ରାୟଗଡ,୧୫/୬: ଜଣେ ଛାତ୍ରଙ୍କ ଆତ୍ମହତ୍ୟା ପରେ ତାଙ୍କୁ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଚିକିତ୍ସାରେ ଅବହେଳା ହୋଇଥିବା ନେଇ ସଂର୍ପକୀୟ ଓ ଗ୍ରାମବାସୀଙ୍କ ହୋହାଲ୍ଳା କରିଥିଲେ । ଫଳରେ ଦୀର୍ଘ ୨ଘଂଟା ଧରି ଉତେଜନା ଲାଗି ରହିଥିଲା । ପୋଲିସ ପଂହଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଶାନ୍ତ ପଡିଥିଲେ ଉତେଜିତ ଲୋକେ । ଏ ନେଇ ମିଳିଥିବା ସୂଚନା ପ୍ରକାରେ ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ନିକଟସ୍ଥ ହଳଦୀପଡା ସାହିରେ ସୋମବାର ଦିନ ସୀମାଂଚଳ ଗରଡିଆ (୧୬) ଓରଫ ଶୁକଦେବ ନାମକ ଜଣେ ଦଶମ ଶ୍ରେଣୀର ଛାତ୍ର ନିଜ ଘରେ କେହି ନ ଥିବା ସମୟରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ । ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହାର କାରଣ ଅସ୍ପଷ୍ଟ ଥିବା ବେଳେ ଚାନ୍ଦିଲି ଥାନାରେ କେସ ନମ୍ବର ୮/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ସେ ରାୟଗଡ ସହରର ଏକ ଘରୋଇ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଜଣାପଡିଛି । ମୃତ ସୀମାଂଚଳ ନିଜ ମା ଅମ୍ବିକା ଓ ବଡ ଭାଇ ଓ ଭଉଣୀଙ୍କ ସହ ମିଶି ରହୁଥିଲା । ଶୁକଦେବଙ୍କ ମା ନିକଟସ୍ଥ ନାଇଡୁପେଟା ଗ୍ରାମରେ ଆଶାକର୍ମୀ ଭାବେ କାର୍ଯ୍ୟରତ ଥିବା ବେଳେ ବଡ ଭାଇ ଜଣେ ଟ୍ୟାକ୍ସି ଡ୍ରାଇଭର ବୋଲି ଜଣାପଡିଛି । ତାଙ୍କ ବାପା ଜୟପୁର ଠାରେ ଛୋଟ ବ୍ୟବସାୟ କରି ରହୁଛନ୍ତି । ତେବେ ସୋମବାର ଦିନ ସକାଳେ ପରିବାର ଲୋକେ ନିଜ କାର୍ଯ୍ୟକୁ ଚାଲି ଯାଇଥିବା ବେଳେ ଘରେ କେହି ନ ଥିବାର ସୁଯୋଗ ନେଇ ଅପରାହ୍ନରେ ସୀମାଂଚଳ ନିଜ ବେକରେ ଦଉଡି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଅପରାହ୍ନରେ କାମ ସାରି ପରିବାର ଲୋକେ ଘରକୁ ଫେରିବା ପରେ ସୀମାଂଚଳ ଝୁଲନ୍ତା ଅବସରରେ ଦେଖିବାକୁ ପାଇଥିଲେ । ପରେ ପରିବାର ଲୋକେ ଓ ସାହିବାସିନ୍ଦାମାନେ ମିଶି ଆତ୍ମହତ୍ୟା ଉଦ୍ୟମ କରିଥିବା ସୀମାଂଚଳକୁ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ କୈାଣସି ପ୍ରକାର ଚିକିତ୍ସା ନ କରି ଜୀବିତ ଥିବା ସୀମାଂଚଳକୁ ସଙ୍ଗେ ସଙ୍ଗେ ମୃତ ଘୋଷଣା କରାଯାଇଛି ବୋଲି ଅଭିଯୋଗ କରି ଦୀର୍ଘ ୨ଘଂଟା ଧରି ମେଡିକଲ ପରିସରରେ ଉତେଜନା ଲାଗି ରହିଥିଲା ।
ପରିବାର ପକ୍ଷରୁ ମୃତ ସୀମାଂଚଳର ଶବ ବ୍ୟବଚ୍ଛେଦ କରା ନ ଯିବା ପାଇଁ ଜିଦ୍ ଧରାଯାଇଥିବା ବେଳେ ଚାନ୍ଦିଲି ଥାନା ଏସ.ଆଇ.ରାଜେଶ୍ୱର ଶବର ଓ ରାୟଗଡ ଥାନା ଏସ.ଆଇ.ରିଗାନ କିଣ୍ଡୋ ମେଡିକଲରେ ପଂହଚି ଉତେଜିତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ପରେ ଉତେଜିତ ଗ୍ରାମବାସୀ ଓ ପରିବାର ବର୍ଗ ସହମତି ପ୍ରକାରେ ମୃତ ସୀମାଂଚଳର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ଏ ନେଇ ହଳଦୀପଡା ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in