ତୃଣମୂଳ ସ୍ଥରରେ ଭୂଷୁଡି ପଡିଛି ଲାଞ୍ଜିଗଡ ବ୍ଲକର ସ୍ବାସ୍ଥ୍ୟ ଉପକେନ୍ଦ୍ର ବ୍ୟବସ୍ଥା

ଭୁତ କୋଠି ପାଲଟିଛି ଲାଖବିହାଲି ଓ ବାତେଲଲିମା ସ୍ୱାସ୍ଥ୍ୟ ଉପକେନ୍ଦ୍ର

ନିର୍ମାଣର ୫ ବର୍ଷ ପରେ ବି ହସ୍ତାନ୍ତର କରୁନି ଠିକାଦାର

ଅବ୍ୟବସ୍ଥା ଘେରରେ ଲାଖବାହିଲି, ବନ୍ଧପାରି, ବାତେଲଲିମା, ତ୍ରିଲୋଚନପୁର ଓ ବିଜେପୁର ସ୍ବାସ୍ଥ୍ୟ ଉପକେନ୍ଦ୍ର

କଳାହାଣ୍ଡି/ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଖବାହିଲି ଗ୍ରାମରେ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ର ଆଜିକି ୫ବର୍ଷ ହେଲା କିଛି କାମ ଅସମ୍ପୂର୍ଣ୍ଣ ରଖି ଠିକାଦାର ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରି ନ ଥିବା ସୂଚନା ମିଳିଛି। ପ୍ରକାଶ ଯେ, ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଲାଖବାହିଲି ପଞ୍ଚାୟତରେ ପ୍ରାୟ ୨୫ରୁ ଉର୍ଦ୍ଧ ଗାଁ ଥିବା ବେଳେ ବିଶୁଦ୍ଧ ପାନୀୟ ଜଳ ଅଭାବରେ ନାଳ ପାଣି ବ୍ୟବହାର ସହିତ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଅଧିକାଂଶ ସମୟରେ ମେଲେରିଆ, ଡାଇରିଆ, ଡିଡନି, ପାଇରିଆ ଆଦି ରୋଗରେ ପଡିଥାନ୍ତି । ରାସ୍ତାଘାଟର ଅବ୍ୟବସ୍ଥା ଯୋଗୁଁ ଅନେକ ସମୟରେ ଗର୍ଭବତୀ ଓ ପ୍ରସୂତି ମହିଳାମାନେ ସ୍ୱାସ୍ଥ୍ୟସେବା ସଠିକ ଭାବରେ ପାଇପାରନ୍ତି ନାହିଁ। ଏହି ଅଞ୍ଚଳ ବଣ ପାହାଡଘେରା ଅଞ୍ଚଳ ହୋଇଥିବା ହେତୁ ମଶାଙ୍କ ପାଦୁର୍ଭାବ ମଧ୍ୟ କମ ନୁହଁ ତେଣୁ ଅନେକ ସମୟରେ ଲୋକେ ଜ୍ବରରେ ପଡିଥାନ୍ତି ।

ତେଣୁ ଏସବୁକୁ ଦୃଷ୍ଟିରେ ରଖି ସରକାର ଗତ ୨୦୧୫ ମସିହାରେ ଲାଖବାହିଲି ଠାରେ ଏକ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସ୍ଥାପନ ପାଇଁ ଅନୁମତି ଦେଇଥିଲେ। ଅନୁମତି ମୁତାବକ ସ୍ୱାସ୍ଥ୍ୟ ଉପକେନ୍ଦ୍ର କୋଠା ନିର୍ମାଣ ହୋଇଥିଲା । ହେଲେ ଭବାନୀପାଟଣାର ଏକ ଠିକାଦାର ନିମ୍ନମାନର କାମ କରି ଆଜି ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରି ନଥିବା ଯୋଗୁଁ ତାହା ବର୍ତ୍ତମାନ ଭୁତ କୋଠରୀ ପାଲଟି ଭୁଶୁଡି ବାରେ ଲାଗିଲାଣି। ଯାହା ଫଳରେ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ କର୍ମୀ (ଏଏନଏମ) ସୋଭାଗ୍ୟ ଶବର ଭେକ୍ସିନ ଦେବା ପାଇଁ କେତେବେଳେ କାହା ବାରଣ୍ଡାରେ ତ କେତେବେଳେ ଗଛମୂଳର ସାହାରା ନେଇଥାନ୍ତି। ସେଣ୍ଟର ନଥିବା ଯୋଗୁଁ ଏହି କର୍ମଚାରୀ ରହିବାକୁ ଅସୁବିଧା ହୁଏ ତେଣୁ ସେ ବେନଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରରେ ରହି ଯିବା ଆସିବା କରୁଥିବା ଅଞ୍ଚଳବାସୀ କହିଛନ୍ତି।

ଠିକ ସେହିପରି ଲାଞ୍ଜିଗଡ଼ ବ୍ଲକ ବାତେଲଲିମା ଠାରେ ମଧ୍ୟ ୨୦୧୫ ମସିହାରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସ୍ଥାପିତ ହୋଇଥିଲା। ଏହି କୋଠା କାମକୁ ମଧ୍ୟ ଭବାନୀପାଟଣାର ଜଣେ ଠିକାଦାର ନିର୍ମାଣ କରି କବାଟ, ଝରକା ନ ଲଗାଇ ନିମ୍ନ ମାନର କାମକରି ସ୍ୱାସ୍ଥ୍ୟ ବିଭାଗକୁ ଆଜିପର୍ଯ୍ୟନ୍ତ ହସ୍ତାନ୍ତର କରିନାହାନ୍ତି।ଫଳରେ ଏଏନଏମ୍ ଜୟନ୍ତୀ ସାହୁ ରହିବାକୁ ଚାହୁଁଥିଲେ ମଧ୍ୟ ସମ୍ଭବ ହେଉନାହିଁ। ଫଳରେ କୋଭିତ ସମୟରେ କାମ କରିବା ତାଙ୍କ ପାଇଁ କଷ୍ଟ ହେଉଥିବା ଗାଁ ଲୋକେ କହିଛନ୍ତି।

ସେହିପରି ଦୁର୍ଗମଅଞ୍ଚଳ ତ୍ରିଲୋଚନପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରଟି ନିମ୍ନ ମାନର କାମଯୋଗୁଁ ବିପଦ ସଂକେତ ଅବସ୍ଥାରେ ରହିଛି। ଏଠାରେ ସ୍ୱାସ୍ଥ୍ୟ କର୍ମୀ ରିଙ୍କି ନିହାଲ ଓ ନମ୍ବ୍ରତା ନାଏକ କାମ କରିବା ସମ୍ଭବ ହେଉନାହିଁ। ସେ ପଞ୍ଚାୟତରେ ଭେକ୍ସିନ ଦେଇ ପୁଣି ଚାଲି ଯାଇଥାନ୍ତି । ଆଖପାଖର ପ୍ରାୟ ୨୦ରୁ ଉର୍ଦ୍ଧ ଗାଁ ଲୋକେ ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ପ୍ରାଥମିକ ଚିକିତ୍ସାର ସୁବିଧା ନପାଇ ରୋଗୀମାନେ ୧୫କିମି ଦୂର ଲାଞ୍ଜିଗଡ଼ ଡାକ୍ତରଖାନାକୁ ଯାଇଥାନ୍ତି।

ଅନ୍ୟ ଆଉ ଏକ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଏହି ବ୍ଲକର ବିଜେପୁର ଠାରେ ଅବସ୍ଥିତ। ସେଠିକାର କୋଠାର ଅବସ୍ଥା ମଧ୍ୟ ବିପଦ ସଂକୁଳ ଅବସ୍ଥାରେ ରହିଛି।ଛାତରୁ ସିମେଣ୍ଟ ଖଣ୍ଡ ଖସୁଥିବା ବେଳେ ତଳର ସିମେଣ୍ଟ ମଧ୍ୟ ଫାଟି ଯାଇଛି।ଏହାକୁ ନେଇ ବିଜେପିର ପଞ୍ଚାୟତବାସୀ ଲାଞ୍ଜିଗଡ଼ ବ୍ଲକ ସ୍ୱାସ୍ଥ୍ୟ ବିଭାଗକୁ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିଲା ନାହିଁ। ଦାଇତ୍ୱରେ ଥିବା ସ୍ୱାସ୍ଥ୍ୟ କର୍ମୀ ବାସନ୍ତୀ ମଲ୍ଲିକ ପାଇଁ ବ୍ଲକ ମୁଖ୍ୟା ଲୟରୁ ୪୦ କିମି ଯିବା ଆସିବା କରିବା ସମ୍ଭବ ହେଉନାହିଁ ବୋଲି ଗାଁ ଲୋକେ କହିଛନ୍ତି। ସେହିପରି ବନ୍ଧପାରି ଠାରେ ବିପଦ ସଂକେତ ଅବସ୍ଥାରେ ସ୍ୱାସ୍ଥ୍ୟ ଉପକେନ୍ଦ୍ରଟି ରହିଥିବା ବେଳେ ବାସନ୍ତୀ ମାଝୀ ସେହି କେନ୍ଦ୍ରରେ ରହୁଥିବା ବେଳେ କେତେବେଳେ କଣ ହେବ ତାହା କହିହେବ ନାହିଁ। ସମ୍ପୂର୍ଣ୍ଣ କୋଠାଟି ଭାଙ୍ଗି ଯାଇଛି। ତାକୁ ନୂତନ ଭାବେ ନିର୍ମାଣ କରିବା ପାଇଁ ବନ୍ଧପାରି ପଞ୍ଚାୟତବାସୀ ଦାବି କରିଛନ୍ତି।ଏପଟେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଏଭଳି ଅବସ୍ଥା ଯୋଗୁଁ ସ୍ୱାସ୍ଥ୍ୟ କର୍ମୀଙ୍କ ଅନୁପସ୍ଥିତି ଯୋଗୁଁ ବ୍ଲକର ଗର୍ଭବତୀ ମହିଳା ଓ ରୋଗୀଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ ସେବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ।ଏହିସବୁ ଅସୁବିଧା ଲାଗିରହୁଥିବାରୁ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ଲାଞ୍ଜିଗଡ ବ୍ଲକ ସ୍ବାସ୍ଥ୍ୟ ଉପକେନ୍ଦ୍ର ସବୁର ସୁଧାର ଆଣିବାକୁ ସାଧାରଣରେ ଦାବୀ ହେଉଛି ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ସହ ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.