାଙ୍ଗି ଗରିବ ପରିବାରକୁ ଗ୍ୟାସ ନଦେଇ ଏହାର ସମ୍ପୂର୍ଣ ଅପବ୍ୟବହାର କରୁଥିବା ଅଭିଯୋଗ ଆସିଛି ।
ଏପରି ଅଭିଯୋଗ ଆଣିଛନ୍ତି ବେହେରାଗୁଡା ଗ୍ରାମର ମଣିରାମ ବାରିକ । ତାଙ୍କ କହିବା ଅନୁସାରେ ସେ ଦୁଇ ବର୍ଷ ହେଲା ଉଜ୍ଜଳା ଯୋଜନା ପାଇଁ କାଗଜ ପତ୍ର ଦେଇଥିଲେ । ବାରମ୍ବାର ଗ୍ୟାସ କାର୍ଯ୍ୟାଳୟ କୋକସରାକୁ ଯାଇଛନ୍ତି ହେଲେ ସେଠାରେ ଥିବା କର୍ମଚାରୀ ମାନେ ତାଙ୍କୁ ଆଜିହେବ କାଲିହେବ କହି ଦୁଇ ବର୍ଷ ବିତିଗଲାଣି ହେଲେ ଗ୍ୟାସ ମିଳିପାରିନାହିଁ । ସେ ପ୍ରଶ୍ନ କରିଛନ୍ତି ଯେ, ଯଦି ମୋ ନାମରେ ଗ୍ୟାସ ନ ଥିଲା ତେବେ କେନ୍ଦ୍ରସରକାରଙ୍କ ଉଜ୍ଜଳା ଯୋଜନାରେ ଦିଆ ହେଉଥିବା ସହାୟତା କିପରି ପଡିଲା ?
ସେହିପରି ଡଙ୍ଗରିଗୁଡା ଡାଂଗଘିଚୁପଡାର ଟିକଚନ କେତକୀ ଏଜେନ୍ସିକୁ ୩ହଜାର ଟଙ୍କା ଦେଇ ଥରେ ମାତ୍ର ଗ୍ୟାସ ପାଇ ଦୁଇ ବର୍ଷ ହେଲା ତାଙ୍କୁ ଗ୍ୟାସ ଦେଉନାହାନ୍ତି କି ସାଧାରଣ ଖାଉଟି କି ଉଜ୍ଜଳା ଯୋଜନାରେ ସାମିଲ କରୁ ନ ଥିବା କହିଛନ୍ତି ।
ପାଖା ପାଖି ଦୁଇ ବର୍ଷ ହେବ ଏମାନେ ଗ୍ୟାସ କାର୍ଯ୍ୟାଳୟ କୁ ବାରମ୍ବାର ଦୌଡିବା ସତ୍ୱେ ମଧ୍ୟ ଏଜେନ୍ସି ଦ୍ୱାରା କୌଣସି ସୁଫଳ ମିଳୁନାହିଁ । ହିତାଧିକାରୀଙ୍କୁ ଭୁଆଁ ବୁଲେଇ ଜାଲଗ୍ରାହକଙ୍କୁ ଦେଇଥିବା ସନ୍ଦେହ ହେଉଛି । ଅନ୍ୟପଟେ ହାଟ ବଜାର, ଖୋଲା ମେଳାରେ ଚା, ଜଳଖିଆ ଦୋକାନ, ହୋଟେଲ ଢ଼ାବା ଗୁଡିକରେ ବ୍ୟବସାୟିକ କାର୍ଯ୍ୟରେ ବ୍ୟବହୃତ ହେଉଥିବା ବେଳେ ଗରିବ ଖଟିଖିଆ ମାନେ ଗ୍ୟାସ ପାଉ ନାହାନ୍ତି । ତେବେ ନିର୍ଦ୍ଧିଷ୍ଟ ଗ୍ୟାସ ବିତରକ ବିରୁଦ୍ଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ବିଭାଗିୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି ।
କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in
_________________________________________