ଆଜି ବନ୍ଧୁତା ଦିବସ, ଜାଣନ୍ତୁ ଏହାର ମହତ୍ତ୍ୱ ଓ ଇତିହାସ


ଯିଏ ସୁଖଦୁଃଖରେ ସବୁବେଳେ ପାଖରେ ଥାଏ, ବନ୍ଧୁର ହୃଦୟ କାନ୍ଦିଲେ ମନର କଥା ବୁଝିପାରେ, ସାରା ଦୁନିଆ ସାଥ୍ ଛାଡିଦେଲେ ଯିଏ ସାଙ୍ଗରେ ଥାଏ, ସେ ହେଉଛି ବନ୍ଧୁ। ରାଗରୁଷା, ଅଭିମାନ ସବୁ କିଛି ଥାଏ। ହେଲେ ସେ ସମ୍ପର୍କ ନିଆରା। ରକ୍ତର ସମ୍ପର୍କ ଠାରୁ ବି ବେଶ୍ ଗଭୀର ବନ୍ଧୁତା।

ପ୍ରେମ, ବିଶ୍ୱାସ ଓ ପରସ୍ପର ମଧ୍ୟରେ ଥିବା ଉତ୍ତମ ବୁଝାମଣାକୁ ହିଁ ବନ୍ଧୁତା କୁହାଯାଏ। ବନ୍ଧୁତାରେ ନଥାଏ ଆବିଳତା। ଜଣେ ପ୍ରକୃତ ବନ୍ଧୁ ବିପଦ ଆପଦ ସବୁ ସମୟରେ ପାଖରେ ଛିଡ଼ା ହୋଇଥାଏ। ସମସ୍ତଙ୍କ ଜୀବନରେ ବନ୍ଧୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ବନ୍ଧୁତାକୁ ବଜାୟ ରଖିବା ପାଇଁ ଓ ନିଜର ଭଲ ବନ୍ଧୁଙ୍କୁ ଏହାର ଅନୁଭବ କରାଇବା ପାଇଁ ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ‘ଫ୍ରେଣ୍ଡସିପ ଡ଼େ଼’ ବା ‘ବନ୍ଧୁତା ଦିବସ’ ଭାବେ ପାଳନ କରାଯାଇଥାଏ। ପୂର୍ବରୁ ବନ୍ଧୁତା ଦିବସ କେବଳ ବିଦେଶରେ ପାଳନ ହେଉଥିଲା। କିନ୍ତୁ ଏହା ଏବେ ଭାରତରେ ମଧ୍ୟ ଖୁବ୍ ଧୁମଧାମରେ ପାଳନ ହେଉଛି।

ବଦଳି ଯାଇଛି ପାଳନର ତରିକା:

ଆଜି ବିଶ୍ବ ବନ୍ଧୁତା ଦିବସରେ ସବୁଠି ଚାଲିଛି ଉତ୍ସବ। ଯଦିଓ କରୋନା ପାଇଁ ଏଥର ବଦଳି ଯାଇଛି ପାଳନର ତରିକା। ଅନ୍ୟ ବର୍ଷ ଭଳି ସାଙ୍ଗକୁ ଚକେଲଟ ଦେଇ କି ଫ୍ରେଣ୍ଡସିପ୍ ବ୍ୟାଣ୍ଡ ପିନ୍ଧାଇ ଶୁଭେଚ୍ଛା ଜଣାଇବା ସମ୍ଭବ ହେଉନି। ସାଙ୍ଗସାଥୀଙ୍କ ସହ ରେଷ୍ଟୁରାଣ୍ଟକୁ ଯାଇ ହେଉନି କି ସିନେମା ଦେଖି ଅବା ବାହାରକୁ ଭୁଲିଯାଇ ବନ୍ଧୁତାର ଜୟଗାନ କରିବା ସମ୍ଭବ ନୁହେଁ। ତେବେ ହୃଦୟକୁ କିଏ ଅବା ରୋକି ପାରିବ! ସମସ୍ତେ ହୃଦୟରୁ ହିଁ ଶୁଭେଚ୍ଛା ଜଣାଉଛନ୍ତି। ସୋସିଆଲ୍ ମିଡିଆ ମାଧ୍ୟମରେ ବନ୍ଧୁତାକୁ ଅନୁଭବ କରୁଛନ୍ତି।

ବନ୍ଧୁତା ଦିବସର ଇତିହାସ:

ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାର ଦିନ ପାଳନ ହେଉଥିବା ବନ୍ଧୁତା ଦିବସ ଆମ ଦେଶରେ କିଛି ବର୍ଷ ମଧ୍ୟରେ ବହୁତ ଲୋକପ୍ରିୟ ହୋଇଯାଇଛି। ସୋସିଆଲ ମିଡ଼ିଆର ପ୍ରସାର ଯୋଗୁଁ ବଡ଼ ଧୁମଧମାରେ ପାଳନ ହେଉଛି ଏହି ଦିନ। ଛୋଟ ଠାରୁ ବଡ଼ ଯାଏଁ ସମସ୍ତେ ବନ୍ଧୁତା ଦିବସକୁ ପାଳନ କରୁଛନ୍ତି। ଭାରତ ପୂର୍ବରୁ ଦକ୍ଷିଣ ଆମେରିକାର ଦେଶ ପାରାଗୁଏରେ ବହୁତ ଜୋରସୋରରେ ଏହି ଦିବସ ପାଳନ ହେଉଥିଲା। ସେଠାରେ ୧୯୫୮ରେ ପ୍ରଥମେ ଆନ୍ତର୍ଜାତିକ ବନ୍ଧୁତା ଦିବସ ପାଇଁ ମଧ୍ୟ ପ୍ରସ୍ତାବ ରଖାଯାଇଥିଲା। ପରେ ଏହି ଦିନରେ ବନ୍ଧୁମାନଙ୍କୁ ଗ୍ରିଟିଙ୍ଗସ୍ କାର୍ଡ଼ ଦେବାର ପ୍ରଥା ଆରମ୍ଭ ହେଲା।

୧୯୫୮ ମସିହା ଜୁଲାଇ ୩୦ ତାରିଖରେ ମିଳିତ ଜାତିସଂଘ ବିଧିବଦ୍ଧ ଭାବେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବିଶ୍ବ ବନ୍ଧୁତ୍ବ ଦିବସ ଭାବେ ଘୋଷଣା କରିଥିଲା। ଆଉ ସେହି ଦିନ ଠାରୁ ଅଗଷ୍ଟ ମାସ ପ୍ରଥମ ରବିବାରକୁ ସାରା ବିଶ୍ବରେ ବନ୍ଧୁତ୍ବ ଦିବସ ରୂପେ ପାଳନ କରାଯାଉଛି।

ତେବେ ବିଶ୍ଵର କେତେକ ସ୍ଥାନରେ ବନ୍ଧୁତା ଦିବସକୁ ଅଗଷ୍ଟ ପ୍ରଥମ ରବିବାରରେ ପାଳନ କରାଯାଏ ନାହିଁ। ଓହିଓର ବର୍ଲିନରେ ୮ ଏପ୍ରିଲରେ ବନ୍ଧୁତା ଦିବସ ପାଳନ କରାଯାଏ। ଏହାଛଡ଼ା ବିଶ୍ଵର ଭିନ୍ନ ଭିନ୍ନ ସ୍ଥାନରେ ପାଳନ ହେଉଥିବା ବନ୍ଧୁତା ଦିବସର ତାରିଖ ଅଲଗା।

 

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta