ଉତ୍ତରପ୍ରଦେଶ ପୀଡିତାଙ୍କୁ ନ୍ୟାୟ ଦାବିରେ ଡ. ବିଆର୍ ଆମ୍ବେଦକର ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଗଣଧାରଣା
ମହିଳା ଓ ଦଳିତଙ୍କ ଉପରେ ଅତ୍ୟାଚାର ବନ୍ଦ ହେଉ
କଳାହାଣ୍ଡି: ସାରା ଦେଶରେ ମହିଳାମାନଙ୍କ ଉପରେ ହିଂସା ଓ ଅତ୍ୟାଚାର ଥମିବାର ନାଁ ନେଉନାହିଁ । ସୃଷ୍ଟି ଆରମ୍ଭରୁ ଆମେ ନାରୀକୁ ଉଚ୍ଚ ଆସନରେ ରଖିଥିବାବେଳେ ଆଜି ଏକବିଂଶ ଶତାବ୍ଦୀରେ ମହିଳା ସୁରକ୍ଷା ଏକ ଚିନ୍ତାଜନକ ବିଷୟ ପାଲଟିଛି । ସେହିପରି ଗଣତନ୍ତ୍ର ରାଷ୍ଟ୍ର ଭାରତବର୍ଷରେ ଡ. ବାବାସାହେବ ଆମ୍ବେଦକରଙ୍କ ଲିଖିତ ସମ୍ବିଧାନ ମହିଳା ଓ ପୁରୁଷଙ୍କୁ ସମାନତାର ଅଧିକାର ଦେଇଥିବାବେଳେ ଦଳିତ ଓ ବହୁଜନଙ୍କୁ ମଧ୍ୟ ଦେଇଛି ସମାନତାର ଅଧିକାର ।
ଏହାସତ୍ତ୍ୱେ ମଣିଷ ମଣିଷ ମଧ୍ୟରେ ବିଭେଦତା, ଜାଣିଆଣ ମନୋଭାବ ତଥା ଅସ୍ପୃଶ୍ୟତା ଦେଶର ଅନେକତ୍ର ରହିଛି । ଏହି ଅସ୍ପୃଶ୍ୟତା ଦେଶ ପାଇଁ ଏବେ ଆତଙ୍କବାଦଠାରୁ ଭୟଙ୍କର ହୋଇଉଠିଛି । ଏପରି ପରିସ୍ଥିତିରେ ଦେଶରେ ଦିନକୁ ଦିନ ମହିଳାମାନଙ୍କ ଉପରେ ଅତ୍ୟାଚାର, ହତ୍ୟା ଓ ବଳାତ୍କାରର ମାତ୍ରା ବୃଦ୍ଧି ପାଇବା ତଥା ଦେଶର କୋଣଅନୁକୋଣରେ ଦଳିତ ଓ ଦଳିତ ମହିଳାମାନଙ୍କ ଉପରେ ଅତ୍ୟାଚାର ବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି କଳାହାଣ୍ଡି ଜିଲ୍ଲାର ଏକ ଅଗ୍ରଣୀ ସାମାଜିକ ସଂଗଠନ ଡ. ବିଆର୍ ଆମ୍ବେଦକର ଫାଉଣ୍ଡେସନ ଟ୍ରଷ୍ଟ ।
ଦିଲ୍ଲୀର ନିର୍ଭୟା କାଣ୍ଡ, ହାଇଦ୍ରାବାଦର ଡାକ୍ତରାଣୀ ହତ୍ୟା ମାମଲା ଭଳି ସାରାଦେଶରେ ହଜାର ହଜାର ମାମଲା ଘଟୁଥିବାବେଳେ ଏଇ ନିକଟରେ ଉତ୍ତରପ୍ରଦେଶର ହାଥରସ ଓ ବଳରାମପୁରଠାରେ ଦୁଇଜଣ ଦଳିତ ଝିଅଙ୍କ ବଳାତ୍କାର ଓ ହତ୍ୟା ଘଟଣାରେ ତୁରନ୍ତ ନ୍ୟାୟ ଦାବି କରି ଟ୍ରଷ୍ଟ ପକ୍ଷରୁ ଆଜି ଭବାନୀପାଟଣାର ଗାନ୍ଧୀଛକଠାରେ ଏକ ଦିବସୀୟ ଗଣଧାରଣା ଦିଆଯାଇଛି ।
ଏହାସହିତ ଦେଶର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇ ପୀଡିତା ପରିବାରର ସୁରକ୍ଷା ସୁନିଶ୍ଚିତ କରିବା, ଉଭୟ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ନଦେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କିମ୍ବା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ପ୍ରଧାନବିଚାରପତିଙ୍କ ଦ୍ୱାରା କରାଇବା,
ସାରା ଦେଶରେ ଦଳିତ ନିର୍ଯାତନା ନିବାରଣ ଆଇନ ଓ ପୋସ୍କୋ ଆଇନକୁ କଡାକଡି ଭାବେ ଲାଗୁ କରିବା, ଦେଶରେ ପ୍ରତିବର୍ଷ ପ୍ରକାଶ ପାଉଥିବା ଜାତୀୟ ଅପରାଧିକ ରେକର୍ଡ ବ୍ୟୁରୋର ରିପୋର୍ଟକୁ ସାର୍ବଜନୀନ କଲାଭଳି ଏହାକୁ ନେଇ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକି ସବିଶେଷ ଚର୍ଚ୍ଚା କରିବା,
ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା କରୁଥିବା ପ୍ରଧାନମନ୍ତ୍ରୀ ନିଜ ମନ୍କୀ ବାତ୍ ରେଡିଓ କାର୍ଯ୍ୟକ୍ରମରେ ଏନେଇ ମୁହଁ ଖୋଲିବା ଆଦି ଦାବି କରିଛି ଟ୍ରଷ୍ଟ । ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ଭବାନୀଶଙ୍କର ନିଆଲଙ୍କ ନେତୃତ୍ୱରେ ଆୟୋଜିତ ଏହି ଗଣଧାରଣାରେ ଆୟୁବ ଅଲ୍ଲୀ ଖାଁ, ଚକ୍ରଧର ସେଠୀ, ନରିସଂହ ନିଆଲ,ଅଶ୍ୱିନୀ ଚନ୍ଦନ, ମହେନ୍ଦ୍ର କରୁଆଁ, ଦାମୋଦର ବାଗ, ନବୀନ କୁମାର କରୁଆଁ, ବିଶ୍ୱାମିତ୍ର କନ୍ଧପାନ, ପ୍ରକାଶ ନାଏକ, ହାତୀରାମ ଦୁର୍ଗା, ନାଦରାଜ ନାଏକ, ସୁଶୀଲ କୁମାର ବାଗ, ଗୋପାଳଦାସ ମହାନନ୍ଦ, ଚରଣସିଂ ନାଏକ, ପ୍ରଦୀପ କୁମାର ଦାସ, ଧବଳେଶ୍ୱର ମହାପାତ୍ର, ମନୀନ୍ଦ୍ର ମହାନ୍ତି, ରମାକାନ୍ତ ଗଉଡ, ସୀତାରାମ ନାୟକ, ମୁକେଶ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ ।
ଏଥିରେ ଜିଲ୍ଲାର ବିଭିନ୍ନ ରାଜନୈତିକ, ସାମାଜିକ ଓ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ସାମିଲ ହୋଇ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରିବା ସହ ହାଥରସ ଓ ବଳରାମପୁରର ପୀଡିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ କୋଭିଡ-୧୯ର ସମସ୍ତ ନିୟମାବଳୀକୁ ଅନୁସରଣ କରାଯାଇଥିଲା ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ରିପୋର୍ଟ OdiaBarta.in
Clickhere to get 24×7 News & Views alerts
https://facebook.com/odiabarta