ରାୟଗଡ,୧୩/୬: ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଶନିବାର ଦିନ ଜିଲ୍ଲାର କୋଲନାରା ବ୍ଲକର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ଗୋୖଡଲେଲିବାଡି ଠାରେ ପୋଖରୀ ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ଚାଲିଥିବା କାମ ବୁଲି ଦେଖିଥିଲେ । ମନରେଗା ଯୋଜନାରେ କରାଯାଉଥିବା ଏହି କାମରେ ୬୦ ଜଣ ଶ୍ରମିକ କାମରେ ଲାଗିଥିବା ଦେଖିଲେ ଓ ସେମାନଙ୍କୁ ମଜୁରୀ ଠିକ ଭାବରେ ଦିଆ ହେଉଛି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିଥିଲେ ।
ଏହାପରେ ଜିଲ୍ଳାପାଳ ଲେଖାପାଇ ଗ୍ରାମଠାରେ ମନରେଗା ଦ୍ବାରା ଚାଲିଥିବା ପୋଖରୀ ପୁନଃରୁଦ୍ଧାର କାମ ବୁଲି ଦେଖିବା ସହ ରାଜ୍ୟ ଓ କେନ୍ଦ୍ର ଅର୍ଥ କମିଶନ ତରଫରୁ କରାଯାଇଥିବା ପିଇବା ପାଣି ଯୋଗାଣ ପ୍ରକଳ୍ପ ଓ ଜଳଅମଳ ପ୍ରକଳ୍ପ ପରିଦର୍ଶନ କରିଥିଲେ । ଜିଲ୍ଳାପାଳ ଶ୍ରୀ ବେହେରା ଲେଖାପାଇ ଗ୍ରାମର ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ଓ ପାଣି ସମସ୍ୟା ସମାଧାନ ପାଇଁ ଗ୍ରାମବାସୀଙ୍କୁ ଆଉ ଗୋଟିଏ ଡୁଆଲ ପମ୍ପ ସ୍ଥାପନା କରିବାକୁ ପରାମର୍ଶ ଦେଲେ । ଏହାପରେ ମନରେଗା ଯୋଜନାରେ ଅଙ୍କାବାଡ଼ି ଠାରେ ଚାଲିଥିବା ପୋଖରୀର ପୁନଃରୁଦ୍ଧାର ତଥା ସୌନ୍ଦର୍ଯ୍ୟକରଣ କାମ ଓ ନୂଆ କେନାଲ ନିର୍ମାଣ କାମ ପରିଦର୍ଶନ କରିଥିଲେ ।
କେନାଲ କାମ ଆହୁରି ଆଗକୁ ବଢ଼ାଇବା ଦ୍ୱାରା ବହୁତ ଗୁଡାଏ ଜମିରେ ଜଳସେଚନ କରା ଯାଇପାରିବ ବାେଲି ପରାମର୍ଶ ଦେଇଥିଲେ । କୋଲନାରାରୁ ଫେରିବା ବେଳେ ଜିଲ୍ଳାପାଳ ଜେକେପୁରସ୍ଥିତ କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ ଓ ନିର୍ମାଣ କାର୍ଯ୍ୟକୁ ପର୍ଯ୍ୟବେକ୍ଷଣ କରିଥିଲେ । ସ୍ବାସ୍ଥ୍ୟ ଅଧିକାରୀ ଓ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଳାପାଳଙ୍କ ଏହି ପରିଦର୍ଶନ ସମୟରେ କୋଲନାରା ବ୍ଲକ ବିଡ଼ିଓ ତାପସ କୁମାର ଭୋଇ ଓ ଅନ୍ୟାନ୍ୟ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ରହିଥିଲେ ।