ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୭୫ ଟଙ୍କିଆ ସ୍ମାରକ ମୁଦ୍ରା ଉନ୍ମୋଚିତ


ଖାଦ୍ୟ ଓ କୃଷି ସଂଗଠନ (ଏଫ୍‌ଏଓ)ର ୭୫ତମ ପ୍ରତିଷ୍ଠା ଦିବସ

ଭାରତରେ ସଂସ୍କାରବାଦୀ କାର୍ଯ୍ୟକ୍ରମ ବିଶ୍ୱ ଖାଦ୍ୟ ନିରାପତ୍ତା ପ୍ରତି ଅଙ୍ଗୀକାରବଦ୍ଧତାକୁ ପ୍ରଦର୍ଶିତ କରୁଛିପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଖାଦ୍ୟ ଓ କୃଷି ସଂଗଠନ (ଏଫ୍‌ଏଓ)ର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ୭୫ ଟଙ୍କିଆ ସ୍ମାରକ ମୁଦ୍ରା ଉନ୍ମୋଚନ କରିଛନ୍ତି । ଏହାଛଡା ଏହି ଅବସରରେ ସେ ନିକଟରେ ବିକଶିତ ୧୭ କିସମର ଜୈବ ସମୃଦ୍ଧ (ବାୟୋଫର୍ଟିଫାୟାଡ) ଫସଲର ବିହନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ବିଶ୍ୱବ୍ୟାପୀ ପୁଷ୍ଟିହୀନତା ଦୂର କରିବା କାର୍ଯ୍ୟରେ ନିରନ୍ତର ନିୟୋଜିତ ଥିବା ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ଆମର କିଷାନ ସାଥୀ, ଆମ ଅନ୍ନଦାତା, ଆମ କୃଷି ବୈଜ୍ଞାନିକ, ଆମ ଅଙ୍ଗନବାଡି ଆଶାକର୍ମୀ ଦେଶରେ କୁପୋଷଣ ଓ ପୁଷ୍ଟିହୀନତା ବିରୋଧରେ ଚାଲିଥିବା ଆନ୍ଦୋଳନର ଭିତ୍ତି ପାଲଟିଛନ୍ତି । ସେମାନେ ନିଜର କଠୋର ପରିଶ୍ରମ ବଳରେ ଭାରତର ଶସ୍ୟ ଭଣ୍ଡାରକୁ ପୂରଣ କରିବା ସହିତ ଦରିଦ୍ରରୁ ଦରିଦ୍ରତମ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସରକାରଙ୍କୁ ସାହାଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହିସବୁ ଉଦ୍ୟମ ଫଳରେ କରୋନା ମହାମାରୀ ସମୟରେ ମଧ୍ୟ ଭାରତ କୁପୋଷଣ ବିରୋଧରେ ଶକ୍ତିଶାଳୀ ଲଢେଇ ଲଢୁଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଗତ ବର୍ଷଗୁଡିକରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତ ସମେତ ସାରା ପୃଥିବୀରେ କୃଷି ଉତ୍ପାଦନ ବୃଦ୍ଧି ଏବଂ କ୍ଷୁଧା ଦୂରୀକରଣରେ ବଡ଼ ଭୂମିକା ନିର୍ବାହ କରିଛି । ଏହାର କାର୍ଯ୍ୟ ପୁଷ୍ଟିସାଧନ ବୃଦ୍ଧିରେ ବିଶେଷ ସହାୟକ ହୋଇଥିବାବେଳେ ଏହି ସଂଗଠନର ସେବାକୁ ୧୩୦ କୋଟିରୁ ଅଧିକ ଭାରତୀୟ ସମ୍ମାନ କରନ୍ତି । ସେ କହିଛନ୍ତି ଚଳିତବର୍ଷ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ନୋବେଲ ଶାନ୍ତି ପୁରସ୍କାର ମିଳିଛି ଏବଂ ଏହା ଏଫ୍‌ଏଓର ଏକ ବୃହତ୍‌ ସଫଳତା । ସେ କହିଛନ୍ତି ଏହି ସଂଗଠନ ସହ ଭାରତର ସଂପର୍କ ଐତିହାସିକ ଏବଂ ଅଂଶୀଦାରୀ ଭିତ୍ତିରେ ଏହାସହ କାମ କରି ଭାରତ ଖୁସୀ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡ. ବିନୟରଂଜନ ସେନଙ୍କ ନେତୃତ୍ୱରେ ଏଫ୍‌ଏଓ ଅଧୀନରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସେତେବେଳେ ସେ ଏହି ସଂଗଠନର ମହାନିର୍ଦେଶକ ଥିଲେ । ଡ. ସେନ ଦୁର୍ଭିକ୍ଷ ପ୍ରପୀଡିତ ଲୋକଙ୍କ ଦୁଃଖଦୁର୍ଦ୍ଦଶା ଓ କ୍ଷୁଧାର ଜ୍ୱଳା ଅତି ନିକଟରୁ ଅନୁଭବ କରିଥିଲେ । ବିଶ୍ୱରେ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମରେ ତାଙ୍କ ଅବଦାନ ଲୋକେ ଏବେ ମଧ୍ୟ ମନେ ରଖିଛନ୍ତି । ବିଗତ ଦଶନ୍ଧିଗୁଡିକରେ କୁପୋଷଣ ବିରୋଧରେ ଭାରତର ଲଢେଇକୁ ସେ ଅତି ନିକଟରୁ ଅନୁଧ୍ୟାନ କରୁଥିଲେ । ସେତେବେଳେ ଏ କ୍ଷେତ୍ରରେ ଯଥେଷ୍ଟ ପ୍ରତିବନ୍ଧକ ରହିଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅଳ୍ପ ବୟସରେ ଗର୍ଭବତୀ ହେବା ଶିକ୍ଷା ଓ ସୂଚାନର ଅଭାବ, ଆବଶ୍ୟକତା ଅନୁସାରେ ପାନୀୟ ଜଳ ନ ମିଳିବା, ପରିଚ୍ଛନ୍ନତାର ଅଭାବ ଆଦି କାରଣ ଯୋଗୁଁ ଭାରତକୁ କୁପୋଷଣ ବିରୋଧୀ ଲଢେଇରେ ଆଶାଜନକ ସଫଳତା ମିଳୁନଥିଲା ।

ସେ କହିଛନ୍ତି ଯେ ଦୀର୍ଘବର୍ଷର ଅଭିଜ୍ଞତାକୁ ପୁଞ୍ଜିକରି ୨୦୧୪ରେ ଦେଶରେ ସାନି ଉଦ୍ୟମ ଆରମ୍ଭ ହୋଇଥିଲା । ଏ କ୍ଷେତ୍ରରେ ସରକାର ସମନ୍ୱିତ ଓ ସାମଗ୍ରିକ ଆଭିମୁଖ୍ୟ ନେଇ କୁପୋଷଣ ବିରୋଧରେ ବହୁପାକ୍ଷିକ ରଣନୀତି ଆପଣାଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ପୋଷଣ ଅଭିଯାନ, ଶୌଚାଳୟ ନିର୍ମାଣ, ସ୍ୱଚ୍ଛଭାରତ ଅଭିଯାନ, ମିଶନ ଇନ୍ଦ୍ରଧନୁ, ଜଳଜୀବନ ମିଶନ, ସ୍ୱଳ୍ପ ମୂଲ୍ୟରେ ସାନିଟାରି ପ୍ୟାଡ ଯୋଗାଣ ଭଳି ବହୁମୁଖୀ ପଦକ୍ଷେପ ମିଳିତଭାବେ କାର୍ଯ୍ୟକାରୀ କରି କୁପୋଷଣ ଓ ସ୍ୱାସ୍ଥ୍ୟଗତ ସମସ୍ୟାର ମୁକାବିଲା କରାଯାଇଥିଲା । ଏହିସବୁ କାର୍ଯ୍ୟର ସୁଫଳ ମିଳିଛି ଏବଂ ସେ ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ ସ୍କୁଲରେ ଝିଅ ପିଲାମାନଙ୍କ ନାମଲେଖା ହାର ବଢିଛି ଓ ସେମାନେ ପୁଅମାନଙ୍କ ତୁଳନାରେ ଅଧିକ ସଂଖ୍ୟାରେ ନାମ ଲେଖାଉଛନ୍ତି । କୁପୋଷଣ ଦୂର କରିବା ପାଇଁ ମୋଟାଶସ୍ୟ ଉତ୍ପାଦନକୁ ପ୍ରୋତ୍ସାହିତ କରାଯାଉଛି । ପ୍ରୋଟିନ, ଆଇରନ ଓ ଜିଙ୍କ୍‌ ଆଦି ଖାଦ୍ୟପ୍ରାଣ ଅଧିକ ଥିବା ଫସଲ ଚାଷକୁ ଗୁରୁତ୍ୱ ଦିଆଯାଉଛି ।

୨୦୨୩କୁ ଆନ୍ତର୍ଜାତିକ ମିଲେଟ (ବାଜରା ଓ ଜୱାର ଆଦି ଶସ୍ୟ) ବର୍ଷଭାବେ ଘୋଷଣା କରିବା ପାଇଁ ଭାରତ ଯେଉଁ ପ୍ରସ୍ତାବ ଦେଇଛି ଏଫ୍‌ଏଓ ତାହାକୁ ପୂର୍ଣ୍ଣ ସମର୍ଥନ କରିଥିବାରୁ ପ୍ରଧାନମନ୍ତ୍ରୀ ଏଥିପାଇଁ ଏହି ସଂଗଠନକୁ ଧନ୍ୟବାଦ ଜଣାଇଛନ୍ତି । ଏହାଦ୍ୱାରା ପୁଷ୍ଟିକର ଖାଦ୍ୟ ଖାଇବାକୁ ଲୋକେ ଉତ୍ସାହିତ ହେବେ ଏବଂ ଏସବୁ ଖାଦ୍ୟଶସ୍ୟର ଉତ୍ପାଦନ ଓ ଉପଲବ୍‌ଧତା ବଢିବ । ଏହା ଫଳରେ କ୍ଷୁଦ୍ର ଚାଷୀମାନେ ଉପକୃତ ହୋଇପାରିବେ । ସେ କହିଛନ୍ତି ଯେ କ୍ଷୁଦ୍ର ଓ ମଧ୍ୟମ ଚାଷୀମାନେ ନିଜ ନିଜ ଖେତରେ ମୁଖ୍ୟତଃ ପାଣି ଅଭାବରୁ ମୋଟାଶସ୍ୟ ଚାଷ କରନ୍ତି । ଏହି ଫସଲ ଚାଷ ପାଇଁ ଜମି ମଧ୍ୟ ବିଶେଷ ଉର୍ବର ହେବା ଦରକାର ନାହିଁ । ଏହି ପ୍ରକାର ମୋଟାଶସ୍ୟର ବ୍ୟବହାର ବଢିଲେ କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ଉପକୃତ ହେବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ କେତେକ ପ୍ରକାର ସାଧାରଣ କିସମର ଶସ୍ୟରେ ମାଇକ୍ରୋ ନ୍ୟୁଟ୍ରେସନ ବା କ୍ଷୁଦ୍ର ପୋଷକ ତତ୍ତ୍ୱର ଅଭାବ ଥାଏ । ସେହି ଅଭାବକୁ ଦୂର କରିବା ପାଇଁ ବାୟୋଫର୍ଟିଫାୟାଡ ବା ଜୈବ ସମୃଦ୍ଧ କିସମର ଫସଲ ବିକଶିତ କରାଯାଇଛି । ଆଜି ଏଭଳି ୧୭ ପ୍ରକାରର ବାୟୋଫର୍ଟିଫାୟାଡ ଫସଲର ବିହନ ଚାଷୀଙ୍କ ପାଇଁ ଉପଲବ୍‌ଧ ହୋଇଛି । ଏସବୁ ମୁଖ୍ୟତଃ ସ୍ଥାନୀୟ ଓ ପାରମ୍ପରିକ ଶସ୍ୟ । ଏଥିରେ ଉଭୟ ଗହମ ଏବଂ ଧାନ ମଧ୍ୟ ରହିଛି । ଏହି ଜୈବ ସମୃଦ୍ଧ ଫସଲ ଅଧିକରୁ ଅଧିକ ପରିମାଣରେ ଚାଷ ହେଲେ ଭାରତରେ ପୋଷଣ ଆନ୍ଦୋଳନ ଅଧିକ ଦୃଢୀଭୂତ ହେବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ଭାରତରେ ଅନାହାର ଓ କୁପୋଷଣ ନେଇ ବିଶ୍ୱର ଖାଦ୍ୟ ବିଶେଷଜ୍ଞମାନେ ଆଶଙ୍କା ଓ ଉଦ୍‌ବେଗ ପ୍ରକାଶ କରିଛନ୍ତି । ସେମାନଙ୍କର ଏହି ଉଦ୍‌ବେଗ ଭିତରେ ଭାରତ ଗତ ୭-୮ ମାସ ମଧ୍ୟରେ ଦେଶର ୮୦ କୋଟି ଗରିବ ଲୋକଙ୍କୁ ଖାଦ୍ୟଶସ୍ୟ ମାଗଣାରେ ଯୋଗାଇ ଦେଇଛି । ଅନାହାର ଓ କୁପୋଷଣକୁ ଦୂର କରିବା ପାଇଁ ସ୍ୱତନ୍ତ୍ରଭାବେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସେ ଆହୁରି କହିଛନ୍ତି ଲୋକଙ୍କ ରାସନ ସାମଗ୍ରୀରେ ଚାଉଳ କିମ୍ବା ଗହମ ସହିତ ଡାଲିକୁ ସଂପୃକ୍ତ କରିବା ପାଇଁ ସ୍ୱତନ୍ତ୍ର ପ୍ରଯତ୍ନ କରାଯାଇଛି । ଭାରତ ଖାଦ୍ୟ ନିରାପତ୍ତା ପାଇଁ ଅଙ୍ଗୀକୃତ ହୋଇଥିବାରୁ ଏହିସବୁ ପଦକ୍ଷେପ ଗ୍ରହଣ କରିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ୨୦୧୪ ପର୍ଯ୍ୟନ୍ତ ଖାଦ୍ୟ ନିରାପତ୍ତା ଆଇନ ଦେଶର ମାତ୍ର ୧୧ଟି ରାଜ୍ୟରେ କାର୍ଯ୍ୟକାରୀ ହେଉଥିଲା । ଏହା ପରେ ଏହି ଆଇନ ସମଗ୍ର ଦେଶରେ ସଫଳତାର ସହ କାର୍ଯ୍ୟକାରୀ ହୋଇଛି । ସେ କହିଛନ୍ତି ଯେ ସମଗ୍ର ବିଶ୍ୱ ଏବେ କରୋନା ପାଇଁ ସଂଘର୍ଷରତ ଥିବାବେଳେ ଭାରତୀୟ କୃଷକମାନେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ କରିବାରେ ସମର୍ଥ ହୋଇଛନ୍ତି । ସେହିଭଳି ସରକାର ମଧ୍ୟ ଚାଷୀଙ୍କଠାରୁ ଗହମ, ଧାନ ଓ ଡାଲି ଆଦି ସଂଗ୍ରହ କରିବାରେ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ସେ କହିଛନ୍ତି ଭାରତରେ ନିରନ୍ତରଭାବେ ସଂସ୍କାର ପ୍ରକ୍ରିୟା କାର୍ଯ୍ୟକାରୀ ହେଉଛି ଏବଂ ଏହା ବିଶ୍ୱ ଖାଦ୍ୟ ନିରାପତ୍ତା ଦିଗରେ ଦେଶର ଅଙ୍ଗୀକାରକୁ ପ୍ରଦର୍ଶନ କରୁଛି । କୃଷକମାନଙ୍କ ଆୟ ବୃଦ୍ଧି ପାଇଁ ସରକାର ଗ୍ରହଣ କରିଥିବା ବିଭିନ୍ନ କୃଷି ସଂସ୍କାର ସଂପର୍କରେ ସେ ଏକ ତାଲିକା ପ୍ରଦାନ କରିଥିଲେ । ସେ କହିଥିଲେ ଯେ ଏପିଏମ୍‌ସି ଆଇନରେ ଅଣାଯାଇଥିବା ସଂଶୋଧନର ଲକ୍ଷ୍ୟ ହେଲା ଏହାକୁ ଅଧିକ ପ୍ରତିଯୋଗିତମୂଳକ ଓ ଦକ୍ଷ କରିବା । ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନବେଳେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଉପରେ ଖର୍ଚ୍ଚର ଦେଢଗୁଣା ଅଧିକ ଅର୍ଥ ଯେପରି ପାଆନ୍ତି ତାହାକୁ ନିଶ୍ଚିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଦେଶର ଖାଦ୍ୟ ନିରାପତ୍ତା ବ୍ୟବସ୍ଥାକୁ ସୁରକ୍ଷିତ କରିବାରେ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସ୍‌ପି ତଥା ସରକାରୀ ଖାଦ୍ୟଶସ୍ୟ ସଂଗ୍ରହ ବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଛି । ତେଣୁ ଏହି ବ୍ୟବସ୍ଥା ଦ୍ୱୟ ସ୍ୱଭାବିକଭାବେ ବଳବତ୍ତର ରହିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କ୍ଷୁଦ୍ର ଚାଷୀମାନଙ୍କୁ ସମର୍ଥ କରିବା ପାଇଁ ଏକ ବୃହତ୍‌ କୃଷି ଉତ୍ପାଦକ ସଂଗଠନ ବା ଏଫ୍‌ପିଓ ବ୍ୟବସ୍ଥା କରାଯାଉଛି । ଗୋଟିଏ ଗୋଟିଏ ଏଫ୍‌ପିଓରେ ଏକାଧିକ ଚାଷୀଙ୍କୁ ଯୋଡି ସେମାନଙ୍କୁ ଅଧିକ ଉତ୍ପାଦନ ଓ ଅଧିକ ଲାଭ ପାଇବାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ଉଦ୍ୟମ ହେଉଛି । ସେ କହିଛନ୍ତି, ଭାରତରେ ଉତ୍ପାଦିତ ଶସ୍ୟ ଓ ଫସଲ ନଷ୍ଟ ଏକ ବଡ଼ ସମସ୍ୟାଭାବେ ସବୁବେଳେ ରହିଆସିଛି । ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ଯେଉଁ ସଂଶୋଧନ ଆଣିଛନ୍ତି ତାହା ଏହି ଶସ୍ୟ ଅପଚୟକୁ ରୋକିବାରେ ସହାୟକ ହେବ । ଏହାଦ୍ୱାରା ଫସଲ ନଷ୍ଟ ସ୍ଥିତି ବଦଳିବ । ସଂସ୍କାରିତ ବ୍ୟବସ୍ଥାରେ ଉଭୟ ସରକାର ଓ ଘରୋଇ ପକ୍ଷ ଗ୍ରାମାଞ୍ଚଳରେ ଉତ୍ତମ ଭିତ୍ତିଭୂମି ନିର୍ମାଣ ପାଇଁ ଅଧିକ ସୁଯୋଗ ପାଇବେ ।

ଏପିଏମ୍‌ସି ଆଇନର ସଂଶୋଧନ ସଂପର୍କରେ ପ୍ରଧାନମନ୍ତ୍ରୀ ଅଧିକ ସୂଚନା ଦେବା ଅବସରରେ କହିଥିଲେ ଯେ ଯେତେବେଳେ ଚାଷୀ କୌଣସି ଘରୋଇ କଂପାନୀ ବା ଉଦ୍ୟୋଗ ସହ ଫସଲ ଚାଷ ଓ ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ନେଇ କିଛି ରାଜିନାମା କରିବ ସେତେବେଳେ ଫସଲ ବୁଣିବା ପୂର୍ବରୁ ଏହାର ମୂଲ୍ୟ କେତେ ରହିବ ତାହା ଚୂଡାନ୍ତ ହେବ । ଏହା ଫଳରେ ଉତ୍ପାଦିତ ଫସଲର ମୂଲ୍ୟ ହ୍ରାସ ବୃଦ୍ଧିର ଅସ୍ଥିରତା ରହିବ ନାହିଁ ଏବଂ ଚୁକ୍ତି ଅନୁସାରେ ଚାଷୀ ଫସଲ ବିକିପାରିବ । ନୂଆ ବ୍ୟବସ୍ଥାରେ କୃଷି କାର୍ଯ୍ୟରେ ନୂତନ ଟେକ୍‌ନୋଲଜି ବ୍ୟବହାର ପାଇଁ ଚାଷୀମାନେ ମଧ୍ୟ ଉତ୍ସାହିତ ହେବେ । ନୂଆ କୃଷି ନୀତି ଚାଷୀଙ୍କୁ ଆଇନଗତ ସୁରକ୍ଷା ଦେବା ସହ ଆହୁରି ଅନେକ ବିକଳ୍ପ ପ୍ରଦାନ କରିଛି । ଯଦି ଜଣେ ଚାଷୀ କୌଣସି କାରଣରୁ ଚୁକ୍ତି ଭାଙ୍ଗିବାକୁ ଚାହେଁ, ସେଥିପାଇଁ ତାକୁ କୌଣସି ଜୋରିମାନା ଦେବାକୁ ପଡିବ ନାହିଁ; କିନ୍ତୁ ଯେଉଁ ସଂସ୍ଥା ଚାଷୀଙ୍କ ସହ କରିଥିବା ବୁଝାମଣା ବା ଚୁକ୍ତିକୁ ଉଲ୍ଲଂଘନ କରିବ ବା ସେଥିରୁ ଓହରିଯିବ ତାକୁ ଜୋରିମାନା ଦେବାକୁ ପଡିବ । ସେ କହିଛନ୍ତି ଚାଷୀ ଓ ପକ୍ଷଙ୍କ ମଧ୍ୟରେ ଯେଉଁ ରାଜିନାମା ହେବ ତାହା କେବଳ ଉତ୍ପାଦିତ ଫସଲକୁ ନେଇ ହେବ । ଏଥିରେ ଚାଷୀର ଜମି ଜମା ସଂକ୍ରାନ୍ତ କୌଣସି କଥା ରହିବ ନାହିଁ । ଏହି ସଂସ୍କାରିତ ବ୍ୟବସ୍ଥା ଦ୍ୱାରା ଚାଷୀମାନଙ୍କୁ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ଚାଷୀମାନେ ଯେତେବେଳେ ମଜଭୁତ ହେବେ ସେତେବେଳେ ସେମାନଙ୍କର ଆୟ ବଢିବ ଏବଂ ସେମାନଙ୍କ ଆୟ ବଢିଲେ କୁପୋଷଣ ବିରୋଧୀ ଅଭିଯାନ ସମାନଭାବେ ଶକ୍ତିଶାଳୀ ହେବ । ଏଫ୍‌ଏଓ ଏବଂ ଭାରତ ମଧ୍ୟରେ ପରିବର୍ତ୍ତିତ ସହଯୋଗ ଓ ସମନ୍ୱୟ ଏହି ଅଭିଯାନକୁ ଅଧିକ ବେଗଗାମୀ କରାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta