ସତର୍କତା ଓ ସାବଧାନତା ଜରୁରୀ
୨୧ ଦିନରେ ରାୟଗଡ ସହରରେ ୨୪୭ ଜଣ ପଜିଟିଭ୍ ଚିହ୍ନଟ
ରାୟଗଡ(ଶିବ ନାରାୟଣ ଗଉଡ) : ମହାମାରୀ କରୋନ ପାଇଁ ଏଯାବତ୍ କୈାଣସି ପ୍ରତିଷେଧକମୂଳକ ଟୀକା କି କୈାଣସି ଔଷଧ ଆସି ପାରି ନ ଥିବାରୁ କେବଳ ସର୍ତକତା ଓ ସାବଧାନତା ସହ ସଚେତନତା ହିଁ ଏହାର ମୂଳ ଅମୋଘ ଅସ୍ତ୍ର ସାଜିଛି । ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଳା ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ସମସ୍ତଙ୍କୁ କୋଭିଡ-୧୯ ଗାଇଡଲାଇନ ମାନି ଚଳିବାକୁ ବାରମ୍ବାର ନିବେଦନ କରାଯାଉଛି । ତଥାପି ଲୋକେ ନିଜକୁ ସଚେତନ ଭାବୁଥିଲେ ସୁଦ୍ଧା କରୋନାରେ ପଜିଟିଭ୍ ଚିହ୍ନଟ ହୋଇ ଅନ୍ୟଙ୍କ ପାଇଁ ଅସାବଧାନତା ରହିବାର ପରିଣାମ ସ୍ୱରୂପ ଉଦାହରଣ ପାଲଟି ଯାଉଛନ୍ତି । ରାୟଗଡ ସହରରେ ଚଳିତ ମାସ ୧ତାରିଖ ଠାରୁ ଆଜି ୨୧ତାରିଖ ମଧ୍ୟରେ ୨୪୭ଜଣ ପଜିଟିଭ୍ ଚିହ୍ନଟ ହୋଇ କରୋନାରେ ଆକ୍ରାନ୍ତ ହେଲେଣି । ସେହିପରି ରାୟଗଡ ବ୍ଳକର ଗ୍ରାମାଂଚଳରୁ ୧୩୮ଜଣ ଚିହ୍ନଟ ହୋଇଥିବା ନେଇ ପ୍ରଶାସନ ତରଫରୁ ସୂଚନା ମିଳିଛି । ତେବେ ସହର ହେଉ ଅଥବା ଗ୍ରାମାଂଚଳ ଉଭୟ କ୍ଷେତ୍ରରେ କୋଭିଡ-୧୯ ଗାଇଡଲାଇନକୁ ଅଣଦେଖା କରାଯାଉଥିବାରୁ ଏହି ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଛି । କରୋନା କଟକଣାରେ କୋହଳ ହେବା ପରେ ସେପ୍ଟେମ୍ବର ୧ତାରିଖ ଠାରୁ ରାୟଗଡ ଜିଲ୍ଳା ସଦର ମହକୁମାକୁ ପ୍ରତ୍ୟେକ ଦିନ ବିଭିନ୍ନ ସରକାରୀ /ବେସରକାରୀ କାର୍ଯ୍ୟ ତଥା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବଜାରରେ ସପିଙ୍ଗ ହେଉ ଅଥବା ବସ, ରେଳ ଆଦିରେ ଯିବା ପାଇଁ ଜିଲ୍ଳାର ବିଭିନ୍ନ ବ୍ଳକରୁ ଶତାଧିକ ଲୋକେ ଯାତାୟାତ କରୁଛନ୍ତି । ତେବେ ମାସ୍କ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖିବା ସହ ହାତ ଧୋଇବା ଉପରେ ଗୁରୁତ୍ୱ ଦିଆଯାଉ ନ ଥିବାରୁ ଟିକିଏ ଅସାବଧାନତା ସମସ୍ତଙ୍କୁ କରୋନା ମୁହଁକୁ ଠେଲି ନେବାର ଆଶଙ୍କା ରହୁଛି । ଫଳରେ ସଂକ୍ରମଣ ବ୍ୟାପିବାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରୁନାହିଁ ।
ରାୟଗଡ ସହରରେ ବିଶେଷ କରି ମାଛ, କୁକୁଡା, ଛେଳି ଆଦି ଆମିଷ , ଫଳ ଓ ପନିପରିବା, କ୍ଷୀର ଆଦି ଅତ୍ୟାବଶକୀୟ ଖାଦ୍ୟ ସାମାଗ୍ରୀଗୁଡିକ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ସହ ସଦର ବ୍ଳକ ଏବଂ ପଡୋଶୀ ଜିଲ୍ଳାର ବିଭିନ୍ନ ପଂଚାୟତରୁ ବ୍ୟବସାୟୀମାନେ ଆଣି ବିକ୍ରି କରିଥାନ୍ତି । ତେବେ ଅନେକ ସମୟରେ ଏହାକୁ ବିକ୍ରି କରୁଥିବା ବ୍ୟବସାୟୀ ହେଉ ଅଥବା କ୍ରୟ କରିବାକୁ ଆସିଥିବା ଗ୍ରାହକମାନେ କେହି ହେଲେ ମାସ୍କ ପରିଧାନ ଓ ସାମାଜିକ ଦୂରତା ମାନି ଚଳୁଥିବା ପରିଲିକ୍ଷିତ ହେଉନାହିଁ । ଅନେକ ଲୋକେ ମାସ୍କକୁ ନାକ ଉପରେ ଆବୃତ ନ କରି କେବଳ ପାଟି ତଳକୁ ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଥିବା ବେଳେ ସାମାଜିକ ଦୂରତା ନିୟମ ଉଂଲଘନ କଥା ନ କହିଲେ ଚଳେ । ସେହିପରି ଟ୍ରେନ ସେବା ସଂପୂର୍ଣ୍ଣ ଭାବେ ସ୍ୱାଭାବିକ ହୋଇ ନ ଥିବାରୁ ଅନେକ ଯାତ୍ରୀ ବସରେ ଯିବା ପାଇଁ ବାହାରୁ ଥିବା ବେଳେ ବସଗୁଡିକରେ ମଧ୍ୟ ସେହି ଅନୁରୂପ ବ୍ୟବସ୍ଥା ହିଁ ଦେଖିବାକୁ ମିିଳୁଛି । ସହରରେ କରୋନା କଟକଣାରେ କୋହଳ କରାଯିବା ପରେ ଖୋଲାଯାଉଥିବା ଫାଷ୍ଟଫୁଟ ସେଂଟର, ହଟେଲ ସହ ରାସ୍ତାକଡର ଛୋଟ ମୋଟ ଠେଲା ଦୋକାନୀମାନଙ୍କ ଠାରେ ମଧ୍ୟ ଗ୍ରାହକଙ୍କ ଗହଳି ଲାଗି ରହୁଥିବା ବେଳେ ବ୍ୟବସାୟୀମାନେ ହେଲେ ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଉ ନ ଥିବା ଦେଖିବାକୁ ମିଳିଛି ।
ଏଥିସହ ରାୟଗଡ ସହରରେ ପ୍ରାତଃ ଭ୍ରମଣ ଓ ସଂଧ୍ୟା ଭ୍ରମଣ କରୁଥିବା ପଥଚାରୀମାନେ ମଧ୍ୟ ଏହି ଦୁଇଟି ନିୟମକୁ ଅମାନ୍ୟ କରୁଥିବା ପରିଲିକ୍ଷିତ ହେଉଛି । ଜିଲ୍ଳା ଓ ପୋଲିସ ପ୍ରଶାସନ ତରଫରୁ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା କରିବା ନିୟମକୁ ଆହୁରି କଡାକଡି କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବିମାନେ ଚର୍ଚ୍ଚା କରୁଛନ୍ତି । ଜିଲ୍ଳା ପ୍ରଶାସନ ତରଫରୁ ସହରର ବିଭିନ୍ନ ସ୍ଥାନରେ ସଚେତନତା ସୃଷ୍ଟି ସହ କୋଭିଡ-୧୯ ନିୟମ ଉଂଲଘନକାରୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଥିବା ବେଳେ ଜିଲ୍ଳା ପ୍ରଶାସନ ତରଫରୁ ବ୍ୟବସାୟୀ ଓ ଗ୍ରାହକମାନେ ମଧ୍ୟ କୋଭିଡ୍ ମାର୍ଗଦର୍ଶିକା ଉଲଂଘନ କଲେ ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲେ ସୁଦ୍ଧା ନିୟମ କାର୍ଯ୍ୟକାରୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।