କଳାହାଣ୍ଡି: ଗରିବ ବାସହୀନ ପରିବାର ସ୍ଥାୟୀ ଭାବେ ମୁଣ୍ଡଗୁଞ୍ଜି ରହିବାକୁ ସରକାର ଗ୍ରାମୀଣ ଆବାସ ଯୋଜନାରେ ପକ୍କାଘର ଯୋଗାଇ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା କରି ସମସ୍ତେ ପକ୍କାଘରରେ ରହିବେ ବୋଲି ଘୋଷଣା କରାଯାଉଛି । କିନ୍ତୁ କେଉଁଠି ନା କେଉଁଠି କେଁ ଟିଏ ରହିଯାଉଛି । ପ୍ରକୃତ ଯୋଗ୍ୟ ଲୋକ ସରକାରଙ୍କ ଦ୍ବାରା ପ୍ରଦତ୍ତ ଆବାସ ଗୃହ ପାଇବାକୁ ଅନେଇ ବସୁଥିବାର ନଜିର ମଧ୍ୟ ରହିଛି ।
ଏପରି ଏକ ଚିତ୍ର ଦେଖିବାକୁ ମିଳିଛି କର୍ଲାମୁଣ୍ଡା ବ୍ଲକର ଯୋରଡବରା ପଞ୍ଚାୟତର ଟେରଚାପଲା ଗ୍ରାମରେ । ଏହି ଗ୍ରାମର ରବି ମାଝୀଙ୍କ ଘର ଗତ ବର୍ଷ ପ୍ରବଳ ବର୍ଷାରେ ଭାଙ୍ଗି ପଡିଥିଲା । ଏ ନେଇ ରବି ମାଝୀ ରାଜସ୍ଵ ନିରୀକ୍ଷକ ଙ୍କ ଠାରୁ ଆରମ୍ଭ କରି ସରପଞ୍ଚ ଓ ଅନ୍ୟାନ୍ୟ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ପାଇନଥିଲେ । ଘର ସଜାଡିବାକୁ ଅସମର୍ଥ ରବି ତା ସ୍ତ୍ରୀ, ପୁଅ, ବୋହୂ, ନାତି ସହ ଗାଁ ରେ ଥିବା ଲକ୍ଷ୍ମୀ ମଣ୍ଡପରେ ରହୁଛନ୍ତି । ଅପେକ୍ଷାକୃତ ସାମାନ୍ୟ ଘର ଭାଙ୍ଗିଥିବାର ଅଭିଯୋଗ କରୁଥିବା ଲୋକଙ୍କୁ ଅନ୍ତତଃ ପଲିଥିନ ଟିଏ ମିଳୁଥିବା ବେଳେ ସମ୍ପୂର୍ଣ ଘର ଭାଙ୍ଗିଥିବା ରବି ମାଝୀଙ୍କୁ ପଲିଥିନ ଟିଏ ନ ମିଳିବା ଅତ୍ୟନ୍ତ ଦୁଃଖଦ ବିଷୟ ବୋଲି ଗ୍ରାମ ବିକାଶ କମିଟି ର ସମ୍ପାଦକ ନନ୍ଦି କିଶୋର ମାଝୀ ଅଭିଯୋଗ କରିଛନ୍ତି । ଏଥିପାଇଁ ସ୍ଥାନୀୟ ପ୍ରଶାସନ କି ପଦକ୍ଷେପ ନେଉଛନ୍ତି, ଦେଖିବାର କଥା । ଏ ସମ୍ପର୍କରେ ବିଡିଓ ଓ ସରପଞ୍ଚଙ୍କ ମତାମତ ନେବାପାଇଁ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟିଦେବାକୁ ଦାବୀ ହେଉଛି ।
କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in