ରାୟଗଡ: ରାୟଗଡ ଜିଲ୍ଲା ସଦର ବ୍ଳକର ଚତୁର୍ଦ୍ଦଶ ସମିତି ବୈଠକ ବୁଧବାର ଦିନ ଶାନ୍ତିପୂର୍ଣ୍ଣ ଭାବେ ପଂଚାୟତ ସମିତି ସଦଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପାଧ୍ୟକ୍ଷା ମିନତୀ ବାଚେଲି ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ଜିଲ୍ଳା ପରିଷଦ ସଦସ୍ୟା ଅମ୍ବିକା ବିଡିକା, ପି.ଗୈାରୀ ଶଙ୍କର ରାଓ, କୋରାପୁଟ ଲୋକସଭା ସାଂସଦଙ୍କ ପ୍ରତିନିଧି ଗାଡିଗା ବାଚେଲି, ରାୟଗଡ ବିଧାୟକଙ୍କ ପ୍ରତିନିଧି ନରସିଂହ ମାଣ୍ଡାଙ୍ଗି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝି, ଏବିଡିଓ କାଳୁଚରଣ ନାୟକ, ସହକାରୀ ଯନ୍ତ୍ରୀ ଦୈତାରୀ ଟୁଡୁଙ୍କ ସମେତ ୨୮ଗୋଟି ଗ୍ରାମ ପଂଚାୟତର ସରପଂଚ ଓ ସମିତି ସଭ୍ୟସଭ୍ୟାମାନେ ଉପସ୍ଥିତ ରହିଥିଲେ ।
ବୈଠକ ପ୍ରାରମ୍ଭରେ ବିଡିଓ ଶ୍ରୀ ମାଝି ସମସ୍ତ ସଭ୍ୟସଭ୍ୟାଙ୍କୁ ସ୍ୱାଗତ ଜଣାଇବା ସହ କରୋନା ମୁକାବିଲାରେ ସମସ୍ତ ନିର୍ବାଚିତ ପ୍ରତିନିଧି ଓ ସରକାରୀ କର୍ମକର୍ତାଙ୍କ ଅତୁଳନୀୟ ସେବା ନିମନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ସ୍ୱାସ୍ଥ୍ୟ, ଶିକ୍ଷା, ବିଜୁଳି, ଜଳସେଚନ, ମତ୍ସ୍ୟ, ଜଳଛାୟା, ପରିମଳ ଓ ପାନୀୟ ଜଳ, ସାଧାରଣ ବଂଟନ, ଆବାସ ଯୋଜନା, ସିଭିଭକଲଚର ତଥା ପଂଚମ ଓ ପଂଚଦଶ ଅର୍ଥ କମିଶନ ପାଣ୍ଠିର କାର୍ଯ୍ୟ ଖସଡା ତଥା ଲଘୁ ବନଜାତ ଦ୍ରବ୍ୟର ଦର ନିର୍ଦ୍ଧାରଣ ଉପରେ ଆଲୋଚନା କରାଯାଇଥିଲା । ସମସ୍ତ ଗ୍ରାମରେ ପାଇପ ଜଳ ଯୋଗାଣ ତଥା ସବୁ ଦିନିଆ ରାସ୍ତା ନିମନ୍ତେ ପଦକ୍ଷେପ ନେବା ପାଇଁ ନାକିଟି ଓ କୁଟୁଳି ସରପଂଚ ଦାବି ଉପସ୍ଥାପନା କରିଥିଲେ ।
ଦୀର୍ଘ ଦିନ ଧରି ବିଦ୍ୟାଳୟଗୁଡିକ ବନ୍ଦ ରହିଥିବାରୁ ବିକଳ୍ପ ଶିକ୍ଷାର ସଫଳତା ଉପରେ ଅନେକ ସମିତି ସଭ୍ୟ ଓ ସରପଂଚମାନେ ପ୍ରଶ୍ନ ଉଠାଇଥିଲେ । ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ ଗୋପାଳ ପଣ୍ଡା ପୂର୍ବ ବୈଠକର ବିବରଣୀ ପଠନ ସହ ବୈଠକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
ରାୟଗଡ଼ାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in