ଛତରଯାତ୍ରାରେ ପଶୁବଳି ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରହିତାଦେଶ

କଳାହାଣ୍ଡି: ସାରା ଦେଶରେ ପ୍ରସିଦ୍ଧି ଲାଭ କରିଥିବା ମା ମାଣିକେଶ୍ୱରୀଙ୍କ ଛତରଯାତ୍ରାରେ ବଳି ବନ୍ଦ କରିବାକୁ ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହା ଉପରେ ମାନ୍ୟବର ସୁପ୍ରିମକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ବଳିପ୍ରଥା ବନ୍ଦ ନେଇ ଆବେଦନକାରୀ ଜୟନ୍ତୀ ଦାସଙ୍କ ରିଟ ପିଟିସନ ୧୯୮୨୭/୨୦୧୭ର ଶୁଣାଣି କରି ମାନ୍ୟବର ହାଇକୋର୍ଟ ଗତ ଜାନୁଆରୀ ୦୬ ତାରିଖରେ ଛତରଯାତ୍ରାରେ ବଳି ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହାକୁ ଚେଲେଞ୍ଜ କରି ସମାଜସେବୀ ତଥା ବୁଦ୍ଧିଜୀବୀ ଭବାନୀଶଙ୍କର ନିଆଲ ସୁପ୍ରିମକୋର୍ଟରେ ଏକ ରିଟ ପିଟିସନ ଦାୟର କରିଥିଲେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଏ.ଏସ ବୋପାନ୍ନା ଓ ଜଷ୍ଟିସ ଭି.ରାମ ସୁବ୍ରମନ୍ୟମ ଏହି ମାମଲାର ବିଚାର କରି ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି।ଆବେଦନକାରୀ ଶ୍ରୀ ନିଆଲଙ୍କ ପକ୍ଷରୁ ଆଇନଜୀବୀ କିରଣ ପାତ୍ର ମାମଲା ପରିଚାଳନା କରିଥିଲେ। ତାଙ୍କୁ ଆଇନଜୀବୀ ସୁକୁମାର ପଟ୍ଟଯୋଶୀ, ସୁନୀଲ ମୁଣ୍ଡ, ସଂଜୀବ ଯୋଶୀ, ସନ୍ଦୀପ ମହାପାତ୍ର, ବିଶ୍ୱଜିତ ପାତ୍ର ପ୍ରମୁଖ ସହଯୋଗ କରିଥିଲେ।


ସୂଚନାଯୋଗ୍ୟ ଯେ ଭବାନୀପାଟଣା ସହରରେ ଶହ ଶହ ବର୍ଷ ଧରି ମା ମାଣିକେଶ୍ୱରୀଙ୍କ ଛତରଯାତ୍ରା ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳିତ ହୋଇଆସୁଛି। ଏହି ଦିନ ପ୍ରତ୍ୟୁଷରୁ ମା ମାଣିକେଶ୍ୱରୀଙ୍କ ଛତର ଜେନାଖାଲରୁ ବାହାରି ମନ୍ଦିର ଅଭିମୁଖେ ଯାତ୍ରା କରିଥାଏ। ଉକ୍ତ ରାସ୍ତାରେ ଭକ୍ତମାନେ ମାନସିକ ଅନୁଯାୟୀ ପାରା ଉଡେଇବା ସହ ବୋଦା ଓ କୁକୁଡ଼ା ବଳି ଦେଇଥାନ୍ତି। ଏହି ଯାତ୍ରାରେ ପଶୁବଳି ନିଷେଧ କରିବା ପାଇଁ ଓଡିଶା ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। ଏହାର ବିପକ୍ଷରେ ଶ୍ରୀ ନିଆଲ ସୁପ୍ରିମକୋର୍ଟରେ ପିଟିସନ ଦାୟର କରି ଦର୍ଶାଇଥିଲେ ଯେ ଶ୍ରୀମତୀ ଦାସ କଳାହାଣ୍ଡିର ନୁହଁନ୍ତି। ଛତରଯାତ୍ରା ସମ୍ପର୍କରେ କିଛି ପ୍ରତ୍ୟକ୍ଷ ଧାରଣା ନାହିଁ। କଳାହାଣ୍ଡି ବାସୀଙ୍କର ଧର୍ମୀୟ ବିଶ୍ୱାସ ତଥା ଶହଶହ ବର୍ଷର ପ୍ରଥା ପରମ୍ପରା ଉପରେ ହାଇକୋର୍ଟ ହସ୍ତକ୍ଷେପ କରି ନିଷେଧାଜ୍ଞା ଜାରି କରିଥିବା ବେଳେ କଳାହାଣ୍ଡିର କୌଣସି ବାସିନ୍ଦା କିମ୍ବା ଭକ୍ତଙ୍କ ମତାମତ ନେଇ ନାହାନ୍ତି।


ଚଳିତ ଅକ୍ଟୋବର ୧୭ରୁ ମାଣିକେଶ୍ୱରୀଙ୍କ ଶାରଦୀୟ ଦଶହରା ଆରମ୍ଭ ହେଉଥିବାରୁ ଉକ୍ତ ଆବେଦନକୁ ତୁରନ୍ତ ଶୁଣାଣି କରି ଶହଶହ ବର୍ଷରୁ ଚାଲିଆସୁଥିବା ପୂଜାନୀତି ପାଳନ କରିବାପାଇଁ ଅନୁମତି ଦେବା ନିମନ୍ତେ ଏକ ଅନ୍ତରୀଣ ଆଦେଶ ଦେବାକୁ ସୁପ୍ରିମକୋର୍ଟରେ ପ୍ରାର୍ଥନା କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଶ୍ରୀ ନିଆଲଙ୍କ ଏହି ଉଦ୍ୟମକୁ ସାଧାରଣ ମହଲରେ ବେଶ ପ୍ରଶଂସା କରାଯାଉଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.