ରାୟଗଡ କାର୍ଯ୍ୟରତ ସାମ୍ବାଦିକ ସାମ୍ମୁଖ୍ୟ ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ ପାଳିତ

୬ଦଫା ଦାବି ନେଇ ଜିଲ୍ଳାପାଳଙ୍କୁ ଦାବିପତ୍ର ପ୍ରଦାନ

ରାୟଗଡ: ରାୟଗଡରେ କାର୍ଯ୍ୟରତ ସାମ୍ବାଦିକ ସାମ୍ମୁଖ୍ୟ ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରାୟଗଡ ଜିଲ୍ଳାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଜିଲ୍ଳା ପ୍ରଶାସନ ତରଫରୁ ପରିଚୟ ପତ୍ର ପ୍ରଦାନ କରିବା, ସମସ୍ତ ସାମ୍ବାଦିକଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରିବା, ସାମ୍ବାଦିକମାନଙ୍କୁ ଗୃହ ନିର୍ମାଣ ନିମନ୍ତେ ସରକାରୀ ଜାଗା ଉପଲବ୍ଧ କରାଇବା, ଜିଲ୍ଳା ପ୍ରଶାସନ ଓ ମିଡିଆକୁ ନେଇ ପ୍ରତ୍ୟେକ ୩ ମାସରେ ଥରେ ବୈଠକ ମାଧ୍ୟମରେ ଆଲୋଚନା କରିବା, ରେଳବାଇ ପକ୍ଷରୁ ଟ୍ରେନ ପାସ୍ ଯୋଗାଇବା ଓ ଜିଲ୍ଳାରେ କାର୍ଯ୍ୟରତ ସାମ୍ବାଦିକଙ୍କ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ନିତ କରିବା ଆଦି ୬ଟି ଦାବି ନେଇ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।


ପରେ ସାମ୍ମୁଖ୍ୟର ସାମ୍ବାଦିକମାନେ ସ୍ଥାନୀୟ ପୂର୍ତ ବଙ୍ଗଳ ଠାରୁ ନଗର ପରିକ୍ରମା କରି ଠକ୍କର ବାପା ଆଶ୍ରମ ଠାରେ ଆୟୋଜିତ ସାଧାରଣ ସଭାସ୍ଥଳକୁ ପଂହଚିଥିଲେ । ଏହି ସଭା କାର୍ଯ୍ୟକ୍ର୍ରମରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡା, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ଡଃ.ଦୁଷ୍ମନ୍ତ କୁମାର ମହାନ୍ତି ପ୍ରମୁଖ ମଂଚାସୀନ ହୋଇଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା କାର୍ଯ୍ୟରତ ସାମ୍ବାଦିକମାନେ ତଥା କରୋନା ଯୋଦ୍ଧାମାନଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ସମସ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ରାୟଗଡ ଜିଲ୍ଳା ଭଳି ଉପାନ୍ତ ଅଂଚଳର ସମସ୍ୟାକୁ ସାମ୍ବାଦିକମାନେ ଜିଲ୍ଳା ପ୍ରଶାସନ ତଥା ସରକାରଙ୍କ ସମ୍ମୁଖରେ ଖବର ମାଧ୍ୟମରେ ଉପସ୍ଥାପନା କରି ପାରୁଥିବାରୁ ଉପାନ୍ତ ଅଂଚଳର ଅନେକ ସମସ୍ୟାର ସମାଧାନ ଦିଗରେ ସରକାରଙ୍କ କଲ୍ୟାଣ ଯୋଜନା ଦ୍ୱାରା ଗ୍ରାମବାସୀ ଉପକୃତ ହୋଇପାରିଛନ୍ତି । ତେଣୁ ସମାଜକୁ ସବୁବେଳେ ଦିଗଦର୍ଶନ ଦେବାରେ ସାମ୍ବାଦିକଙ୍କ କର୍ତବ୍ୟ ଓ ଦାୟିତ୍ୱ ଅତୁଲ୍ୟ ରହିଛି ତେଣୁ ଜିଲ୍ଳାର ବିକାଶରେ ସାମ୍ବାଦିକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସାରକା ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ସେହିପରି ମୁଖ୍ୟବକ୍ତା ଶ୍ରୀ ମହାନ୍ତି କରୋନା ସମୟରେ ସାମ୍ବାଦିକଙ୍କ ଭୂମିକା ଉପରେ ବିସ୍ତୁୃତ ଭାବେ ଆଲୋକପାତ କରିଥିବା ବେଳେ ସମ୍ମାନୀତ ଅତିଥି ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ପଣ୍ଡା ମଧ୍ୟ କୋଭିଡ ମଧ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ କର୍ତବ୍ୟ ଓ ଦାୟିତ୍ୱ ବିଷୟରେ ଆଲୋକପାତ କରାଇଥିଲେ ।


ସେହିପରି ଜାତୀୟ ସାମ୍ବାଦିକ ଦିବସରେ ସାମ୍ମୁଖ୍ୟ ପକ୍ଷରୁ ପ୍ରଦାନ କରାଯାଇଥିବା ଦାବିଗୁଡିକ ଉପରେ ପ୍ରଶାସନ ସହ ଆଲୋଚନା କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଆଇପିଆରଓ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ । ଏହି ସଭା କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ବାଦଲ କୁମାର ତା’, ଅମୂଲ୍ୟରତ୍ନ ସାହୁ, ରାମଦାସ ଲିମା, ନିରଂଜନ ପାଳ, ଗୁରୁ ପ୍ରସାଦ ସାହୁ, ସ୍ମୃତିରଂଜନ ମହାନ୍ତି, ଶିବ ନାରାୟଣ ଗଉଡ, ଯୋଗେଶ୍ୱର ଦାସଙ୍କ ସମେତ ଅନ୍ୟ ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ରହିଥିଲେ ।

ରାୟଗଡ଼ରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ Odiabarta.in

Click here to Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.