ସରସ୍ୱତୀ ପଣ୍ଡା
ଥରେ ବିଶ୍ୱାସରେ ଫେରି ଚାହଁ
ବଦଳିଯିବ ଦୃଶ୍ୟପଟ
ଲହୁଲୁହାଣ ମନ ଉପରେ
ଲେପି ହୋଇଯିବ ଭଲପାଇବାର
ଶୀତଳ ଚନ୍ଦନ,
ମରୁଭୂମିର ତତଲା ବାଲିର
କଣ୍ଟାଦାଢ଼ ବି ଫୁଟିବ
ଶତବର୍ଣର ଗୋଲାପ,
ଗଭୀର ଆତ୍ମୀୟତାରେ
ବତୁରି ଯିବ ମାଟି
ଆକାଶରେ ଅକସ୍ମାତ
ହସିଉଠିବ ଜହ୍ନ
ଧୂସର ଶ୍ମଶାନ ଭୁଇଁରେ
ଚେଇଁ ଉଠିବ ଜୀବନ।
ଆଖି ଖୋଲି ଦେଖ ପ୍ରିୟତମ
ଆଗରେ ପଡ଼ିଛି ବହୁଦୂର ରାସ୍ତା
ଥରକପାଇଁ ନିଜକୁ ଦୃଢକରି
ବିଶ୍ୱାସରେ ଥାପିଦିଅ ପାଦ
ଦେଖିବ ଉଇଁବ ସକାଳଟିଏ
ଗହନ ମିଛର ଅନ୍ଧାର ଡେଇଁ
ଫୁକିଆ ତାରା ହସୁଥିବ ଆକାଶ ଛାତିରେ
ପାହାନ୍ତି ପ୍ରଭାତ ମଥାରେ।