ଭୁବନେଶ୍ଵର: କେନ୍ଦ୍ର ସରକାରଙ୍କ ଶ୍ରମିକ କୃଷକ ବିରୋଧୀ ନୀତି ବିରୋଧରେ ୨୬ ନଭେମ୍ବରରେ ସର୍ବ ଭାରତୀୟ ଧର୍ମଘଟର ଡାକରା ଦିଆଯାଇଛି। ଏହାକୁ ସଫଳ କରିବା ପାଇଁ ଭୁବନେଶ୍ବର ଠାରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ସ୍ଵାଧୀନ ଫେଡେରେସନ ମାନଙ୍କ ମିଳିତ ରାଜ୍ୟ ସ୍ତରୀୟ କନଭେନସନ ଆୟୋଜିତ ହୋଇଯାଇଛି। କେନ୍ଦ୍ର ସରକାର ସମଗ୍ର ଦେଶରେ ଶ୍ରମିକ, କୃଷକ, ଗ୍ରାହକ, ଛାତ୍ର, ଯୁବ, ମହିଳା, ଦଳିତ, ସଂଖ୍ଯାଲଘୁ ବିରୋଧରେ ଯେଉଁନୀତି ପ୍ରଣୟନ କରିଚାଲିଛନ୍ତି ତାକୁ ଯୋରଦାର ବିରୋଧ କରିବା ପାଇଁ ସଂକଳ୍ପ ନେଇଛି ମିଳିତ ଟ୍ରେଡ ୟୁନିୟନ।
ଆଇଏନଟିୟୁସିର ମଦନ ଧଳ, ଏଆଇଟିୟୁସିର ଏନ ନାରାୟଣ ରେଡି, ଏଚଏମଏସର ବୀରେନ୍ଦ୍ର ପ୍ରତାପ ଦାସ, ସିଆଇଟିୟୁର ବିମାନ ମାଇତି, ଏଆଇସିସିଟିୟୁର ମହେନ୍ଦ୍ର ପରିଡା, ଏଆଇୟୁଟିୟୁସିର ଶମ୍ଭୁନାଥ ନାଏକଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ଏହି କନଭେନସନ ପରିଚାଳନା କରିଥିବାବେଳେ, ଆଗାମୀ ସର୍ବ ଭାରତୀୟ ସାଧାରଣ ଧର୍ମଘଟର ଭିତ୍ତିପତ୍ର ଏଆଇଟିୟୁସି ଜାତୀୟ ସମ୍ପାଦକ ରାମ କୃଷ୍ଣ ପଣ୍ଡା ଉପସ୍ଥାପନ କରିଥିଲେ।
ପରେ ଆଇଏନଟିୟୁସି ରାଜ୍ଯ ସଭାପତି ଡଃ ରାମ ଚନ୍ଦ୍ର ଖୁଣ୍ଟିଆ, ଏଚଏମଏସର ଆଶିଷ ନନ୍ଦ,ସିଆଇଟିୟୁର ରାଜ୍ଯ ସଭାପତି ଜନାର୍ଦ୍ଦନ ପତି, ଏଆଇସିସିଟିୟୁର ରାଧାକାନ୍ତ ସେଠୀ, ଏଆଇୟୁଟିୟୁସିର ଡଃ ପୁର୍ଣ୍ଣ ଚନ୍ଦ୍ର ଵେହେରା, ସୁର ଜେନା, କିଶୋର ଜେନା, ଲିଟୁଲାଲ ଦେଵସୁବୁଦ୍ଧି, କେନ୍ଦ୍ର ସରକାରୀ କର୍ମଚାରୀ ସଂଘର ରବୀନ୍ଦ୍ରନାଥ ଧଳ, ରାଜ୍ଯ ସରକାରୀ କର୍ମଚାରୀ ସଂଘର ନରୋତ୍ତମ ପାର୍ଥସାରଥି ଜେନା, ଏଆଇଵିଓଏର ତ୍ରୀଲୋଚନ ପ୍ରଧାନ, ଏଆଇବିଇଏର ପ୍ରଫୁଲ୍ଲ ତ୍ରିପାଠୀ, ସରକାରୀ ଶିକ୍ଷକ ସଂଘର ପ୍ରଫେସର ଅମୀୟ କୁମାର ମହାନ୍ତି, ଏଓବିଇଏଫର ପ୍ରକାଶ ଚନ୍ଦ୍ର ରାୟ, ଜୀବନ ବୀମାର ଅଭୟ କୁମାରଦାସ, ସାଧାରଣ ବୀମାର ରବୀନ୍ଦ୍ର ବାରିକ, ବିଦ୍ୟୁତ୍ ଫେଡେରେସନର ଯତୀନ୍ଦ୍ର କୁମାର ରାୟ ଏବଂ ଡିଆରଡିଓର ଜୟନ୍ତ ଦାସ ପ୍ରମୁଖ ଏହି ଦେଶବ୍ୟାପୀ ସାଧାରଣ ଧର୍ମଘଟର ସଫଳତା ପାଇଁ ସଂକଳ୍ପ ଘୋଷଣା ସହ ୧୮ନଭେମ୍ଵର ଭିତରେ ସମସ୍ତ ଜିଲ୍ଲାରେ ମିଳିତ କନଭେନଶନ ଓ ପ୍ରତ୍ଯେକ ୟୁନିୟନର ସାଧାରଣ ସଭା ପାଇଁ ନିଷ୍ପତ୍ତି ନେଇଥିଲେ।
୨୦୧୪ମସିହାରେ ସବକା ସାଥ ସବକା ବିକାଶର ସ୍ଳୋଗାନ ଦେଇ କ୍ଷମତାରେ ବସିଥିବା ନରେନ୍ଦ୍ର ମୋଦୀ ସରକାରଙ୍କ ମୁଖା ଖୋଲିବାରେ ଲାଗିଛି। ସରକାରଙ୍କ ଭୁଲ ନୀତି ଯୋଗୁଁ ଦେଶରେ ଆର୍ଥିକ ବିପର୍ଯ୍ଯୟ ଦେଖା ଦେଇଛି।ବିଦେଶୀ-ଦେଶୀ କମ୍ପାନୀମାନଙ୍କ ସ୍ଵାର୍ଥରେ ସମର୍ପିତ ଏହି ସରକାର ଗୋଟିକ ପରେ ଗୋଟିଏ ରିହାତି ଦେଉଥିବା ବେଳେ ସ୍ବାଧୀନତା ପୂର୍ବରୁ ଓ ପରେ ଶ୍ରମିକ ଶ୍ରେଣୀର ସଂଘର୍ଷ ଫଳରେ ପ୍ରଣିତ ଶ୍ରମ ଆଇନ ସବୁ ବାତିଲକରି କମ୍ପାନୀମାନଙ୍କ ସ୍ଵାର୍ଥ ହାସଲ ପାଇଁ ମାତ୍ର ୪ଟି ଶ୍ରମ କୋର୍ଡ ପ୍ରଚଳନ କରିଛନ୍ତି।
ଏହି ଶ୍ରମ କୋର୍ଡ ଶ୍ରମିକ ସଂଗଠନ ଗଠନ କରିବା, ହରତାଳ କରିବାର ଅଧିକାର ଛଡ଼ାଇ ନେବା ପାଇଁ ଯୋଜନାଵଦ୍ଧ ଉଦ୍ଯମ କରିଛନ୍ତି। ଏହି କୋର୍ଡ ଅଙ୍ଗନଓ୍ଵାଡି, ଆଶା କର୍ମୀ, ମଧ୍ଯହ୍ନ ଭୋଜନ କର୍ମୀ, ବିଡି, ନିର୍ମାଣ ଶ୍ରମିକ, ଠିକା ଶ୍ରମିକ ଓ ପଥ ବିକ୍ରେତା ଆଦି ଅସଂଗଠିତ ଶ୍ରମିକଙ୍କୁ ଶ୍ରମ ଆଇନର ଅଧିକାରରୁ ବଞ୍ଚିତ କରିବ। କୃଷି ଆଇନ ସଂଶୋଧନ ନାମରେ କୃଷକ ଓ ଗ୍ରାହକମାନଙ୍କର ସର୍ବନାଶ କରାଯାଇଛି। ବୋଲି ମିଳିତ ଟ୍ରେଡ ୟୁନିୟନ ଅଭିଯୋଗ ଆଣିଛି।
ଏହି ପୃଷ୍ଠଭୁମିରେ ବିଭିନ୍ନ ଦାବି ଯଥା: ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ପ୍ରତ୍ଯାହାର କର, କୃଷକ ବିରୋଧୀ କୃଷି ଆଇନ ପ୍ରତ୍ଯାହାର କର, ଆୟକର ଦେଉନଥିଵା ସମସ୍ତ ପରିବାରକୁ ମାସିକ ୭ହଜାର ୫ଶହ ଟଙ୍କା ଓ ମୁଣ୍ଡପିଛା ୧୦ କିଲୋ ଚାଉଳ ଦିଆଯାଉ, ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ବର୍ଷକୁ ମନରେଗା ମାଧ୍ଯମରେ ୨୦୦ଦିନର କାମ ବର୍ଦ୍ଧିତ ମଜୁରୀ ହାରରେ ପ୍ରଦାନ ସହ ସହରାଞ୍ଚଳ ଶ୍ରମିକମାନଙ୍କୁ କର୍ମନିଯୁକ୍ତି ଗ୍ଯାରେଣ୍ଟି ବ୍ୟବସ୍ଥା, କେନ୍ଦ୍ର ଓ ରାଜ୍ଯ ସରକାରୀ ଏବଂ ପେନସନରମାନଙ୍କ ମହଙ୍ଗା ଭତ୍ତା ପ୍ରଦାନ କ୍ଷେତ୍ରରୁ କଟକଣା ପ୍ରତ୍ଯାହାର କରିବା, ବ୍ୟାଙ୍କ ବୀମା ଓ ରାଷ୍ଟ୍ରାୟତ୍ତ ଉଦ୍ଯୋଗର ଘରୋଇକରଣ ବନ୍ଦ କରିବା, ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଉପଯୁକ୍ତ ଆଇନ ସହିତ ରୋଜଗାର ବ୍ୟବସ୍ଥା କରିବା, ନିର୍ମାଣ ଶ୍ରମିକମାନଙ୍କୁ କରୋନା ସହାୟତା ପ୍ରଦାନ, ନବୀକରଣ ଓ ନୂତନ ପଞ୍ଜିକରଣ କରାଇବା, ସ୍କିମ ଶ୍ରମିକ ଯଥା ଆଶା, ଅଙ୍ଗନଓ୍ଵାଡି, ମଧ୍ଯହ୍ନ ଭୋଜନ ପାଚିକା ଇତ୍ଯାଦିଙ୍କୁ ଶ୍ରମିକ ମାନ୍ଯତା ପ୍ରଦାନ ସହ ସାମାଜିକ ନିରାପତ୍ତା ବ୍ୟବସ୍ଥା ଦାବିରେ ୨୬ନେଭେମ୍ଵର ସାଧାରଣ ଧର୍ମଘଟ ସଫଳତା ପାଇଁ ଏହି କନଭେନସନରେ ଆହ୍ଵାନ ଦିଆଯାଇଛି।