ସାର ଯୋଗାଣ ଅବ୍ୟବସ୍ଥାକୁ ନେଇ ଚାଷୀ ଅସନ୍ତୋଷ
ଲାଞ୍ଜିଗଡ,୧୪/୮: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଅଞ୍ଚଳର ଚାଷୀ ସାର ଯୋଗାଣ ଅବ୍ୟବସ୍ଥାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ ଚଳିତ ବର୍ଷ ଚାଷବାସ ଅନେକ ବାଟ ଆଗେଇ ଯାଇଥିବାବେଳେ ସରକାରୀ ସ୍ଥରରେ ସାର ଯୋଗାଣ ହୋଇ ନଥିବାରୁ ଲାଞ୍ଜିଗଡ ଅଞ୍ଚଳର ଚାଷୀମାନେ ହତାସ ହୋଇଥିଲେ। ହେଲେ ଚାଷୀଙ୍କ ବାରମ୍ବାର ଅଭିଯୋଗ ପରେ ଓ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଲାଞ୍ଜିଗଡ଼ ସମବାୟ ସମିତିର ଚାଷୀଙ୍କ ପାଇଁ କେବଳ ୟୁରିଆ ସାର ୩୪୦ ପକେଟ ଅଣାଯାଇଥିଲା। ତେବେ ଏହି ସିମିତ ପରିମାଣର ସାର ମଧ୍ୟ ଚାଷୀଙ୍କୁ ନିଜ ସମବାୟ ସମିତିରେ ନଦେଇ ବିଶ୍ୱନାଥପୁରରେ ଯୋଗାଇ ଦେବାକୁ ନେଇ ଘଟଣାକ୍ରମକୁ ଲାଞ୍ଜିଗଡ଼ ଅଞ୍ଚଳର ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚାଷୀଙ୍କୁ ୟୁରିଆ ସାର ପାଇଁ ୧୫ରୁ ୩୦ କିମି ଦୂର ଆଣିବାକୁ ଯିବାକୁ ପଡିବ। ଅନ୍ୟପଟେ ବହୁ ଗରିବ ଚାଷୀଙ୍କ ପାଖରେ ଗାଡିର ସୁବିଧା ନାହିଁ। ଲକଡାଉନର ବାହାନା ଦେଖାଇ ଦାଇତ୍ୱରେ ଥିବା କର୍ମଚାରୀମାନେ ଚାଷୀଙ୍କ ସାରକୁ କଳାବଜାରୀ କରିବା ପାଇଁ ନିଜ ସମବାୟ ସମିତିକୁ ଆଣିନଥିବା ଚାଷୀ ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ ଗତ ବର୍ଷର ଟଙ୍କା ବାକି ଥିବାରୁ ବ୍ଲକର ଲାଞ୍ଜିଗଡ ଓ ବିଶ୍ୱନାଥପୁର ସେବା ସମବାୟ ସମିତି (ଲ୍ୟାମ୍ପସ)କୁ କେସିଙ୍ଗା ବଫର ସାର ଯୋଗାଇ ଦେଇନାହିଁ । ଫଳରେ ଅଞ୍ଚଳର ୧୨ ଗୋଟି ପଞ୍ଚାୟତର ପ୍ରାୟ ୧୦ ହଜାରରୁ ଅଧିକ ଚାଷୀ ସାର ନପାଇ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଯାହା ଫଳରେ ନିକଟସ୍ଥ ଜିଲ୍ଲା ରାୟଗଡାର ଅମ୍ବାଦଳା ଓ ମୁନିଗୁଡା ସାର ବ୍ୟବସାୟୀ ମାନଙ୍କ ଠାରୁ ୫୦ ରୁ ୬୦ ଟଙ୍କା ଅଧିକା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି।
ବ୍ଲକରେ ୩ ଗୋଟି ଲ୍ୟାମ୍ପସ ଦ୍ବାରା ଚାଷୀଙ୍କୁ ସରକାରୀ ଦରରେ ସାର ବିକ୍ରି କରିବା ପାଇଁ ଅନୁମତି ଦିଆଯାଇଛି। କିନ୍ତୁ ଲାଞ୍ଜିଗଡ ବ୍ଲକରେ ଲାଞ୍ଜିଗଡ, ବିଶ୍ଵନାଥପୁର ଓ ସିକେରକୁପା ଲ୍ୟାମ୍ପସ ମଧ୍ୟରୁ କେବଳ ସିକେରକୁପା ଲ୍ୟାମ୍ପସ ହିଁ ଚାଷୀଙ୍କୁ ସାର ଯୋଗାଇଛି। କିନ୍ତୁ ସାର ଅଣା ଯାଉଥିବା କେସିଙ୍ଗା ବଫର ଗତ ବର୍ଷର ବକିୟା ପଇସା ଯୋଗୁଁ ଲାଞ୍ଜିଗଡ ଓ ବିଶ୍ୱନାଥପୁର ଲ୍ୟାମ୍ପସକୁ ସାର ଦେବା ସମ୍ପୂର୍ଣ୍ଣ ଭାବେ ମନା କରିଛି।
ମିଳିଥିବା ସୂଚନା ଅନୁସାରେ ବିଶ୍ୱନାଥପୁର ଲ୍ୟାମ୍ପସରେ ଗତ ବର୍ଷ ସାର ବାବଦକୁ ଚାଷୀଙ୍କଠାରୁ ଆଦାୟ କରାଯାଉଥିବା ଟଙ୍କା ଲ୍ୟାମ୍ପସର କିଛି କର୍ମଚାରୀ ସମ୍ପୂର୍ଣ୍ଣ ଭାବେ ଖର୍ଚ୍ଚ କରି ଦେଇଥିଲେ। ସେହି ଟଙ୍କା ବର୍ତ୍ତମାନ ସୁଦ୍ଧା ତାଙ୍କଠାରୁ ଆଦାୟ କରାଯାଇ ନାହିଁ। ଫଳରେ ବିଶ୍ୱନାଥପୁରର ଚାଷୀ ମାନେ ଚଳିତ ବର୍ଷ ସାର ପାଇ ପାରିଲେ ନାହିଁ। ସେହିପରି ଗତ ବର୍ଷ ଲାଞ୍ଜିଗଡ ଲ୍ୟାମ୍ପସ ଗୋଦାମ ଘରେ ବର୍ଷା ପାଣି ପଶିଯିବାରୁ ଗୋଦାମରେ ଥିବା ୬ ଶହ ବସ୍ତା ସାର ମଧ୍ୟରୁ କିଛି ପରିମାଣରେ ସାର ନଷ୍ଟ ହୋଇ ଯାଇଥିଲା। ଏହି ସମୟରେ ବଳକା ସାରକୁ ଲ୍ୟାମ୍ପସ କିଛି କର୍ମଚାରୀ କଳାବଜାରୀ କରିଥିବା ଅଭିଯୋଗ ଆସିଥିଲା। କର୍ମଚାରୀ ମାନେ ଦାଇତ୍ୱରେ ଥିବା ଏଗ୍ରିକେଲଚର ଅଫିସର ଓ ଯନ୍ତ୍ରୀଙ୍କୁ କ୍ଷତିର ସଠିକ ଭାବେ ପ୍ରମାଣ ନଦେବାରୁ ସରକାରଙ୍କ ଠାରୁ ସହାୟତା ମଧ୍ୟ ମିଳିନଥିଲା। ଫଳ ସ୍ବରୂପ ୨ ଗୋଟି ଲ୍ୟାମ୍ପସ ଦାଇତ୍ୱରେ ଥିବା ତତ୍କାଳୀନ ଏମଡି ରଣାଙ୍କୁ ୫୦ରୁ ୬୦ ହଜାର ଟଙ୍କା ନିଜ ହାତରୁ ଦେବାକୁ ପଡିଥିଲା ବୋଲି ଜଣାଯାଏ। ଲ୍ୟାମ୍ପସ ଏମଡି ୨ ଟି ଦାଇତ୍ୱ ତୁଲାଉ ଥିବା ଯୋଗୁଁ ତାଙ୍କ ଅନୁପସ୍ଥିତରେ ଏହି ଅନିୟମିତତା ହେଉଥିବା ଜଣା ପଡ଼ିଛି। ଏନେଇ ଲାଞ୍ଜିଗଡ ଓ ବିଶ୍ୱନାଥପୁର ଅଞ୍ଚଳର ଚାଷୀମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। କିଛିଦିନ ତଳେ ବିଶ୍ୱନାଥପୁର ଅଞ୍ଚଳର ଚାଷୀଙ୍କୁ ୟୁରିଆ, ପଟାସ ଓ ଡିଏପି ସାର ଯୋଗାଇ ଦିଆଯାଇଥିବା ବେଳେ ଲାଞ୍ଜିଗଡ଼ ଚାଷୀ ବର୍ତ୍ତମାନ ପର୍ଯ୍ୟନ୍ତ ସାର ପାଇବାରୁ ବଞ୍ଚିତ ଅଛନ୍ତି।
ଏନେଇ ଲାଞ୍ଜିଗଡ ଓ ବିଶ୍ୱନାଥପୁର ସମବାୟ ସମିତି ଦାଇତ୍ୱରେ ଥିବା ଏମିଡି କମ୍ବୁ ବାରିକଙ୍କୁ ପଚାରିବାରୁ – ଚଳିତ ବର୍ଷ ଲାଞ୍ଜିଗଡ ଲ୍ୟାମ୍ପସ ପାଇଁ ୩୪୦ ପକେଟ ୟୁରିଆ ଆସିଛି। କରୋନା ଲକଡାଉନ୍ ଯୋଗୁଁ ଆମେ ଲାଞ୍ଜିଗଡ଼ ନନେଇ ବିଶ୍ୱନାଥପୁର ସମବାୟ ସମିତିରେ ରଖିଛୁ। ଶୁକ୍ରବାର ଲାଞ୍ଜିଗଡ଼ ଚାଷୀଙ୍କୁ ବିଶ୍ୱନାଥପୁର ଠାରେ ସାର ଦିଆଯିବ ବୋଲି ପ୍ରକାଶ କରିଥିଲେ।
ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ OdiaBarta.in