ଲାଞ୍ଜିଗଡ଼: ଝାଡାରୋଗରେ ୧୩ ଆକ୍ରାନ୍ତ, ୬ ଗୁରୁତର

ମାଳିଯୁବାଙ୍ଗ ପଞ୍ଚାୟତର ଡୁର୍ଲାବୁଣ୍ଡେଲ ଓ ସାକେଶକୁଣ୍ଡରୁ ଗାଁରେ ବ୍ୟାପିଲା ଝାଡାବାନ୍ତି

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମାଳିଯୁବାଙ୍ଗ ପଞ୍ଚାୟତର ଡୁର୍ଲାବୁଣ୍ଡେଲ ଓ ସାକେଶକୁଣ୍ଡରୁ ଗ୍ରାମରେ ଡାଇରିଆ ବ୍ୟାପି ୧୩ ଜଣ ଆକ୍ରାନ୍ତ ଥିବା ବେଳେ ୬ ଜଣ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଡୁର୍ଲାବୁଣ୍ଡେଲ ଗ୍ରାମର ରାମ ମାଝୀ କହିବା ଅନୁସାରେ ଗତ ୧୪ ତାରିଖ ସକାଳେ ନିକଟସ୍ଥ ଗାଁ ସାକେଶକୁଣ୍ଡରୁର କିଛିଲୋକ ଆସି କହିଥିଲେ ଯେ, ଆମ ଗାଁରେ ଅଧିକାଂଶ ଲୋକ ଝାଡାବାନ୍ତିରେ ଗୁରୁତର ହୋଇଛନ୍ତି। ତେଣୁ ଡାକ୍ତରଙ୍କୁ ଟିକେ ଫୋନ କରିଦିଅ।


ଦୁର୍ଗମ ଅଞ୍ଚଳରେ ମୋବାଇଲ ଫୋନ ଲାଗୁନଥିବା ଯୋଗୁଁ ରାମ ଟାୱାର ଆସୁଥିବା ସ୍ଥାନକୁ ଯାଇ ମାଳିଯୁବାଙ୍ଗ ଏଏନ୍ଏମ୍ ପୁଷ୍ପ ଲତାଦେଇଙ୍କୁ ଫୋନ କରିଥିଲେ। ତେବେ ଫୋନ ନ ଲାଗିବା ଯୋଗୁଁ ନିକଟସ୍ଥ ଗାଁ ପାନପଦର ଯାଇ ଭାଇ ଶୁକ୍ରୁ ମାଝୀଙ୍କୁ ଜଣାଇଥିଲେ।


ଶୁକ୍ରୁ ନିଜ ବାଇକରେ ବକାକୁଣ୍ଡରୁ ମେଡ଼ିକାଲ ଯାଇ ଜଣାଇବା ପରେ ଚିତ୍ତରଞ୍ଜନ ନନ୍ଦ, ଡାକ୍ତର ଓମ ପ୍ରକାଶ ପ୍ରଧାନ, ମନୋଜ ପ୍ରହରାଜ ଗ୍ରାମକୁ ଆସି ଡାଇରିଆରେ ଆକ୍ରାନ୍ତ ଥିବା ବିଶି ମାଝୀ(୫୦), ଲାଚିଙ୍ଗ ମାଝୀ(୩୭), ପୁର୍ଣ୍ଣ ମାଝୀ(୪୦), ପୁଙ୍ଗରା ମାଝୀ(୪୧), ରାଜ ଭୋଇ ମାଝୀ(୬୦), ନବୀନ ମାଝୀ(୨୫), ଲଚମି ମାଝୀ(୫), ଉପେନ୍ଦ୍ର ମାଝୀ(୩୫), ଜୟନ୍ତୀ ମାଝୀ(୩), ଡୁଙ୍ଗି ମାଝୀ(୭), କାନ୍ତି ଦେଇ ମାଝୀ(୧୭), ରବି ମାଝୀ(୭ମାସ)ଙ୍କୁ ଗାଁରେ ଚିକିତ୍ସା କଲା ପରେ ଗୁରୁତର ୬ଜଣ ବିଶି ମାଝୀ, ଲାଚିଙ୍ଗା ମାଝୀ, ପୁର୍ଣ୍ଣ ମାଝୀ, ପୁଙ୍ଗରା ମାଝୀ, ରାଜଭୋଇ ମାଝୀ ଓ ନବୀନ ମାଝୀଙ୍କୁ ବକାକୁଣ୍ଡରୁ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗାଁକୁ ରାସ୍ତା ନଥିବା ଯୋଗୁଁ ରୋଗୀମାନେ ୧ କିମି ଖଟିଆରେ ବୁହାହୋଇ ଆସିବାପରେ ଆମ୍ବୁଲାନ୍ସରେ ବକାକୁଣ୍ଡରୁ ମେଡିକାଲକୁ ଆସିଥିଲେ।


ଏମାନଙ୍କ ମଧ୍ୟରୁ ବିଶି ମାଝୀ, ଲୋଚନ ମାଝୀ ଓ ପୁର୍ଣ୍ଣ ମାଝୀଙ୍କ ଅବସ୍ଥା ଗୁରୁତର ଯୋଗୁଁ ପୁଣି ବିଶ୍ୱନାଥପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।ଏହାପରେ ପୁଣି ୧୫ ତାରିଖ ଦିନ ଏନଏମ୍ ପୁଷ୍ପ ଲତାଦେଇ ଓ ବକାକୁଣ୍ଡରୁ ମେଡିକାଲ ଟିମ୍ ଗାଁକୁ ଯାଇ ପୂର୍ବରୁ ଜ୍ବର ହେଉଥିବା ପୁଲମଟି ମାଝୀ, ରୁପା ମାଝୀ, ନର ମାଝୀ ରାଜୁ ମାଝୀ, ସବିତା ମାଝୀ, ସାନମାଳି ମାଝୀ ଓ ଝାଡ଼ରେ ଆକ୍ରାନ୍ତ ଥିବା ସୁକାନ୍ତି ମାଝୀଙ୍କ ଚିକିତ୍ସା କରିଥିଲେ।


ପରିତାପର ବିଷୟ ଆଜି ପର୍ଯ୍ୟନ୍ତ ଗାଁରେ ପାନୀୟ ଜଳର ବ୍ୟବସ୍ଥା ହୋଇପାରିନାହିଁ। ତେଣୁ ଗ୍ରାମବାସୀ ନିକଟସ୍ଥ ସିତଲା ଝରଣର ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରିଥାନ୍ତି। ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମବାସୀ ୨ବର୍ଷ ତଳେ ଜିଲ୍ଲା ଜଳ ଯୋଗାଣ ବିଭାଗକୁ ଜଣାଇବା ପରେ ଗତ ଏପ୍ରିଲ ମାସରେ ବ୍ଲକରୁ ଜଳଯୋଗାଣ ଦାଇତ୍ୱରେ ଥିବା ଯନ୍ତ୍ରୀ ଦଶମନ୍ତ ମାଝୀ ଓ ମାଳିଯୁବାଙ୍ଗ ପଞ୍ଚାୟତ ଦାଇତ୍ୱରେ ଥିବା ଯନ୍ତ୍ରୀ ରଞ୍ଜନ କୁମାର ଦାସ ଗାଁକୁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନ ଥିବା ଗାଁ ଲୋକେ କହିଛନ୍ତି।


ଗୁରୁବାର ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ, ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ଜୟରାମ ତାଣ୍ଡି ଝାଡା ବାନ୍ତିରେ ଆକ୍ରାନ୍ତ ଥିବା ୨ ଗୋଟି ଗାଁକୁ ଯାଇ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ କଦଳୀ, ବ୍ରେଡ଼ ଆଦି ବଣ୍ଟନ କରିଥିଲେ।


ପରେ ବକାକୁଣ୍ଡରୁ ମେଡ଼ିକାଲ ଯାଇ ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କୁ ରୋଗୀମାନଙ୍କୁ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ବର୍ତ୍ତମାନ ମଧ୍ୟ ୨ ଟି ଗ୍ରାମର ଲୋକଙ୍କ ଅବସ୍ଥା ଦେଖି ୩ ଦିନ ପର୍ଯ୍ୟନ୍ତ ଗାଁରେ କ୍ୟାମ୍ପ କରାଯିବ ବୋଲି ବ୍ଲକ ଅଧ୍ୟକ୍ଷ ଇଂ. ମାଝୀ ପ୍ରତିଶ୍ରୁତି ଦେଇଥିବା ଗାଁଲୋକେ ପ୍ରକାଶ କରିଛନ୍ତି।


ଏନେଇ ବକାକୁଣ୍ଡରୁ ମେଡିକାଲର ଡାକ୍ତର ଓମ ପ୍ରକାଶ ପ୍ରଧାନଙ୍କୁ ପଚାରିବାରୁ ବର୍ତ୍ତମାନ ୨ ଗୋଟି ଗ୍ରାମର ଲୋକଙ୍କ ସ୍ୱାସ୍ଥବସ୍ଥା ଠିକ୍ ଅଛି। ଆମ ମେଡିକାଲରେ ଜଣେ ଅଛନ୍ତି। ଅନ୍ୟମାନେ ଭଲ ହୋଇ ଗାଁକୁ ଗଲେଣି। ଆମ ମେଡ଼ିକାଲ ଟିମ୍ ପ୍ରତିଦିନ ଗାଁକୁ ଯାଇ ରୋଗୀଙ୍କ ଉପରେ ନଜର ରଖିଛୁ ବୋଲି ପ୍ରକାଶ କରିଛନ୍ତି।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.