ପ୍ରଶାସନର ଢିଲା ବ୍ୟବସ୍ଥା ମଧ୍ୟରେ ସପ୍ତାହିକ ହାଟ

କୋଭିଡ-୧୯ ନିୟମ ଖୋଲାଖୋଲି ଉଲଂଘନ, ନାହିଁ କରୋନା ଭୟ

ଜନଗହଳିରେ ମାସ୍କ ଓ ସାମାଜିକ ଦୂରତା ଭୁଲିଗଲେଣି ଲୋକେ

ରାୟଗଡ: ପାର୍ବଣ ଋତୁରେ ଆଗକୁ ଆସୁଛି ମା ଦୁର୍ଗାଙ୍କ ଦଶହରା ପୂଜା । ତେବେ ପୂଜା ମଣ୍ଡପଗୁଡିକରେ କୋଭିଡ-୧୯ ଗାଇଡଲାଇନ ଅନୁସରଣ କରି ନିୟମ ଅନୁଯାୟୀ ପୂଜା କରିବାକୁ ସରକାର ନିର୍ଦ୍ଦେଶ ଜାରି କରିଥିବା ବେଳେ ଦଶହରା ପୂଜା ପୂର୍ବରୁ ବଜାର ଓ ହାଟ ଗୁଡିକରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଏହି କ୍ରମରେ ରାୟଗଡ ଜିଲ୍ଳାର ବଡ ସପ୍ତାହିକ ହାଟ କୁହାଯାଉଥିବା କଲ୍ୟାଣସିଂହପୁର ବ୍ଳକ ମାଝିଗୁଡା ଗ୍ରାମ ପଂଚାୟତର ସଦର ଠାରେ ଅନୁଷ୍ଠିତ ହେଉଥିବା ସପ୍ତାହିକ ହାଟରେ କୋଭିଡ-୧୯ ଗାଇଡଲାଇନକୁ ଖୋଲାଖୋଲି ଭାବେ ଉଲଂଘନ କରାଯାଉଥିବା ଦେଖିବାକୁ ମିଳିଛି ।


କରୋନା କଟକଣା କୋହଳ ହେବା ପରେ ଜିଲ୍ଳା ପ୍ରଶାସନର ନିଷ୍ପତି ପ୍ରକାରେ କୋଭିଡ-୧୯ ଗାଇଡଲାଇନ ଅନୁସରଣ କରି ବଜାର ଓ ସପ୍ତାହିକ ହାଟଗୁଡିକ ଖୋଲାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କଲ୍ୟାଣସିଂହପୁର ବ୍ଳକର ମାଝିଗୁଡା ଠାରେ ପ୍ରତ୍ୟେକ ମଙ୍ଗଳବାର ଦିନ ଏହି ସପ୍ତାହିକ ହାଟ ଖୋଲାଯାଉଥିବା ବେଳେ ବ୍ଳକ ପ୍ରଶାସନ ନା ପଂଚାୟତ କର୍ତୁପକ୍ଷ କୋଭିଡ-୧୯ ନିୟମ ଉଲଂଘନ ଉପରେ ତଦାରଖ କରୁଛନ୍ତି ।

କରୋନା କଟକଣା ଯୋଗୁଁ ବନ୍ଦ ହୋଇଥିବା ସପ୍ତାହିକ ହାଟ ଖୋଲାଯାଇଛି ହେଲେ ପ୍ରଶାସନର ଢିଲା ବ୍ୟବସ୍ଥା ଯୋଗୁଁ ହାଟକୁ ଆସୁଥିବା ଅଧିକାଂଶ ଲୋକେ ମହାମାରୀ କରୋନା ସଂକ୍ରମଣକୁ ଭୟ ନ କରି ଜନଗହିଳ ମଧ୍ୟରେ ମାସ୍କ ଓ ସାମାଜିକ ଦୂରତ୍ୱ ଭୁଲି ବଜାର କରୁଥିବା ଦେଖିବାକୁ ମିଳିଛି । କୈାଣସି ବ୍ୟବସାୟୀଙ୍କ ମୁହଁରେ ମାସ୍କ ନ ଥିବା ବେଳେ ଅନୁରୂପ ଭାବେ ଗ୍ରାହକମାନଙ୍କ ମୁହଁରେ ମଧ୍ୟ ମାସ୍କ ନ ଥିବା ଦେଖିବାକୁ ମିିଳିଥିଲା । ସାମାଜିକ ଦୂରତାର ନିୟମ ଏହି ସପ୍ତାହିକ ହାଟରେ ଲୋକଙ୍କ ପାଇଁ ଏକ ଖେଳଘର ଭଳି ଲାଗୁଥିଲା ।


ଏହି ହାଟକୁ କଲ୍ୟାଣସିଂହପୁର ବ୍ଳକର ପୂଜାରିଗୁଡା, ପଲମା, କଲ୍ୟାଣସିଂହପୁର, ନାରାୟଣପୁର, ବୁଡାଗୁଡା, ସେରିଗୁମ୍ମା, କନ୍ଧପାତିଗୁଡା, ସୁନାଖଣ୍ଡି, ପାର୍ସେଲି ଆଦି ଗ୍ରାମ ପଂଚାୟତ ସମେତ ରାୟଗଡ, କୋଲନରା ବ୍ଳକ ସମେତ ପଡୋଶୀ କଳାହାଣ୍ଡି ଜିଲ୍ଳାର ବହୁ ବ୍ୟବସାୟୀ ଓ ଗ୍ରାହକମାନେ ଆସି ବଜାର କରିଥାନ୍ତି । ତେବେ ଏଯାବତ୍ କରୋନା ନିମନ୍ତେ କୈାଣସି ଔଷଧ ବା ଟୀକା ବାହାରି ନ ଥିବାରୁ ଜିଲ୍ଳାବାସୀଙ୍କୁ ଆହୁରି ୬ମାସ ଧରି କୋଭିଡ-୧୯ ଗାଇଡଲାଇନକୁ କଡାକଡି ଭାବେ ଅନୁସରଣ କରି ମାନି ଚଳିବାକୁ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ନିବେଦନ କରୁଥିବା ବେଳେ ସପ୍ତାହିକ ହାଟରେ ଏପରି ଖୋଲାଖୋଲି ଉଂଲଘନ ପୁଣିଥରେ ଜିଲ୍ଳାରେ କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟାକୁ ବୃଦ୍ଧି କରିବାରେ ସହାୟକ ହେବ ଏଥିରେ ସନ୍ଦେହ ନାହିଁ ।

ଅପରପକ୍ଷେ ଏ ନେଇ ସ୍ଥାନୀୟ ତହସିଲଦାର ଦେବାଶିଷ କରଙ୍କୁ ପଚାରିବାରୁ ସପ୍ତାହିକ ହାଟ ଖୋଲିବା ନେଇ ପଂଚାୟତ କର୍ତୁପକ୍ଷଙ୍କ ନିଷ୍ପତି ରହିଥିବା ବେଳେ ହାଟରେ ଗହଳିକୁ ନିୟନ୍ତ୍ରଣ କରି କୋଭିଡ-୧୯ ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବା ମଧ୍ୟ ତାଙ୍କ ଦାୟିତ୍ୱ ରହିଛି ବୋଲି ପ୍ରକାଶ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.