ଏଟ୍ରୋସିଟି ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉ

ଦଳିତଙ୍କ ଉପରେ ଅତ୍ୟାଚାର ବିରୁଦ୍ଧରେ ଏସ୍‌ପିଙ୍କୁ ଦାବିପତ୍ର

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ଅନୁସୂଚିତ ବର୍ଗ ଉପରେ ଆକ୍ରମଣ ଓ ଅତ୍ୟାଚାର ବଢି ଚାଲିଥିବାବେଳେ ବାରମ୍ବାର ଦଳିତ ବର୍ଗର ଲୋକେ ଅଭିଯୋଗ କଲେ ସୁଦ୍ଧା ନ୍ୟାୟ ମିଳୁନାହିଁ । ଜିଲ୍ଲାରେ ସାମାଜିକ ବିଷମତା ବୃଦ୍ଧି ପାଇବାରେ ଲାଗିଥିବା ଅଭିଯୋଗ ହେଉଛି ।ସେହିପରି ବିଭିନ୍ନ ସ୍ଥାନରେ ଦଳିତଙ୍କ ପ୍ରତି ନିର୍ଯାତନା ବୃଦ୍ଧି ପାଉଥିଲେ ହେଁ ଏଟ୍ରୋସିଟି ଆଇନ୍‌କୁ ଠିକ୍ ଭାବେ କାର୍ଯ୍ୟକାରୀ କରାଯାଉନାହିଁ । ସାଧାରଣ ଗରିବ ଓ ଦଳିତ ବର୍ଗର ଲୋକେ ଏହିପରି ଭାବେ ଲଗାତାର ଅତ୍ୟାଚାରିତ ହେଉଥିବାବେଳେ ସରକାର, ବିରୋଧୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ତଥା ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଥିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ।

ଗତ କିଛିବର୍ଷ ହେଲା ଦଳିତ ନିର୍ଯାତନା ଓ ଅତ୍ୟାଚାର ତଥା ଜାତି ଭେଦଭାବ ଜନିତ ମାମଲା ଜିଲ୍ଲାରେ ବଢି ଚାଲିଛି । ତେବେ ସେଇ ଅନୁଯାୟୀ ପ୍ରଶାସନ ପକ୍ଷରୁ ଏହି ବର୍ଗର ଲୋକଙ୍କୁ ନ୍ୟାୟ ମିଳୁନାହିିଁ । ଏଇ କିଛିଦିନ ମଧ୍ୟରେ ଜିଲ୍ଲାର ଜୟପାଟଣା ବ୍ଲକ କଦଳୀବାହାଲିର ଜଣେ ଯୁବତୀଙ୍କୁ ନିର୍ଯାତନା, ଜୁନାଗଡ଼ ବ୍ଲକ ଘୁଲିଯୁବା ଗାଁରେ ଦଳିତ ପରିବାର ଉପରେ ଆକ୍ରମଣ, ବରଗାଁରେ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ନଳକୂଅରୁ ପାଣି ପିଇବାକୁ ନେଇ ଦଳିତଙ୍କ ଉପରେ ମରଣାନ୍ତକ ଆକ୍ରମଣ, ନର୍ଲା ବ୍ଲକ ଗିଧାମାଲ ଗାଁରେ ଦଳିତଙ୍କ ପାଇଁ ଘାଧୁଆଘାଟ କରାଇ ନଦେବା ଭଳି ଅନେକ ଘଟଣା ଦଳିତମାନଙ୍କ ଉପରେ ବଢୁଥିବା ଅତ୍ୟାଚାରକୁ ଦର୍ଶାଉଛି ।

ଏଣୁ ଏହାକୁ ଦୃଢ ବିରୋଧ କରିବା ସହ ଜିଲ୍ଲାର ଆଇନଜୀବୀ, ବୁଦ୍ଧିଜୀବୀ ନାଗରିକଗଣଙ୍କ ପକ୍ଷରୁ ଆଜି କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବାତୁଲା ଗଙ୍ଗାଧରଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସଂଗଠନ ପକ୍ଷରୁ ସତ୍ୟବାଦୀ ନାଏକ, ବିଭୀଷଣ ନାଏକ, ଯତିନ୍ଦ୍ର କର, ଦିଗାମ୍ବର ଦୁରିଆ, ଛବିଲାଲ ନିଆଲ, ଗିରିଜା ବେହେରା, ବିଶ୍ୱନାଥ କର, ଯୋଗେଶ୍ୱର ସାଗର, ତିଲକରାମ ନିଆଲ, ସୁବାସଚନ୍ଦ୍ର ନାଗ, ଲୋକନାଥ ନାଗ, ପ୍ରକାଶ ହରପାଲ, ରଜନୀକାନ୍ତ ସମର୍ଲିଆ, ସୁଶୀଲ କୁମାର ବାଗ, ଅମିତ ଜାଲ, ତୁଷାର ମହାନନ୍ଦ, ଜ୍ୟୋତି ମହାନନ୍ଦ, ଅଭିଜିତ କର ପ୍ରମୁଖ ଶ୍ରୀ ଗଙ୍ଗାଧରଙ୍କୁ ସାକ୍ଷାତ କରି ଦଳିତ ନିର୍ଯାତନା ମାମଲାରେ ପୁଲିସର ତ୍ୱରିତ ପଦକ୍ଷେପ ପାଇଁ ଦାବି କରିବା ସହ ଜିଲ୍ଲାରେ ଦଳିତ ନିର୍ଯାତନା ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ ।

ଆରକ୍ଷୀ ଅଧୀକ୍ଷକ ଶ୍ରୀ ଗଙ୍ଗାଧର ଦାବିପତ୍ର ଗ୍ରହଣ କରି ଆଇନ ଆଖିରେ ସମସ୍ତେ ସମାନ ଓ ଦୋଷ କଲେ ଦଣ୍ଡ ସୁନିଶ୍ଚିତ ଏଥିରେ ପାତରଅନ୍ତର କରାଯାଇପାରିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାସହିତ ଘୁଲିଯୁବା ଓ ବରଗାଁ ମାମଲାରେ ତୁରନ୍ତ ପଦକ୍ଷେପ ପାଇଁ ଜୁନାଗଡ଼ ଥାନାଧିକାରୀ ଓ ନର୍ଲା ବ୍ଲକ ଗିଧାମାଲ ମାମଲାରେ କେସିଙ୍ଗା ଥାନାଧିକାରୀଙ୍କୁ ଫୋନ୍ କରି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାଯୋଗ୍ୟ, ସଂଗଠନ ପକ୍ଷରୁ ଉକ୍ତ ଦାବିପତ୍ର କଳାହାଣ୍ଡି ଜିଲ୍ଲାପାଳ, ଡିଆଇଜି କୋରାପୁଟ, ପୁଲିସ ଡିଜିଙ୍କୁ ମଧ୍ୟ ଦିଆଯାଇଛି । ସେହିପରି ଆଗାମୀ ଦିନରେ ଜିଲ୍ଲାରେ ସକ୍ରିୟ ଥିବା ସମସ୍ତ ଦଳିତ ସଂଗଠନଗୁଡିକୁ ଏକତ୍ରିତ କରି ଏକ ସମ୍ମନ୍ୱୟ କମିଟି ଗଠନ କରାଯିବାର ନିଷ୍ପତି ନିଆଯାଇଥିବା ଜଣାଯାଇଛି ।

ଜିଲ୍ଲାର ଦଳିତମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଆଦୌ ବରଦାସ୍ତ କରାଯିବ ନାହିଁ ଆଗାମୀ ଦିନରେ ନିଜର ନ୍ୟାର୍ଯ୍ୟ ଅଧିକାର ଓ ଦାବି ପାଇଁ ରାଜ୍ୟ ବ୍ୟାପି ଆନ୍ଦୋଳନ କରାଯିବ ବୋଲି ଅଲ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍ ପକ୍ଷରୁ ଚେତାବନୀ ଦିଆଯାଇଛି ।

 

 

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.