ନଦୀ ଯୋଗୁଁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ
ପୋଲ ନିର୍ମାଣ ପାଇଁ ବିଡ଼ିଓ ଏବଂ ବ୍ଲକ ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କଲେ ଗ୍ରାମବାସୀ
କଳାହାଣ୍ଡି/ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲାର ଏକ ପଛୁଆ ବ୍ଲକ ଲାଞ୍ଜିଗଡ଼ରେ ଅସହ୍ୟ ହେଉଛି ଜନନୀ ଯନ୍ତ୍ରଣା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା ସତ୍ବେ ଅସୁରକ୍ଷିତ ଭାବେ ସନ୍ତାନ ପ୍ରଶବ କରୁଛି ଜନନୀ। କେଉଁଠି ରାସ୍ତା ସମସ୍ୟା ତ କେଉଁଠି ସ୍ବାସ୍ଥ୍ୟ ବିଭାଗର ଅବହେଳା। ଏମିତି ଭିତରେ ଜନନୀଟିଏ ଅଣନିଃଶ୍ବାସୀ ହୋଇ ସନ୍ତାନ ପ୍ରସବ କରୁଛି, ଯାହା ଏକ ସୁସ୍ଥ ସମାଜ ପାଇଁ ଆଦ୍ୟୋ ଶୋଭନୀୟ ନୁହଁ।
ଲାଞ୍ଜିଗଡ଼ ବ୍ଲକ ବଡପଡାର ଘଡେଇପେଟା ସାହିରୁ ଏପରି ଏକ ଚିତ୍ର ଆସି ପହଞ୍ଚିଛି ଯାହା ସରକାର, ପ୍ରଶାସନ ଓ ଲୋକପ୍ରତିନିଧିଙ୍କ ପାରିବାପଣିଆ ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗାଁ ପର୍ଯ୍ୟନ୍ତ ରାସ୍ତାନଥିବାରୁ ପ୍ରଶବ ବେଦନାରେ ଛଟପଟ ହେଉଥିବା ଜଣେ ପ୍ରସୂତି ମହିଳା ଖଟିଆରେ ବୁହାହୋଇ ନଦୀ ପାରିହୋଇ ଆସିଲେ। ୩୦ ବର୍ଷ ହେଲା ଏଠାରେ ଏକ ପୋଳ ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି, କିନ୍ତୁ ପ୍ରଶାସନ ଓ ନିର୍ବାଚିତ ଲୋକପ୍ରତିନିଧିଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ। କିଛି ବର୍ଷ ତଳେ ଏହି ନଦୀ ପାରି ହେବା ସମୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବାପରେ ମଧ୍ୟ କେହି ଚେତୁ ନାହାନ୍ତି। ଏଠାରେ ପୁଣି ପ୍ରଶ୍ନ ଉଠୁଛି ବିଜୁ ସେତୁ ଯୋଜନା, ପ୍ରଧାନମନ୍ତ୍ରୀ/ମୁଖ୍ୟମନ୍ତ୍ରୀ ସଡକ ଯୋଜନା, ଆମ ଗାଁ ଆମ ବିକାଶ, ମମତା ଯୋଜନା ପରି ମାଳମାଳ ଯୋଜନା ତେବେ କାହାପାଇଁ? ବର୍ଷ ବର୍ଷ ଧରି ନିର୍ବାଚିତ ଜନ ପ୍ରତିନିଧି ଓ ପ୍ରଶାସନ ତେବେ କରୁଛନ୍ତି କ’ଣ? କାହିଁକି ହୋଇପାରୁନାହିଁ ଏହି ଅଞ୍ଚଳର ବିକାଶ? ଏଥିପାଇଁ ଦାୟୀ କିଏ? ଏମିତି ଅନେକ ପ୍ରଶ୍ନ ଉଠୁଛି ସାଧାରଣ ଜନତାଙ୍କ ମନରେ। ତେବେ ଉତ୍ତର ଦେବାକୁ କେହି ନାହାନ୍ତି।
ସୂଚନା ମୁତାବକ ମଙ୍ଗଳବାର ସନ୍ଧ୍ୟା ୫ ଟାରେ ଲାଞ୍ଜିଗଡ଼ ବଡପଡା ଘଡେଇପେଟା ସାହିର ଲିଟୁ ହରିଜନଙ୍କ ସ୍ତ୍ରୀ ବାସନ୍ତି ହରିଜନ ପ୍ରଶବ ବେଦନା ଯୋଗୁଁ ଗୁରୁତର ହୋଇ ପଡିଥିଲେ। ତେଣୁ ବାସନ୍ତିଙ୍କୁ ଡାକ୍ତରଖାନାକୁ ନେବାପାଇଁ ୧୦୮ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। ଆମ୍ବୁଲାନ୍ସ ଆସିଥିଲା। ହେଲେ ଲାଞ୍ଜିଗଡ଼ ବଡପଡା ଓ ଘଡେଇପେଟା ସାହିର ମଝିରେ ଥିବା ବଂଶୀଧାର ନଦୀରେ ପାଣି ଆସୁଥିବା ଯୋଗୁଁ ବଡପଡ଼ାରୁ ଆଉ ଆଗକୁ ଯାଇ ପାରିଲା ନାହିଁ। ଫଳରେ ଫଳରେ ଲିଟୁ ହରିଜନ, ପିଣ୍ଟୁ ହରିଜନ, ଟୁଲୁ ବିଭାର ଓ ଶ୍ରୀନୁ ଆଦି ଯୁବକମାନେ ପ୍ରସୂତୀ ମହିଳାଙ୍କୁ ଏକ ଖଟିଆରେ ବୋହି ବଂଶୀଧାରା ନଦୀର ସାଢ଼େ ୩ ଫୁଟ ପାଣିରେ ୫୦୦ ମିଟର ଆଣିବା ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ଲାଞ୍ଜିଗଡ଼ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା।
ଆଜିକୁ ୩୦ ବର୍ଷ ହେଲା ଏହି ବଂଶୀଧାରା ନଦୀରେ ପୋଲ ନିର୍ମାଣ ପାଇଁ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ପ୍ରଶାସନଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳି ନଥିବା ଘଡେଇତୋଟାବାସୀ ପ୍ରକାଶ କରିଛନ୍ତି। ବର୍ଷ ଦିନରେ ନଦୀରେ ୪/୫ ଫୁଟ ଜଳ ପ୍ରଭାବିତ ହେଉଥିବା ଯୋଗୁଁ ରୋଗୀ, ପ୍ରସୂତି ମହିଳା, ପିଲାଙ୍କ ସ୍କୁଲ ଯିବା, ପଞ୍ଚାୟତକୁ ପିଡିଏସ୍ ଚାଉଳ ଓ ବୁଦାବୁଢ଼ୀ ଭତ୍ତା ପାଇଁ ଲୋକେ ନାଇନଥିବା ଅସୁବିଧା ଭୋଗୁଛନ୍ତି। ଗତ ୨୦୧୮ ମସିହା ଜୁଲାଇ ୧୫ ତାରିଖରେ ଏହି ବଂଶୀଧାରା ନଦୀର ଏହି ଘାଟରେ ନଦୀ ପାର ହେବାକୁ ଉଦ୍ୟମ ବେଳେ ନଦୀର ଜଳସ୍ତର ବଢିବାରୁ ନିକଟସ୍ଥ ଡଙ୍ଗରପାତଲମା ଗାଁର କାଳିଆ ମାଝୀ ଭାସିଯାଇ ମୃତ୍ୟୁ ବରଣ କରିଥିଲେ। ଏହି ପୋଲ ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବୁଧବାର ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ ଓ ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ସୁକନ୍ୟା ଶକ୍ତି ସଂଘଠନ ଓ ପଡାବାସୀଙ୍କ ପକ୍ଷରୁ ଗିରିଷତୁଳା ମାଝୀ, ହିମାନସୁ ସେନାପତି, ଡିଲେସ ତୁଳା ବିଭାର, ଡାମଦାର ବିଭାର, ସୁପାରୀ ବିଭାର, ମହେଶ୍ୱର ବିଭାର,କର୍ଣ୍ଣ ବିଭାର, ମନ ବିଭାରଙ୍କ ସହିତ ୧୮ରୁ ଉର୍ଦ୍ଧ୍ବ ପଡାବାସୀ ଲିଖିତ ଅଭିଯୋଗ କରିଛନ୍ତି। ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।