✒️ସୁକାନ୍ତ ସାହୁ
ଥରେ ଜଣେ ଫକୀର ସମ୍ରାଟଙ୍କ ଫାଟକରେ ପହଁଚିଲେ । ସକାଳ ହୋଇଥାଏ । ସମ୍ରାଟ ବଗିଚାରେ ପ୍ରାତଃ ଭ୍ରମଣ କରୁଥାନ୍ତି । ଯୋଗକୁ ଫକୀର ସମ୍ରାଟଙ୍କ ସାମ୍ନାରେ ପଡ଼ିଗଲେ ।
ଫକୀର ତାଙ୍କ ହାତରେ ଧରିଥିବା ପାତ୍ରଟିକୁ ସମ୍ରାଟଙ୍କ ଆଗକୁ କିଛି ମାଗିବା ଉଦ୍ଦେଶ୍ୟରେ ବଢ଼େଇ ଦେଲେ ।
କ’ଣ ଦରକାର? ସମ୍ରାଟ କହିଲେ ।
ଫକୀର କହିଲେ- ଯାହା ଇଚ୍ଛା ତାହା ଦିଅନ୍ତୁ । କିନ୍ତୁ ଗୋଟିଏ ସର୍ତ୍ତ ଯାହା ବି ଦେବେ ସେଥିରେ ପାତ୍ରଟିକୁ ପୂର୍ଣ୍ଣ କରିଦେବେ । ମୁଁ ହାରିଗଲିଣି,ଏ ପାତ୍ରଟିକୁ ପୂରା କରିପାରୁନି ।
ତମେ ପାଗଳ ନା କ’ଣ? ଏତେ ଛୋଟ ପାତ୍ରଟିକୁ ପୂରା କରିହବନି । କହି ସମ୍ରାଟ ହସିଦେଲେ ।
ତା’ପରେ ସମ୍ରାଟ ତାଙ୍କ ସେବକକୁ ଡାକି କହିଲେ- ଆରେ ଏ ଫକୀର ହାତରେ ଧରିଥିବା ଏଇ ଛୋଟିଆ ପାତ୍ରଟିକୁ ସୁନା,ରୂପା,ହୀରୀ,ନୀଳାରେ ଭରିଦିଅ ଯେମିତି ଏ ଫକୀର ତା’ ଜୀବନଯାକ ଆଉ ଭିକ ମାଗିବ ନାହିଁ ।
ଫକୀର କହିଲେ- ମହାଶୟ ଗୋଟିଏ କଥା । ଆପଣ ଏ ପାତ୍ର ନ ଭରିବା ପର୍ଯ୍ୟନ୍ତ ଦେଇଚାଲିଥିବେ ବୋଲି ଆଗ ଶପଥ କରନ୍ତୁ ତା’ପରେ ଯାଇ ଯାହା କିଛି ଦେବେ ।
ସମ୍ରାଟ ହସିହସି କହିଲେ- ବ୍ୟସ୍ତ ହୁଅନି ମୁଁ କଥା ଦେଉଛି ତାକୁ ପୂରା କରିଦେବି ।
ଖୁବ୍ ଶୀଘ୍ର ସମ୍ରାଟଙ୍କ ଚିନ୍ତାଧାରା ଭୁଲ୍ ପ୍ରମାଣିତ ହୋଇଗଲା । ସେବକ ସୁନା ରୂପା ହୀରା ନୀଳା ସେହି ପାତ୍ରରେ ଭରି ଚାଲିଥିଲା । ଯେତେଦେଲେ ବି ପାତ୍ରଟି ଭରୁ ନଥିଲା । ରାଜାଙ୍କ ରତ୍ନ ଭଣ୍ଡାର ଖାଲି ହୋଇଗଲା । ଏଥର ରାଜା ତାଙ୍କ ରାଜକୋଷରେ ଗଚ୍ଛିତ ଥିବା ଟଙ୍କା, କଉଡ଼ି ଦେବାକୁ ନିର୍ଦ୍ଦେଶ ଦେଲେ । କିନ୍ତୁ ପାତ୍ରଟି ପୂର୍ବ ପରି ଅପୂର୍ଣ୍ଣ ଥିଲା ।
ସକାଳ ଯାଇ, ଦି’ପହର ଯାଇ ସଂଜ ହେଲା । ରାଜାଙ୍କ ରାଜକୋଷ ଖାଲି ହୋଇଗଲା । ରାଜାଙ୍କ ନିକଟରେ ଥିବା ସବୁ ସଂପତ୍ତି ସେଇ ପାତ୍ରରେ ଭରି ଚାଲିଲେ, ଅଥଚ ଫକୀରଙ୍କ ପାତ୍ର ଭରିଯିବାର ନାଆଁ ହିଁ ନେଇ ନଥିଲା ।
ଫକୀର ଆଉ ତାଙ୍କ ପାତ୍ରର କାହାଣୀ ଚାରିଆଡ଼େ ବ୍ୟାପି ଗଲା । ସେତେବେଳକୁ ରାଜାଙ୍କ ମନ୍ତ୍ରୀ, ପାରିଷଦ ଓ ନଗରର ମାନ୍ୟଗଣ୍ୟ ବ୍ୟକ୍ତି ଫକୀର ଆଉ ତାଙ୍କ ପାତ୍ରକୁ ଦେଖିବାକୁ ଏକାଠି ହୋଇ ସାରିଥିଲେ ।
ରାତି ହୋଇଗଲା । ଏବେ ସମ୍ରାଟ ଫକୀରଙ୍କ ପରି ରିକ୍ତ ହୋଇଗଲେ । ସେ ନିଜ ଭିତରେ ଥିବା ଅହଂକାରରୁ ମୁକୁଳି କହିଲେ- ଫକୀର ମହାଶୟ ମୋର ଭୁଲ୍ ହୋଇଗଲା । ମୁଁ ଯେଉଁ ପାତ୍ରଟିକୁ କ୍ଷୁଦ୍ର ଭାବୁଥିଲି ତାହା, ତାହା ନୁହଁ । ମୋତେ କ୍ଷମା କରନ୍ତୁ ।
ଏଥର ଫକୀର ହସିଦେଲେ ।
ସମ୍ରାଟ ପୁଣି ହାତଯୋଡ଼ି କହିଲେ- ମହାଶୟ ଆପଣ ତ ଚାଲିଯିବେ । ହେଲେ ଯିବା ପୂର୍ବରୁ ମୋତେ ଏତିକି କହିଯାନ୍ତୁ ଯେ ପାତ୍ରଟି କେଉଁ ଉପାଦାନରେ ତିଆରି?
ଫକୀର ହସିଦେଇ କହିଲେ – ବାସ୍ତବରେ ଆପଣ ଯାହାକୁ ପାତ୍ର ଭାବୁଛନ୍ତି ତାହା ପାତ୍ର ନୁହେଁ, ମଣିଷର କ୍ଷୁଦ୍ର ହୃଦୟ । ଏଇ ହୃଦୟଟିକୁ ଯେତେ ଯାହା ଦେଲେ ବି ଏହିପରି ତାହା ସଦା ଅପୂର୍ଣ୍ଣ ରହେ ।
ଶ୍ରୀରୂପା
ରାମନଗରପଡ଼ା,ଭବାନୀପାଟଣା
କଳାହାଣ୍ଡି-୭୬୬୦୦୧
ମୋ.ନଂ. ୯୪୩୭୭ ୦୦୦୩୭