ଲାଞ୍ଜିଗଡ଼,୨୧/୮: କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ରେଞ୍ଜ ଲାଞ୍ଜିଗଡ଼ ସେକ୍ସନ ତ୍ରିଲୋଚନପୁର ଅଞ୍ଚଳରେ ହାତୀ ଉପଦ୍ରବ ବଢିବାରେ ଲାଗିଛି।ଆଜିକୁ ୧୫ ଦିନ ହେଲା ହାତୀପଲ ଜଙ୍ଗଲରୁ ଜନବସତି ଆଡକୁ ମୁହାଁ ହୋଇଥିବା ଜଣାପଡିଛି। ବୁଧବାର ରାତିରେ ତ୍ରିଲୋଚନପୁର ପଞ୍ଚାୟତ କାଣ୍ଡଗୁଡା ଗାଁ ନିକଟସ୍ଥ ଟୁରିଗୁଡା ଠାରେ ଶ୍ରାବୁ ମାଝୀଙ୍କ ଘରକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଚୁରମାର କରିଦେଇଛନ୍ତି। କୌଣସି କାରଣରୁ ଶ୍ରାବୁ ଓ ତାଙ୍କ ସ୍ତ୍ରୀ ନିକଟସ୍ଥ ଗାଁକୁ ଯାଇ ସନ୍ଧ୍ୟାରେ ଫେରି ପାରି ନଥିଲେ। ବୁଧବାର ରାତିରେ ଶ୍ରାବୁଙ୍କ ୩ ଗୋଟି ସନ୍ତାନ ଘରେ ଶୋଇଥିବା ସମୟରେ ଏହି ହାତୀପଲ ନିଶା ରାତିରେ ଆସି ଭୀଷଣ ଗର୍ଜନ କରି ପ୍ରଥମେ ଘରର ପାଟି କାଠକୁ ଟାଣି ଭାଙ୍ଗି ଦେଇଥିଲେ। ଏହା ଜାଣି ପାରି ପିଲାମାନେ ଜୀବନ ବିକଳରେ ନିକଟସ୍ଥ ଗାଁ କାଣ୍ଡ ଗୁଡାକୁ ପଳେଇ ଯାଇଥିଲେ। ୧୫ ରୁ ଉର୍ଦ୍ଧ ହାତୀପଲ ସମ୍ପୂର୍ଣ୍ଣ ଘରକୁ ଭାଙ୍ଗି ଘରେ ଥିବା ଚାଉଳ, ମାଣ୍ଡିଆ,ଧାନକୁ ଖାଇ ବାସନକୁସନ ସହିତ ଘରର ଅନ୍ୟାନ୍ୟ ସାମଗ୍ରୀ ମାଡିଚକଟି ନଷ୍ଟ କରି ଦେଇଥିଲେ। ପୂର୍ବରୁ ଏହି ଟୁରିଗୁଡାଠାରେ ୫ ଟି ପରିବାର ଘର କରି ରହୁଥିବା ବେଳେ ବର୍ତ୍ତମାନ ଅନ୍ୟ ମାନେ ଗାଁ ଛାଡି ନିକଟସ୍ଥ ଗାଁ ମାନଙ୍କୁ ପଳାଇ ଯାଇଥିବା ଯୋଗୁଁ ଏକୁଟିଆ ଶ୍ରାବୁ ମାଝୀ ସ୍ତ୍ରୀ ଓ ନିଜ ତିନି ସନ୍ତାନଙ୍କ ସହିତ ରହୁଥିଲା। ଘର ଭାଙ୍ଗିବା ପରେ ଏହି ହାତୀପଲ ଲାଞ୍ଜିଗଡ଼ ପଞ୍ଚାୟତର ଭଟ୍ଟାଝରି ଗାଁର ମାଲ ମାଝୀ ଓ ମୁଶରୀ ମାଝୀଙ୍କ ଜଙ୍ଗଲରେ ଚାଷ କରିଥିବା ଭଟାଧାନ, କୁଶୁଳା, ମାଣ୍ଡିଆ, ଗୁରୁଜୀ, ମକା ଆଦି ଫସଲକୁ ନଷ୍ଟ କରି ଲାଞ୍ଜିଗଡ଼ ବାନିଗାଁ ନିକଟସ୍ଥ ରାହୁଳ ଝିମିରି ଜଙ୍ଗଲରେ ଥିବା ଜଣାପଡିଛି।
ଆଜିକୁ ୧୫ ଦିନ ହେଲା ଏହି ହାତୀପଲ ରାୟଗଡା ଜିଲ୍ଲା ପଟାଙ୍ଗ ପଦର ଦେଇ ନିୟମଗିରି ପାଦ ଦେଶରେ ଥିବା ଭିମନଖୁଜି ଜଙ୍ଗଲ ଦେଇ ତ୍ରିଲୋଚନପୁର ପଞ୍ଚାୟତର ତାଢିଝୁଲା ଗାଁର ୧୫ ଏକରରୁ ଉର୍ଦ୍ଧ ଧାନ ଫସଲକୁ ମାଡିଚକଟି ନଷ୍ଟ କରି
ବେଲାଙ୍ଗବୁଣ୍ଡେଲ ଓ ଡଙ୍ଗାବାହଲ ଗାଁ ଦେଇ ଆମ୍ବଗୁଡା ଜଙ୍ଗଲଠାରୁ ରାହୁଳ ଝିମିରି ଜଙ୍ଗଲ ଆସିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଲାଞ୍ଜିଗଡ଼ ବନପାଳ ବୃଷବ ବେଶ୍ରାଙ୍କ ନିର୍ଦ୍ଦେଶ କ୍ରମେ ବନରକ୍ଷୀ ବିଭୂତି ଭୂଷଣ ନାଏକ, ସାଣ୍ଡରୁ ମାଝୀ ଘଟଣା ସ୍ଥଳକୁ ଯାଇ କ୍ଷୟକ୍ଷତି ଆକଳନ କରିଥିବା ଜଣା ଯାଉଛି।ତେବେ ହାତୀପଲ ଏବେ ଜନବସତି ଅଞ୍ଚଳକୁ ଧସେଇ ପଶି ଆସୁଥିବା ବେଳେ ସେମାନଙ୍କୁ ଘଉଡାଇବାକୁ ଲାଞ୍ଜିଗଡ଼ ବନବିଭାଗ ଓ ଏଲିଫେଣ୍ଟ ସ୍କୁଆଡ଼ ସଜାଗ ରହି ହାତୀପଲଙ୍କ ଉପରେ ନଜର ରଖାଯାଇଛି ବୋଲି ଲାଞ୍ଜିଗଡ଼ ବନପାଳ ବୃଷବ ବେଶ୍ରା ପ୍ରକାଶ କରିଛନ୍ତି।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ OdiaBarta.in