ରାୟଗଡ଼,୮/୮: ମହାମାରୀ କରୋନା ଭୁତାଣୁ ସଂକ୍ରମଣରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ମୃତଦେହକୁ ପ୍ରଶାସନ ତରଫରୁ ପୋତା ଯାଉଥିବା ବେଳେ ଗାଁ ନିକଟରେ ଶବଗୁଡିକୁ ପୋତା ଯାଉଥିବାରୁ ଏହାକୁ ବିରୋଧ କରୁଛନ୍ତି ଗ୍ରାମବାସୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ ସଦର ଥାନା ଅନ୍ତର୍ଗତ ଉପର ସାଙ୍କେଶ କଲୋନୀରେ । ମିଳିଥିବା ସୂଚନା ପ୍ରକାରେ କରୋନା ରୋଗରେ ସଂକ୍ରମିତ ହୋଇ ମୃତ୍ୟୁ ହେଉଥିବା ବ୍ୟକ୍ତିଙ୍କୁ ରାୟଗଡ ଜିଲ୍ଳା ପ୍ରଶାସନ ତରଫରୁ ଉପର ସାଙ୍କେଶ କଲୋନୀ ଗ୍ରାମ ନିକଟରେ ତଥା ୩୨୬ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ମା ସାଙ୍କେଶ୍ୱରୀ ମନ୍ଦିର ପଛପଟ ଜନଶୂନ୍ୟ ସ୍ଥାନରେ ପୋତି ଦିଆଯାଉଛି । ତେବେ କରୋନା ସଂକ୍ରମିତ ରୋଗୀଙ୍କ ମୃତଦେହ ପୋତା ଯାଉଥିବା ସ୍ଥାନଟି ଅନେକ ସମୟରେ ବଣଭୋଜି ପାଇଁ ବ୍ୟବହାର ହେଉଥିବା ସହ ଗ୍ରାମବାସୀମାନେ ଉକ୍ତ ସ୍ଥାନ ଅଂଚଳରେ ନିୟମିତ ଭାବେ ଯାତାୟତ କରିଥାନ୍ତି । ତେଣୁ ମହାମାରୀ କରୋନାର ଭୟଭୟତାକୁ ଦୃଷ୍ଟିରେ ରଖି ପୋତା ଯାଉଥିବା ଶବରୁ ପୁଣି ଜଣେ ସଂକ୍ରମିତ ହୋଇପାରେ ବୋଲି ଅଭିଯୋଗ ନେଇ ଉପର ସାଙ୍କେଶ କଲୋନୀର ଗ୍ରାମବାସୀମାନେ ଆଜି ପ୍ରଶାସନର ଏପରି କାର୍ଯ୍ୟକଳାପକୁ ବିରୋଧ କରିଥିବାର ଦେଖିବାକୁ ମିଳିଥିଲା ।
ଗ୍ରାମବାସୀମାନେ ଶନିବାର ଅପରାହ୍ନ ସାଢେ ୪ଟା ସମୟରେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରି ମୃତଦେହ ପୋତାଯିବାକୁ ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣାସଂପର୍କରେ ଖବର ପାଇ ରାୟଗଡ ଥାନା ଆଇଆଇସି ନିହାର ରଂଜନ ପ୍ରଧାନଙ୍କ ନେତୃତ୍ୱରେ ଏସ.ଆଇ.ମାନସ କୁମାର ସାହୁ, ଏଏସଆଇ ଚିତରଂଜନ ମହାନ୍ତି ଓ କେ.ସିଏଚ. ବେହେରା ଓ ଅନ୍ୟ ପୋଲିସ କନେଷ୍ଟବଳମାନଙ୍କ ସହ ଅତିରିକ୍ତ ତହସିଲଦାର ସୁନୀଲ ଖରା ଘଟଣାସ୍ଥଳରେ ପଂହଚି ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ ମଧ୍ୟ ଘଟଣାସ୍ଥଳକୁ ଯାଇ ଉତେଜିତ ଗ୍ରାମବାସୀଙ୍କ ସହ ଆଲୋଚନା କରି ଆଗାମୀ ଦିନରେ ଆଉ ଉକ୍ତ ଅଂଚଳରେ ମୃତଦେହ ପୋତା ଯିବ ନାହିଁ ବୋଲି ପ୍ରତିଶୃତି ଦେବା ପରେ ଗ୍ରାମବାସୀମାନେ ଫେରିଥିବା ଜଣାପଡିଛି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in