ଦୁଇଦିନିଆ ‘ଶଟ୍-ଡାଉନ୍’କୁ ବାଲେଶ୍ବରବାସୀ କଲେ ସଫଳ : ପୋଲିସ୍‌ ପଇଁତରାରେ ରାସ୍ତାଘାଟ ହେଲା ଶୂନଶାନ୍

ବାଲେଶ୍ବର,୭ା୬:(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ): ସପ୍ତାହାନ୍ତ ଶନିବାର ଓ ରବିବାର ଶଟ୍-ଡାଉନ୍ ଘୋଷଣା ହେବା ପରେ ବାଲେଶ୍ବର ସହର ଗତ ଦୁଇଦିନ ଧରି ସଂପୂର୍ଣ୍ଣ ଜନଶୂନ୍ୟ ହୋଇ ପଡ଼ିଥିବା ଦେଖା ଯାଇଥିଲା।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ ଗତକାଲିି ଓ ଶନିବାର ଦିନ ବାଲେଶ୍ବର ସମେତ ୧୧ଟି ଜିଲ୍ଲାରେ ଦୁଇଦିନିଆ ଶଟ୍ ଡାଉନ୍ ବେଶ୍ ସଫଳତାର ସହ ଶେଷ ହୋଇଛି। ଏହି ୪୮ ଘଣ୍ଟିଆ ଶଟ୍ ଡାଉନ୍ ଯୋଗୁଁ ବାଲେଶ୍ବର ସହର ସମେତ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ କେବଳ ଔଷଧ ଦୋକାନ ବ୍ୟତୀତ ଅନ୍ୟ କୌଣସି ଦୋକାନ ଖୋଲି ନଥିବା ଦେଖିବାକୁ ମିଳିଥିଲା। ପ୍ରଥମ ଦିନ ତୁଳନାରେ ଦ୍ବିତୀୟ ଦିନରେ ସହରବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। କେବଳ ଜରୁରୀକାଳୀନ ସେବା ବ୍ୟତୀତ ରାସ୍ତାରେ କେହି ଚଳପ୍ରଚଳ କରୁନଥିବା ପରିଲକ୍ଷିତ ହୋଇଥିଲା।

ପ୍ରାୟ ଅଧିକାଂଶ ଲୋକ ଘରେ ରହି ସରକାରଙ୍କ ଶଟ୍ ଡାଉନ୍ ନିୟମ ପାଳନ କରିବା ସହ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ। ଅନ୍ୟପକ୍ଷରେ ବାଲେଶ୍ବରରେ ଶଟ୍ ଡାଉନ୍ ଯେପରି ଶତପ୍ରତିଶତ ପାଳନ ହୁଏ, ସେପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ବିଶେଷ ପଦକ୍ଷେପମାନ ନିଆ ଯାଇଥିଲା। ଶଟ୍ ଡାଉନ୍ ପୂର୍ବଦିନ ପ୍ରଶାସନ ପକ୍ଷରୁ ଏକାଧିକ ଡାକବାଜି ଯନ୍ତ୍ର ସାହାଯ୍ୟରେ ସହରବାସୀଙ୍କୁ ସୂଚିତ କରାଯାଇଥିଲା। କରୋନା ସଂକ୍ରମଣ ମୁକାବିଲା ପାଇଁ ଶଟ୍ ଡାଉନ୍ ଅପରିହାର୍ଯ୍ୟ ହୋଇଥିବା ବେଳେ ଜନସାଧାରଣ ଏହାକୁ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ନିବେଦନ କାଯାଇଥିଲା।

ପ୍ରଥମ ଦିନରୁ ଜିଲ୍ଲା ପୋଲିସ୍ ପକ୍ଷରୁ ବିଶେଷ ଯା‌ଞ୍ଚ୍ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ସହରର ମୁଖ୍ୟ ଛକମାନଙ୍କରେ ପୋଲିସ୍‌ ପଇଁତରା ମାରିବା ସହ ଯା‌ଞ୍ଚ୍ କଡ଼ାକଡ଼ି କରା ଯାଇଥିବା ଦେଖିବାକୁ ମିଳିଥିଲା। ତେବେ ଦ୍ବିତୀୟ ଦିବସରେ କିଛି କିଛି ଅବାଧ୍ୟ ଲୋକ ବାହାରକୁ ବାହାରିଥିବା ଲକ୍ଷ୍ୟ କରି ପୋଲିସ ସକ୍ରିୟ ହେବା ସହ ବିଭିନ୍ନ ସ୍ଥାନରେ ଚେକିଂ କରିଥିଲା। ଏକାଧିକ ପୋଲିସ୍ ପାଟ୍ରୋଲିଂ ଗାଡ଼ି ସହରରେ ପଇଁତରା ମାରିବା ସହ ପରିସ୍ଥିତି ଉପରେ ନଜର ରଖିଥିଲା। ସହର ସମେତ ବାଲେଶ୍ବର ଜିଲ୍ଲାର ପ୍ରତିଟି ପ୍ରବେଶ ପଥକୁ ପୋଲିସ୍ ପକ୍ଷରୁ ସିଲ୍ କରାଯିବା ସହ ବ୍ୟାପକ ଯା‌ଞ୍ଚ୍ ବ୍ୟବସ୍ଥା କରା ଯାଇଥିଲା। ଏଥି ସହିତ ପ୍ରତ୍ୟେକ ଛକମାନଙ୍କରେ ପୋଲିସ୍ ନିଯୁକ୍ତ କର୍ମଚାରୀମାନେ ରାସ୍ତାରେ ଯାଉଥିବା ଲୋକଙ୍କୁ ଅଟକାଇ ଯା‌ଞ୍ଚ୍ କରିବା ସହିତ ବାହାରକୁ ଆସିବାର କାରଣ ପଚାରୁଥିଲେ ଓ ସନ୍ତୋଷଜନକ କାରଣ ଦର୍ଶାଇ ପାରୁନଥିବା ଲୋକଙ୍କୁ ଅଟକ ରଖିବା ସହ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରା ଯାଇଥିଲା।

ସୂଚନା ଅନୁସାରେ, ବାଲେଶ୍ବରରେ ଶଟ୍ ଡାଉନ୍ ବେଶ୍ ସଫଳ ହୋଇଥିବା ବେଳେ ଜନସାଧାରଣଙ୍କ ପୂର୍ଣ୍ଣ ସହଯୋଗ ରହିଥିଲା। ସହର ସମେତ ଜିଲ୍ଲାରେ ୫ ପ୍ଲାଟୁନ୍ ପୁଲିସ୍‌ ଫୋର୍ସ ମୁତୟନ କରା ଯାଇଥିବା ବେଳେ ସମସ୍ତ ପ୍ରବେଶ ପଥ ଓ ଚେକ୍ ପଏଣ୍ଟ୍ ରେ କଡ଼ାକଡ଼ି ଯା‌ଞ୍ଚ୍ ଚାଲିଥଲା ବୋଲି ପୁଲିସ ପକ୍ଷରୁ କୁହା ଯାଇଛି। ବିଶେଷ କରି ଜିଲ୍ଲାବାସୀଙ୍କ ସହଯୋଗ ସାଙ୍ଗକୁ କଡ଼ାକଡ଼ି ନିୟମ ପାଳନ ଯୋଗୁଁ ଶଟ୍ ଡାଉନ୍ ସମ୍ପୂର୍ଣ୍ଣ ସଫଳ ହୋଇଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.