ବାଲିଘାଟ ବନ୍ଦ କରିବାକୁ ଗ୍ରାମବାସୀଙ୍କ ଦାବି

ଡିୱାଇଏଫଆଇ ଓ ସିପିଆଇଏମ ପାର୍ଟି ମିଳିତରେ ଦାବିପତ୍ର ପ୍ରଦାନ

ରାୟଗଡ: ବାଲିଘାଟକୁ ଟେଣ୍ଡର ଦେଇ ପ୍ରଶାସନ ରାଜସ୍ୱ ପାଇବାକୁ ଆଶା ବାନ୍ଧି ବସିଛି ଓ ପାଉଛି ମଧ୍ୟ । ତେବେ ବାଲିଘାଟର ନିର୍ଦ୍ଧାରିତ ଅଂଚଳରୁ ବାଲି ନ ଉଠାଇ ବେଆଇନ ଭାବେ ନଦୀ ଭିତରୁ ବାଲି ଉଠାଇ ବିକ୍ରି କରି ଟେଣ୍ଡରଧାରୀମାନେ ବେଶ ମୁନାଫା କମାଉଥିବା ବେଳେ ଏହାର ପରିଣାମ ଭୋଗିବାକୁ ପଡୁଛି ନଦୀ ଅବବାହିକାରେ ରହୁଥିବା ଗ୍ରାମବାସୀମାନଙ୍କୁ । ତେଣୁ ସମସ୍ୟାର ସମାଧାନ କ୍ଷେତ୍ରରେ ପ୍ରଶାସନ ଆଖି ବୁଜି ଦେଇଥିବାରୁ ପୁଣି ଥରେ ଚେତାଇବାକୁ ଦାବିପତ୍ର ପ୍ରଦାନ କରି ନିଜ ଦାବିକୁ ପୂରଣ କରିବାକୁ ଦାବି ଜଣାଇଛନ୍ତି ଗ୍ରାମବାସୀ । ଗୁରୁବାର ଦିନ ରାୟଗଡ ଜିଲ୍ଳା ଶାଖା ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ୍ (ଡିୱାଇଏଫଆଇ) ଓ ସିପିଆଇଏମ୍ ପାର୍ଟିର ସଭାପତି ଦୋରା କଣ୍ଡାଗରୀଙ୍କ ନେତୃତ୍ୱରେ କେରଡା ବାଲିଘାଟ ଯୋଗୁଁ ପ୍ରଭାବିତ ହେଉଥିବା ଗ୍ରାମ ଓ ଆଖପାଖ ଅଂଚଳର ଯୁବକମାନେ କେରଡା ବାଲିଘାଟକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନେଇ ରାୟଗଡ ତହସିଲ କାର୍ଯ୍ୟାଳୟରେ ପଂହଚି ତହସିଲଦାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ରାୟଗଡ ତହସିଲ ଅଧିନରେ ଦିନକୁ ଦିନ ଘର, କୋଠାବାଡି ଆଦି ନିର୍ମାଣ ବୃଦ୍ଧି ପାଉଥିବା ବେଳେ ଚିରସ୍ରୋତା ନାଗାବଳୀ ନଦୀର କେରଡା ବାଲିଘାଟର ବାଲି ଆନ୍ଧ୍ରକୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରାଯାଉଛି । ଅପରପକ୍ଷେ ବାଲିଘାଟରେ ପର୍ଯ୍ୟାପ୍ତ ପରିମାଣର ବାଲି ଥିଲେ ସୁଦ୍ଧା ବେଳେ ସ୍ଥାନୀୟ ଅଂଚଳରେ ଗୋଟିଏ ଟ୍ରାକ୍ଟର ଲୋଡ ପିଛା ୬୦୦ଟଙ୍କା ଏବଂ ଅତ୍ୟାବଶକୀୟ ବେଳେ ଏହାକୁ ଚଢା ମୂଲ୍ୟରେ ୧ହଜାରରୁ ଦେଢ ହଜାର ପର୍ଯ୍ୟନ୍ତ ସ୍ଥାନୀୟ ଲୋକଙ୍କୁ ବିକ୍ରି କରାଯାଉଛି ବୋଲି ଅଭିଯୋଗ ଦାବିପତ୍ରରେ ଉଲ୍ଳେଖ ରହିଛି । ସେହିପରି ଟେଣ୍ଡରଧାରୀମାନେ ଗୋଟିଏ ଟ୍ରକ ଲୋଡ ପିଛା ୨୦ହଜାର ଟଙ୍କାରେ ବାଲି ବିକ୍ରି କରି ମାସକୁ ଲକ୍ଷାଧିକ ଟଙ୍କାର ମୁନାଫା କମାଇ ନିଜ ପକେଟ ଗରମ କରୁଥିବା ବେଳେ କମ ରାଜସ୍ୱ ପାଇ ପ୍ରଶାସନ ଚୁପ ହୋଇ ବସି ରହୁଥିବାରୁ ଓଡିଶାର ବାଲି ଆନ୍ଧ୍ରକୁ ବିକ୍ରି କରିବା ବନ୍ଦ କରାଯାଉ ବୋଲି ଦାବି ହୋଇଛି । ଜିଲ୍ଳା ପ୍ରଶାସନ ନିଜେ ବାଲିଘାଟରେ ସିସି କ୍ୟାମେରା ବ୍ୟବସ୍ଥା କରି ଗୋଟିଏ ଲୋଡ ପିଛା ଆନ୍ଧ୍ରକୁ ସେହି ୨୦ହଜାର ଟଙ୍କାରେ ବିକ୍ରି କରନ୍ତୁ ଓ ସ୍ଥାନୀୟ ଅଂଚଳର ବେରୋଜଗାର ପିଲାଙ୍କୁ ରୋଜଗାରକ୍ଷମ କରାନ୍ତୁ । ବାଲିଘାଟ ଅଂଚଳ ପରିବର୍ତେ ଟେଣ୍ଡରଧାରୀ ଜେସିବି ମେସିନ ଲଗାଇ ନଦୀ ଗର୍ଭରୁ ବାଲି ଉଠାଣ କରୁଥିବାରୁ ଏହି ବେଆଇନ କାମକୁ ବନ୍ଦ କରିବା ସହ ବୃବହୃତ ମେସିନ ଜବତ କରି ବାଲିଘାଟ ଟେଣ୍ଡରକୁ ରଦ୍ଧ କରିବା ପାଇଁ ଗ୍ରାମବାସୀ ଦାବି କରିବା ସଂପର୍କରେ ଦାବିପତ୍ରରେ ଉଲ୍ଳେଖ କରିଛନ୍ତି ।

ସେହିପରି ନଦୀ ମଝିରୁ ତଥା ବାଲିଘାଟର ଅନ୍ୟ ସ୍ଥାନରୁ ବାଲି ଉଠାଣ ଦ୍ୱାରା ନଦୀଗର୍ଭ ଗଭୀର ହେବା ସହ ନଦୀ ଓସାରିଆ ହୋଇ କୂଳ ଲଂଘୁଛି । ଫଳରେ ଅନେକ ସମୟରେ ନଦୀକୁ ଗାଧୋଇବାକୁ ଯାଉଥିବା ପିଲାମାନେ ତଥା ଗୃହପାଳିତ ପଶୁମାନେ ଗଭୀର ଗାତରେ ପଡି ଅସୁବିଧାରେ ପଡୁଛନ୍ତି । ବିଶେଷ କରି ବାଲିଘାଟରେ ଦିନରାତି ବାଲି ଉଠାଣ କାମ ଜାରି ରହିଥିବାରୁ ନଦୀକୁ ଗାଧୋଇବାକୁ ଯାଉଥିବା ମହିଳାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେଣୁ ଏହି କେରଡା ବାଲିଘାଟକୁ ବନ୍ଦ କରାଗଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ଦାବିପତ୍ରରେ ଉଲ୍ଳେଖ କରାଯାଇଛି । ଆଗାମୀ ସପ୍ତାହକ ମଧ୍ୟରେ କୈାଣସି ପଦକ୍ଷେପ ଗ୍ରହଣ କରା ନ ଗଲେ ଡିୱାଇଏଫଆଇ ଓ ସିପିଆଇଏ ପାର୍ଟି ଏବଂ କେରଡା ଗ୍ରାମ ପଂଚାୟତବାସୀ ରାଜରାସ୍ତାକୁ ଓହ୍ଳାଇ ଆନ୍ଦୋଳନ କରିବେ ବୋଲି ଉଲ୍ଳେଖ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.