ରାୟଗଡ: ୩ମହଲା ଉପରୁ ତଳେ ପଡି ଜଣେ ଓଏସଏପି ତୃତୀୟ ବାଟାଲିୟନ ଯବାନଙ୍କ ମୃତ୍ୟୁ ଘଟିଛି । ମୃତକ ଯବାନ ଜଣଙ୍କ ହେଲେ ଯୋଗେଶ କୁୁମାର ଦାସ (୨୭) । ତାଙ୍କୁ ଗୁରୁତର ଅବସ୍ଥାରେ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଡାକ୍ତର ଟିମ୍ ଶବ ବ୍ୟବେଚ୍ଛଦ କରିବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ଚାନ୍ଦିଲି ଥାନା ଅଧିକାରୀ ନୀଳାମ୍ବର ଜାନି ସୂଚନା ଦେଇଛନ୍ତି । ଏ ନେଇ ମିଳିଥିବା ସୂଚନା ପ୍ରକାରେ ଚାନ୍ଦିଲି ଥାନା ଅନ୍ତର୍ଗତ ରାୟଗଡ ରିର୍ଜବ ପୋଲିସ କାର୍ଯ୍ୟାଳୟ ପରିସରରେ ଥିବା ଏକ ୩ମହଲା କୋଠାଘରେ କୋରାପୁଟର ଓଏସଏପି ତୃତୀୟ ବାଟାଲିୟନର ଯବାନମାନେ ରହି ନିଜ ଡ୍ୟିୁଟି କରି ଆସୁଥିଲେ । ଗତ ସୋମବାର ରାତ୍ର ପାଖାପାଖି ୯ଟା ସମୟରେ ନିଜ ରହୁଥିବା ୨୧ ନମ୍ବର ରୁମର ସମ୍ମୁଖରେ ଥିବା ଏକ କାନ୍ଥ ଉପରେ ଯବାନ ଯୋଗେଶ ବସି ରୁଟି ଖାଉଥିବା ସମୟରେ ଅସାବଧାନତା ଯୋଗୁଁ ଭାରସାମ୍ୟ ହରାଇ ୩ ମହଲା ଉପରୁ ତଳେ ପଡି ଯାଇଥିଲେ । ଘଟଣାସ୍ଥଳରେ ଜୋରରେ ଶଦ୍ଦ ହେବାରୁ କୋଠାରେ ଥିବା ଅନ୍ୟ ଯବାନମାନେ ଯୋଗେଶକୁ ଗୁରୁତର ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ ଏବଂ ତୁରନ୍ତ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ମୃତକଙ୍କ ଘର ନବରଙ୍ଗପୁର ଜିଲ୍ଳା ତେନ୍ତୁଳିଖୁଂଟି ବୋଲି ଜଣାପଡିଛି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in