ନିହାରୀକା ମଲ୍ଲିକଙ୍କ ପୁସ୍ତକ ‘ମୋ ପ୍ରିୟ କାହାଣୀ : ଚିତ୍ରା ମୁଦଗଲ’ ଲୋକାର୍ପିତ

ନବରଙ୍ଗପୁର: ସୁନାମଧନ୍ୟ ଅନୁବାଦିକା ତଥା ଅଧ୍ୟାପିକା ନିହାରୀକା ମଲ୍ଲିକଙ୍କ ଦ୍ଵାରା ଅନୁବାଦିତ ପୁସ୍ତକ ‘ମୋ ପ୍ରିୟ କାହାଣୀ : ଚିତ୍ରା ମୁଦଗଲ’ ମା’ ଭଣ୍ଡାରଘରଣୀଙ୍କ ଶ୍ରୀପାଦପଦ୍ମରେ ସମର୍ପଣ ହୋଇ ପାଠକାର୍ପଣ ହୋଇଯାଇଛି।ଏହି ମହାର୍ଘ ପର୍ବରେ ଲେଖିକା ନୀହାରିକା ମଲ୍ଲିକଙ୍କ ସହିତ ନିମନ୍ତ୍ରିତ ଅତିଥି ଭାବେ ରାଜ ପୁରୋହିତ ନରସିଂହ ତ୍ରିପାଠୀ, ବରିଷ୍ଠ ପୁରୋହିତ ଗୁପ୍ତ ଶଙ୍କର ଷଡଙ୍ଗୀ, ସ୍ଥାନୀୟ ଡିଏସପି ତଥା ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା କବି ସୁକାନ୍ତ କୁମାର ପଟ୍ଟନାୟକ, କବି ବୁଲୁ ହୋତା, ବିଦ୍ୟାର୍ଥୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ନାୟକ, କବି କୁମୁଦ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖିକା ଚିତ୍ରା ମୁଦଗଲଙ୍କ ଏହି ପୁସ୍ତକ ମଧ୍ୟରେ ନଅଟି ପ୍ରିୟ ଗପକୁ ନେଇ ହୋଇଥିବା ସଂକଳନରେ ଥିବା ପ୍ରତିଟି ଗଳ୍ପରେ ମାନବୀୟ ମୂଲ୍ୟବୋଧ ଏବଂ ସମାଜର ନିଷ୍ପେସିତ ବର୍ଗଙ୍କର ଅସହାୟତାକୁ ନିଖୁଣ ଭାବରେ ସେ ବର୍ଣ୍ଣନା କରିଛନ୍ତି।

ଲେଖିକାଙ୍କ ରଚନାଗୁଡିକ କେବଳ କାଳ୍ପନିକ ନୁହେଁ ବରଂ ଏଥିରେ ସମାଜର ବାସ୍ତବ ଚିତ୍ରର ନିଖୁଣ ଛବି ରହିଛି। ତ୍ରିଶଙ୍କୁ, ଘଟଣା ଆଗକୁ ବଢିବ ଏବଂ ବେଇମାନ ଆଦି କାହାଣୀ ଆମ ଶିକ୍ଷାର ଅଭାବ, ଭାବନାତ୍ମକ ଅସୁରକ୍ଷା ଏବଂ ଦାରିଦ୍ର୍ୟ ଇତ୍ୟାଦି ସମସ୍ୟା ଭିତରେ ବଢୁଥିବା କିଶୋରମାନଙ୍କର ମାନସିକ ଅବସ୍ଥାକୁ ଜୀବନ୍ତ କରି ଗଢିତୋଳିଛି, ଯାହାକୁ ଗୁରୁତ୍ୱ ଦେଇ ଅନୁବାଦିକା ନୀହାରିକା ଖୁବ ସତର୍କତା ସହିତ ଅନୁବାଦ କରି ଓଡିଆ ପାଠକଙ୍କ ମନକୁ ଛୁଇଁବାର ପ୍ରୟାସ କରିଛନ୍ତି ବୋଲି ଅତିଥିମାନେ ମତ ରଖିଛନ୍ତି। ଏହି କାର୍ଯ୍ୟକ୍ରମକୁ ପୀତବାସ ଗାହଣ ପରିଚାଳନା କରିଥିବା ବେଳେ ମନ୍ଦିର ପୂଜକ ବାଞ୍ଛାନିଧି ରଥ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.