ରାଜସ୍ୱ ଉପଖଣ୍ଡ ମାନ୍ୟତା ଉଦ୍ଦେଶ୍ୟରେ ଆଦିବାସୀ ସଂଗ୍ରାମ ମଂଚର ଶୋଭାଯାତ୍ରା ଓ ଦାବୀପତ୍ର
କଳାହାଣ୍ଡି (ହେମନ୍ତ ସାହୁ): ପୁଣି ତେଜିଲା ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀ । ଆଜି ରାଜସ୍ୱ ଉପଖଣ୍ଡ ମାନ୍ୟତା ଉଦ୍ଦେଶ୍ୟରେ ଆଦିବାସୀ ସଂଗ୍ରାମ ମଂଚ ତରଫରୁ ଏକ ଶୋଭାଯାତ୍ରା କୋଭିଡ଼ ନିୟମକୁ ଅନୁସରଣ ପୂର୍ବକ ଅନୁଷ୍ଠିତ ହେଇଯାଇଛି । ସ୍ଥାନୀୟ ଜେନାବୁଢାମନ୍ଦିରରୁ ଉକ୍ତ ଶେଭାଯାତ୍ରା ରାଜସ୍ୱ ଉପଖଣ୍ଡର ମାନ୍ୟତା ର ସ୍ଲୋଗାନ ସହିତ ତହସିଲ କାର୍ଯ୍ୟାଳୟରେ ପହଂଚି ଓଡ଼ିଶାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବାଦୀପତ୍ର ପ୍ରଦାନ କରାଯାଇଥିଲା । ଆଦିବାସୀ ସଂଗ୍ରାମ ମଂଚର ସଭାପତି ପ୍ରକାଶ ମାଝୀ, ସଂପାଦକ ଦ୍ରୋଣାଚାର୍ଯ୍ୟ ମାଝୀ, ଅଖିଳଭାରତୀୟ ଗୌଣ୍ଡୱାନା ଗୌଣ୍ଡ ଆୟୋଜନ ସମିତିର ସଭାପତି ପଦ୍ମନ ପାତ୍ର, ସଂପାଦକ ଲକ୍ଷ୍ମଣ ଧରୁଆ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ବାହାରିଥିଲା । ଏଥି ସହିତ ଏହି କାର୍ଯ୍ୟକ୍ରମରେ ମ.ରାମପୁର ବ୍ଲକ ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡା, ମ.ରାମପୁର ସରପଂଚ ଚିତ୍ତରଂଜନ ବାଗ, ପୂର୍ବତନ ସରପଂଚ ତଥା ମ.ରାମପୁର ବ୍ଲକ କଂଗ୍ରେସ ସଭାପତି ବିଭୂତି ଭୂଷଣ ମହାଖୁଡ଼, ଧନସିଂ ମାଝୀ, ଚମରା ବଗର୍ତ୍ତୀ, ପ୍ରଭାକର ନାଗ, ମ.ରାମପୁର ବିଜେପି ମଣ୍ଡଳ ସଭାପତି ପ୍ରତାପ ଚନ୍ଦ୍ର ରଣା, ଖୁସିରାମ ସାହୁ, ବିଜେଡ଼ି ପୂର୍ବତନ ବ୍ଲକ ସଭାପତି ଶରତ ଚନ୍ଦ୍ର ପୁଝାରୀ, ସମାଜସେବୀ ପ୍ରେମସାଗର ନାଏକ, ଆଇନଜୀବି ସତ୍ୟଜିତ ଚାଟାର୍ଜୀ, ଲଳିତ କୁମାର ମହାଲିକ, ନାରାୟଣ ଅଗ୍ରୱାଲଙ୍କ ସମେତ ବିଭିନ୍ନ ଅଂଚଳରୁ ବୁଦ୍ଧିଜୀବିମାନେ ଯୋଗଦେଇଥିଲେ । ରାଜ୍ୟପାଳ ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ମ.ରାମପୁର ତହସିଲଦାର ସୟଦ ଇସାକ ମଦିନାଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାରେ ଏବେ ଦୁଇଟି ରାଜସ୍ୱ ଉପଖଣ୍ଡ ରହିଥିବାବେଳେ ମ.ରାମପୁରରେ ତୃତୀୟ ରାଜସ୍ୱ ଉପଖଣ୍ଡର ସମସ୍ତ ଯୋଗ୍ୟତା ରହିଛି । ମ.ରାମପୁର ରାଜସ୍ୱ ଉପଖଣ୍ଡ ମାନ୍ୟତାରୁ ବଂଚିତ ହେଉଥିବା ବିଭିନ୍ନ ସମୟରେ ବିଭିନ୍ନ ସଭାସମିତିରେ ଆଲୋଚନା ହେଇଆସୁଛି ।୧୯୯୨ମସିହାରୁ ଦାବୀ ହେଇଆସୁଛି ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପାଇଁ,କିନ୍ତୁ ଏ ଯାଏଁ ଏହି ଦାବୀ ପୂରଣ ହେଇପାରୁନାହିଁ । ମ.ରାମପୁର ବ୍ଲକର ୧୯ଗୋଟି ପଂଚାୟତ, କର୍ଲମୁଣ୍ଡା ବ୍ଲକର ୧୨ ଗୋଟି ପଂଚାୟତ,ସନର୍ଲା ବ୍ଲକ ର ୨୬ଗାଟି ପଂଚାୟତ ଏବଂ କେସିଙ୍ଗା ବ୍ଲକର ୯ଗୋଟି ପଂଚାୟତକୁ ନେଇ ନର୍ଲା ନିର୍ବାଚନ ମଣ୍ଡଳୀ ଗଠିତ ହେଇଥିବାବେଳେ ଏହାର ଲୋକସଂଖ୍ୟା ଏବେ ପ୍ରାୟ ଦୁଇ ଲକ୍ଷ ଚାଳିଶ ହଜାରରୁ ଅଧିକ । ତେବେ ଏହି ଅଂଚଳବାସୀଙ୍କ ପାଇଁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରାଜସ୍ୱ ଉପଖଣ୍ଡର ଦୂରତା ଯଦି ଆକଳନ କରାଯାଏ ତେବେ ମ.ରାମପୁର ବ୍ଲକ ଲୁବେନଗଡ଼ ପଂଚାୟତବାସୀଙ୍କ ପାଇଁ ୧୪୦କିଲୋମିଟରରୁ ଉର୍ଦ୍ଧ୍ୱ, କର୍ଲମୁଣ୍ଡା ବ୍ଲକର ତେରେସିଂହା ଅଂଚଳବାସୀଙ୍କ ପାଇଁ ପ୍ରାୟ ୧୦୦ କିଲୋମିଟର,ନର୍ଲା ବ୍ଲକର ସେରଗଡ଼ ପଂଚାୟତବାସୀଙ୍କ ପାଇଁ ପ୍ରାୟ ୫୦କିଲୋମିଟର ତଥା କେସିଙ୍ଗା ବ୍ଲକର ଶେଷ ପଂଚାୟତ ବେଲଖଣ୍ଡବାସୀଙ୍କ ପାଇଁ ୮୫ କିଲୋମିଟର ଦୂର ହେଇଥାଏ ।

ମ.ରାମପୁର ହେଉଛି କର୍ଲାମୁଣ୍ଡା,ନର୍ଲା,କେସିଙ୍ଗା ବ୍ଲକର ୯ଗୋଟି ପଂଚାୟତର ମଧ୍ୟ ଭାଗ ତଥା ମ.ରାମପୁରଠାରେ ବିଭିନ୍ନ ରାଜସ୍ୱ କାର୍ଯ୍ୟାଳୟ ସ୍ଥାପନ ହେଇସାରିଛି । ମ.ରାମପୁର ଅଂଚଳ ଆଦବାସୀ ବହୁଳ ତଥା ବଣପାହାଡ଼ଘେରା ଅଂଚଳ ହେଇଥିବାରୁ ନିଜର କାମ ପଡ଼ିଲେ ଜଣେ ଲୁବେନଗଡ଼ ବାସୀଙ୍କୁ ଭବାନୀପାଟଣା ଗଲେ ସେଠାରେ ଫେରି ମ.ରାମପୁରରେ ରାତି ରହିବାକୁ ପଡ଼ିଥାଏ ନତୁବା ଅନେକ ଶ୍ରମ ସ୍ୱୀକାର କରିବାକୁ ପଡ଼େ । ଅର୍ଥ ହାନୀ ସହିତ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସମସ୍ୟା ଦେଖାଦିଏ । ଏଣୁ ସରକାର ଯଥାସମ୍ଭବ ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପ୍ରଦାନ କଲେ ଏହି ଅଂଚଳବାସୀ ଉପକୃତ ହେଇପାରିବେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ତେଣୁ ଏହି ଦାବୀ ଯଥାଶିଘ୍ର ପୂରଣ କରିବାକୁ ଆଜି ବିଭିନ୍ନ ବର୍ଗର ନେତୃସ୍ଥାନୀୟ ବ୍ୟକ୍ତି ଓ ଅନୁଷ୍ଠାନ ଦାବୀ ଜଣାଇଛନ୍ତି ।






