୧୭୩୪ରେ ପଂହଚିଲା ପଜିଟିଭ୍ ସଂଖ୍ୟା
ରାପିଡ ଆଂଟିଜେନ ଟେଷ୍ଟକୁ ବୃଦ୍ଧି କରାଯିବ -ସିଡିଏମଓ
ରାୟଗଡ,୧୪/୮: ରାୟଗଡ ଜିଲ୍ଳାରେ ବୋଲ ମାନୁନି କରୋନା ଭାଇରସର ସଂକ୍ରମଣ । ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ପଜିଟିଭ୍ ସଂଖ୍ୟା । ଫଳରେ ଜିଲ୍ଳାବାସୀ ଚିନ୍ତା ପ୍ରକଟ କରୁଛନ୍ତି । ରାଜ୍ୟର ଅନ୍ୟ ଜିଲ୍ଳାଗୁଡିକ କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସୁଥିବା ବେଳେ ଜିଲ୍ଳାରେ ପଜିଟିଭ୍ ସଂଖ୍ୟା ବୃଦ୍ଧିକୁ ନେଇ ନୂଆ ହଟସ୍ପଟ୍ ଜିଲ୍ଳା ଭାବେ ରାୟଗଡ ଜିଲ୍ଳା ଉଭା ହେଉଛି କି ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଶୁଣିବାକୁ ମିଳୁଛି । ଜିଲ୍ଳାରେ ଗତ ଜୁଲାଇ ୧୪ତାରିଖରୁ ଅଗଷ୍ଟ ୧୨ତାରିଖ ୫ଟି ସପ୍ତାହର କରୋନା ପଜିଟିଭ୍ ଗ୍ରାଫରେ ପଜିଟିଭଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇଥିବା ପ୍ରଶାସନ ତରଫରୁ ଦର୍ଶାଯାଇଛି । ଅପରପକ୍ଷେ ଅବିଭକ୍ତ କୋରାପୁଟ ଜିଲ୍ଳାର ଅନ୍ୟ ଜିଲ୍ଳାଗୁଡିକ ତୁଳନାରେ ରାୟଗଡ ଜିଲ୍ଳାରେ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ଢେର ଅଧିକ ରହିଛି । ତେବେ ଜିଲ୍ଳା ପ୍ରଶାସନ କିନ୍ତୁ କୋଭିଡ -୧୯ ଗାଇଡଲାଇନ ମାନି ଚଳିବା ସହ ଘରେ ରହି ସୁରକ୍ଷିତ ରହିବା,ମାସ୍କ ପରିଧାନ କରିବା, ସାମାଜିକ ଦୂରତା ବଜାୟ ରଖିବା, ନିୟମିତ ସାବୁନରେ ହାତ ଧୋଇବା, ଜନଗହିଳି ପୂର୍ଣ୍ଣ ସ୍ଥାନରୁ ଦୂରେଇ ରହି କରୋନା ସଂକ୍ରମଣ ଠାରୁ ବଂଚିତ ହେବା ପାଇଁ ସତର୍କ ଓ ସଚେତନ ରହିବା ପାଇଁ ଏବଂ ହୋମ ଆଇସୋଲେସନକୁ ପ୍ରଧାନ୍ୟ ଦେବା ସହ ରାପିଡ୍ ଆଂଟିଜେନ ଟେଷ୍ଟ ବୃଦ୍ଧି କରାଯିବାର ପ୍ରସ୍ତୁତିକୁ ନେଇ ଜିଲ୍ଳାବାସୀଙ୍କୁ ସହଯୋଗ କାମନା ପାଇଁ ନିବେଦନ କରି ଆସୁଛନ୍ତି । ଗୁରୁବାର ଦିନ ପୁଣି ୫୫ ପଜିଟିଭ୍ ଚିହ୍ନଟ ପରେ ଜିଲ୍ଳାରେ ୧୭ଶହ ପାର କରି ୧୭୩୪ ପଜିଟିଭ୍ ସଂଖ୍ୟାରେ ପାଦ ଥାପିଛି ଜିଲ୍ଳା । ଏହି ୫୫ ଜଣଙ୍କ ମଧ୍ୟରେ ୩ଜଣ କରୋନା ଯୋଦ୍ଧା ରହିଥିବା ବେଳେ ୩୮ଜଣ ପୁରୁଷ ଓ ୧୭ଜଣ ମହିଳା ଆକ୍ରାନ୍ତ ରହିଛନ୍ତି । ସେହିପରି ଟିଏମସି କେନ୍ଦ୍ରରୁ ୫ଜଣ ଓ ହୋମ କ୍ୱାରେନଟାଇନରୁ ୫୦ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କଂଟାକ୍ଟ ଟ୍ରେସିଂରୁ ୨୮ଜଣ ଚିହ୍ନଟ ହୋଇଥିବା ବେଳେ ଆଇଏଲଆଇ/ସାରି ଲକ୍ଷଣ ରହିଥିବା ୨୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଳାର ରାୟଗଡ ପୈାରାଂଚଳରୁ ୮ଜଣ ଓ ଗ୍ରାମାଂଚଳରୁ ୨ ଚିହ୍ନଟ ହୋଇଥିବା ବେଳେ ଗୁଣପୁର ପୈାରାଂଚଳରୁ ୨ଜଣ ଓ ଗ୍ରାମାଂଚଳରୁ ସର୍ବାଧିକ ୨୩ଜଣ ସହ ପଦ୍ମପୁର ବ୍ଳକରୁ ୬, ଚନ୍ଦ୍ରପୁରରୁ ୪, ରାମନାଗୁଡାରୁ ୮ ସମେତ କାଶିପୁର ବ୍ଳକରୁ ୨ଜଣ ମୋଟ ୫୫ଜଣ ଚିହ୍ନଟ ହୋଇଥିବା ନେଇ ସିଡିଏମଓ ଡାକ୍ତର ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି । ସେହିପରି ଜିଲ୍ଳାରେ ଖୋଜି ଖୋଜି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ନିମନ୍ତେ ରାପିଡ୍ ଆଂଟିଜେନ ଟେଷ୍ଟିଂକୁ ବୃଦ୍ଧି କରିବା ପାଇଁ ପ୍ରଶାସନ ଟେଷ୍ଟିଂ ଆରମ୍ଭ କରିଥିବା ନେଇ ଡାକ୍ତର ଶ୍ରୀ ନାୟକ ସୂଚନା ଦେଇଛନ୍ତି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in