ରାୟଗଡ,୯/୬: ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ମଙ୍ଗଳବାର ରାୟଗଡ ଓ କୋଲନରା ବ୍ଳକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ଅନୁଧ୍ୟାନ କରିଥିବା ବେଳେ ଜେକେପୁର ସ୍ଥିତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରର ଅଗ୍ରଗତି କାର୍ଯ୍ୟଗୁଡିକକୁ ତଦାରଖ କରି ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ରାୟଗଡ ବ୍ଳକର ସ୍ଥାନୀୟ ଦେବଦଳା ଗ୍ରାମରେ ଥିବା ଆଦର୍ଶ ଚାଷୀଙ୍କ ଡାୟରୀ ଫାର୍ମ ଓ ମନେରଗା ଯୋଜନାରେ ନିର୍ମିତ ଗୁହାଳ ବୁଲି ଦେଖିଥିଲେ ଏବଂ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ଉତ୍ସାହିତ କରିଥିଲେ ।
ସେହିପରି କୋଲନରା ବ୍ଳକର ମୁକୁନ୍ଦପୁର ଗ୍ରାମର ଚାଷୀ ରବିନ୍ଦ୍ରନାଥ ନାୟକଙ୍କ ମିଶ୍ରିତ କୃଷି ଫାର୍ମ ପରିଦର୍ଶନ କରିିଥିଲେ । ଠୋରେ ଉଭୟ ମାଛଚାଷ,ବତକ ପାଳନ,ଗୋପାଳନ ସାଙ୍ଗକୁ ଉଦ୍ୟାନ କୃଷି କାର୍ଯ୍ୟ କରାଯାଉଥିବା ଦେଖିଥିଲେ । ଜିଲ୍ଳାପାଳ ଶ୍ରୀ ବେହେରା ଚାଷୀ ଶ୍ରୀ ନାୟକଙ୍କ ଉଦ୍ୟମକୁ ପ୍ରଶଂସା କରି ଆହୁରି ଆଗକୁ ଭଲ ଭାବରେ ଚାଷକାମ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ଚାଷ ସମ୍ବନ୍ଧୀୟ ଚାଷୀଙ୍କ ସହିତ ଆଲୋଚନା ବେଳେ ଉତ୍ପାଦିତ ଦ୍ରବ୍ୟର ବିକ୍ରୟ ସମସ୍ୟା କଥା ଚାଷୀଙ୍କ ଠାରୁ ଜାଣିଲା ପରେ ବିପଣନ ପାଇଁ ଓରମାସ ଓ ଉଦ୍ୟାନ ବିଭାଗ ଦ୍ୱାରା କରାଯିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଳାପାଳ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଥିଲେ ।
କୋଲନରା ବ୍ଳକ ପରିଦର୍ଶନ ପରେ ଜିଲ୍ଳାପାଳ ଶ୍ରୀ ବେହେରା ଜେକେପୁର ସ୍ଥିତ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ କାର୍ଯ୍ୟରତ ଚିକିତ୍ସା ଅଧିକାରୀ,ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ସହିତ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ । ସେଠାରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ପର୍ଯ୍ୟବେକ୍ଷଣ କରିବା ସହ କାର୍ଯ୍ୟକାରୀ ସଂସ୍ଥା ଓ ଯନ୍ତ୍ରୀମାନଙ୍କ ସହିତ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ଆଲୋଚନା କରିଥିଲେ ଓ ଶୀଘ୍ର କାମ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଳାପାଳଙ୍କ ଗସ୍ତ ସମୟରେ ଜିଲ୍ଳା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଦେବେନ୍ଦ୍ର ନାଥ ବିଶ୍ୱାଳ, କୋଲନରା ବ୍ଳକ ବିଡିଓ ତାପସ କୁମାର ଭୋଇ, ଏବିଡିଓ ଏବଂ ମୁକୁନ୍ଦପୁର ସରପଂଚ ଶିବ କଣ୍ଡାଗରୀଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।