● ପ୍ରିନ୍ସପାଲ ସେକ୍ରେଟେରୀଙ୍କ ପ୍ରଶଂସା
● କୋଭିଡ଼୍ ପରିଚାଳନା ଓ ମୋ ସ୍କୁଲ ଅଭିଯାନରେ ଉଦାହରଣ ସାଜିଛି କଳାହାଣ୍ଡି
ଭୁବନେଶ୍ୱର: ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ସମଗ୍ର ଓଡ଼ିଶାରେ କଳାହାଣ୍ଡି ଜିଲ୍ଲା ପ୍ରଥମ ସ୍ଥାନ ଦଖଲ କରିଛି । ଗତ ୧୨ ତାରିଖରେ ମୋ ସ୍କୁଲ ଅଭିଯାନର ଏକ୍ଜିକ୍ୟୁଟିଭ ମିଟିଂରେ ସମଗ୍ର ରାଜ୍ୟର ୨୩୬ଟି ବିଦ୍ୟାଳୟ ପାଇଁ ପ୍ରକଳ୍ପଗୁଡ଼ିକୁ ଅନୁମୋଦିତ କରାଯାଇଥିଲା, ଯାହାର ମୂଲ୍ୟ ₹୩,୧୪,୨୪,୫୬୮/- । ରାଜ୍ୟର ୧୫ଟି ଜିଲ୍ଲାରୁ ଆସିଥିବା ଡୋନର କନ୍ଟ୍ରିବ୍ୟୁସନ ବାବଦକୁ ₹୧,୦୪,୭୪,୮୫୬/- ମିଳିଥିଲା । ମୋ ସ୍କୁଲ ତରଫରୁ ମ୍ୟାଚିଂ ଗ୍ରାଣ୍ଟ ବାବଦକୁ ₹୨,୦୯,୪୯,୭୧୨/- ପ୍ରଦାନ କରାଯାଇଛି । ଏଥିରେ କଳାହାଣ୍ଡି ଜିଲ୍ଲାର ୨୯ଟି ବିଦ୍ୟାଳୟରୁ ₹୨୧,୮୪,୫୧୪/- ଡୋନର କନ୍ଟ୍ରିବ୍ୟୁସନ ବାବଦକୁ ପ୍ରଦାନ କରାଯାଇଛି । ସରକାରଙ୍କ ତରଫରୁ ମୋ ସ୍କୁଲ ମ୍ୟାଚିଂ ଗ୍ରାଣ୍ଟରେ ₹୪୩,୬୯,୦୨୮/- ମିଳିବ । ଏହି ପରିମାଣ ଓଡ଼ିଶାରେ ସର୍ବୋଚ୍ଚ ଅଟେ । କଳହାଣ୍ଡି ତଳକୁ ବରଗଡ଼, ମୟୂରଭଞ୍ଜ, କଟକ ଓ ଯାଜପୁର ଜିଲ୍ଲା ରହିଛନ୍ତି ।
ସଂପ୍ରତି ସମଗ୍ର ରାଜ୍ୟରେ ୧୧,୪୧୬ଟି ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନର କାର୍ଯ୍ୟକ୍ରମ ଚାଲୁଅଛି । ଏହି ସଫଳତା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରିନ୍ସପାଲ ସେକ୍ରେଟେରୀଙ୍କ ପତ୍ରାଂକ ୨୬୫(୩୦), ତା. ୧୯.୧୦.୨୦୨୦ ରେ କଳାହାଣ୍ଡି ଜିଲ୍ଲାପାଳ ଡ.ପରାଗ ହର୍ଷଦ ଗାଭାଲିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ପ୍ରିନ୍ସପାଲ ସେକ୍ରେଟେରୀ ତାଙ୍କ ପ୍ରଶଂସା ପତ୍ରରେ କହିଛନ୍ତି ଯେ କଳାହାଣ୍ଡି ଜିଲ୍ଲାରେ କୋଭିଡ଼୍ ପରିଚାଳନା ଯେପରି ସଫଳତାର ସହ ଅନୁଷ୍ଠିତ ହୋଇଛି, ସେପରି କୋଭିଡ଼୍ ସମୟରେ ମଧ୍ୟ ମୋ ସ୍କୁଲ କାର୍ଯ୍ୟକ୍ରମରେ ସଂଗ୍ରହ ହୋଇଥିବା ପରିମାଣ ସମଗ୍ର ରାଜ୍ୟ ପାଇଁ ଉଦାହରଣ ସାଜିଛି । ଏ ଯାବତ୍ କଳହାଣ୍ଡି ଜିଲ୍ଲାରେ ୨୧୭ଟି ବିଦ୍ୟାଳୟର ୨୬୬ଟି ପ୍ରକଳ୍ପ ଅନୁମୋଦିତ ହୋଇଛି । ୨୦୫ଟି ବିଦ୍ୟାଳୟରେ ₹୨,୮୮,୪୭,୯୬୦/- ର କାମ ଚାଲୁଅଛି ।
ସୁଶାନ୍ତ କୁମାର ଚୋପଦାର
ଜିଲ୍ଲା ଶିକ୍ଷା ଅଧିକାରୀ, କଳାହାଣ୍ଡି
କଳାହାଣ୍ଡି ଜିଲ୍ଲାର ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ଯୋଗଦେବା ପରେ ଶିକ୍ଷା ବିଭାଗ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଛି । ତାଙ୍କର ସୁଚିନ୍ତିତ ଯୋଜନା ଓ ନିଷ୍ଠାପର ଉଦ୍ୟମ ଫଳରେ କଳାହାଣ୍ଡି ଜିଲ୍ଲା ଏହି ସଫଳତା ହାସଲ କରିପାରିଛି । କଳାହାଣ୍ଡି ଜିଲ୍ଲାର ମୋ ସ୍କୁଲ ଅଭିଯାନର ଜିଲ୍ଲା ସଂଯୋଜକ ସୁକାନ୍ତ କୁମାର ସାହୁଙ୍କ ନିରନ୍ତର ଉଦ୍ୟମ,ତଥା ସମଗ୍ର ଜିଲ୍ଲାର ପ୍ରତିଟି ବ୍ଲକରେ ଆୟୋଜନ କରାଯାଇଥିବା ମୋ ସ୍କୁଲ ଅଭିଯାନର ସଚେତନତା କାର୍ଯ୍ୟକ୍ରମ ଜରିଆରେ ଓ କୋଭିଡ଼-୧୯ ସମୟରେ ଭାର୍ଚୁଆଲ୍ ମିଟିଂ ଜରିଆରେ ସିଆରସିସି, ବି.ଇ.ଓ ମାନଙ୍କୁ ସଚେନତନ କରାଇ ଏହି ସଫଳତା ହାସଲ କରାଯାଇପାରିଛି । ସମଗ୍ର ଓଡ଼ିଶାରେ କଳାହାଣ୍ଡି ଜିଲ୍ଲା ମୋ ସ୍କୁଲ ଅଭିଯାନରେ ପ୍ରଥମ ହେବା ଖବର ପ୍ରକାଶ ପାଇବା କ୍ଷଣି ସମଗ୍ର ରାଜ୍ୟରୁ ଶୁଭେଚ୍ଛା ବାର୍ତ୍ତାମାନ ଆସିବାକୁ ଲାଗିଛି । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମହଲ ଜିଲ୍ଲାପାଳ ଓ ଜିଲ୍ଲାଶିକ୍ଷା ଅଧିକାରୀଙ୍କ ପ୍ରଶଂସାରେ ଶତମୁଖ ହୋଇଉଠିଛି ।
ସୁକାନ୍ତ କୁମାର ସାହୁ
ମୋ ସ୍କୁଲ୍ ଅଭିଯାନ ଜିଲ୍ଲା ସଂଯୋଜକ, କଳାହାଣ୍ଡି
ପ୍ରକାଶ ଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ମାନସ ପ୍ରକଳ୍ପଟି ୨୦୧୭ ମସିହା ନଭେମ୍ବର ୧୪ ତାରିଖରୁ ଆରମ୍ଭ ହୋଇଅଛି । ଏହି ଯୋଜନା ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କୁ ଆବେଗିକ ଭାବେ ବିଦ୍ୟାଳୟ ସହ ଯୋଡ଼ି ପାରିଛି । ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଦେଉଥିବା ସହଯୋଗ ରାଶିର ଦୁଇଗୁଣ ପରିମାଣ ସରକାର ମୋ ସ୍କୁଲ ମ୍ୟାଚିଂ ଗ୍ରାଣ୍ଟ ଜରିଆରେ ବିଦ୍ୟାଳୟକୁ ପ୍ରଦାନ କରିଥାନ୍ତି ।