● ଜିଲ୍ଲା ପରିଷଦ ସଭ୍ୟଙ୍କ ଅଭିଯୋଗ ପରେ ବି ପ୍ରଶାସନ ଚୁପ
ସଇଁନ୍ତଲା,୪/୮: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲବ କେରମେଲି ପଂଚାୟତ ଲାଚୁଟ ଓ ବନାରସ ଗ୍ରାମର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମିତ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଏହି ରାସ୍ତା ଜାତୀୟ ରାଜପଥ ୨୬କୁ ସଂଯୋଗ କରୁଥିବା ବେଳେ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି । ଫଳରେ ଲୋକେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ଥର ଏହି ରାସ୍ତାରେ ଯାତ୍ରୀ ଦୁର୍ଘଟଣାଗ୍ରସ୍ତ ହେଉଥିଲେ ମଧ୍ୟ ରାସ୍ତା ମରାମତି ହୋଇ ପାରିନାହିଁ ।
ଗତ ୨୦୧୩ ମସିହାରେ ଏହି ରାସ୍ତାରେ ପିଚୁ ପଡ଼ିଥିବା ବେଳେ ୭ ବର୍ଷ ବିତିଯାଇଥିଲେ ସୁଦ୍ଧା ପୁନଃ ରାସ୍ତା ନିର୍ମାଣ କିମ୍ବା ମରାମତି କାର୍ଯ୍ୟ ହୋଇ ନଥିବା କୁହାଯାଇଛି । ଏ ସଂପର୍କରେ ଜିଲ୍ଲା ପରିଷଦ ସଭ୍ୟା ସରୋଜିନୀ ସାହୁ ଅନେକ ଥର ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କିଛି କାମ ହେଉନାହିଁ । ତେବେ ଆଗାମୀ ଦିନରେ ରାସ୍ତା ମରାମତି ନ ହେଲେ ଜନ ଆନ୍ଦୋଳନ ହେବ ବୋଲି ଜିଲ୍ଲା ପରିଷଦ ସଭ୍ୟା ମତ ପ୍ରକାଶ କରନ୍ତି । ତୁରନ୍ତ ରାସ୍ତା ମରାମତି ପାଇଁ ସାଧାରଣରେ ପ୍ରବଳ ଦାବୀ ହେଉଛି ।
ସଇଁନ୍ତଲା ବ୍ଲକ ପ୍ରତିନିଧି ଅବିନାଶ ନନ୍ଦଙ୍କ ରିପୋର୍ଟ OdiaBarta.in





