ଶିରବାହାଲରେ ଶୋକାକୁଳ ପରିବେଶ
କଳାହାଣ୍ଡି: ଦୁଇ ପିଉସୀ-ଝିଆରୀ (ନନା-ଭାଞ୍ଜି) ଗାଧୋଇବାକୁ ଆସିଥିଲେ ଗାଁ ପୋଖରୀକୁ । ଗାଧୋଇସାରି ସେମାନେ ଘରକୁ ଫେରିବେ କଣ ଫେରିଲା ତାଙ୍କର ଶବ । ଘଟଣାଟି ପ୍ରଘଟ ହେବାପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଏପରି ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରିଷିଡା ଫାଣ୍ଡି ଅଧିନସ୍ଥ ଶିରବାହାଲ ଗ୍ରାମରେ । ଏଇ ଗ୍ରାମର ସୀତାରାମ ଛତ୍ରିଆଙ୍କ ଝିଅ ଅଷ୍ଟମୀ ଛତ୍ରିଆ(୧୮) ତାଙ୍କ ଝିଆରୀ(ଭାଣଜୀ) ସିମରନ(୧୨) (ସନ୍ତୋଷ ଛତ୍ରିଆଙ୍କ ଝିଅ) ସହ ଗୁରୁବାର ଦିନ ପ୍ରାୟ ୧ ଟା ସମୟରେ ଗାଁ ପୋଖରୀକୁ ଗାଧୋଇବାକୁ ଆସିଥିଲେ । କିନ୍ତୁ ସେମାନଙ୍କ ଫେରିବାରେ ବିଳମ୍ବ ହେବା ଦେଖି ପରିବାର ଲୋକେ ପୋଖରୀକୁ ଆସିବାରୁ ତାଙ୍କୁ ଦେଖା ପାଇନଥିଲେ । ପାଣିରେ ହୁଏତ ବୁଡ଼ି ଯାଇଥିବେ ଭାବି ଖୋଜାଖୋଜି କରିବାରୁ ସିମରନର ଶବ ମିଳିଥିଲା । କିନ୍ତୁ ଅଷ୍ଟମୀର ପତ୍ତା ମିଳିଲାନାହିଁ । ସିମରନ ବଞ୍ଚିଥିବ ଭାବି ତାକୁ କର୍ଲାମୁଣ୍ଡା ସି.ଏଚ.ସିକୁ ନିଆଯାଇଥିଲା । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଅନ୍ୟପକ୍ଷରେ ଅଷ୍ଟମୀର ପତ୍ତା ନ ମିଳିବାରୁ କର୍ଲାମୁଣ୍ଡା ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ କର୍ଲାମୁଣ୍ଡା ତହସିଲଦାର ବାସନ୍ତୀ ସେଠୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ ।
ଅଗ୍ନିଶମ ବିଭାଗର ଭାରପ୍ରାପ୍ତ ଅଧିକାରୀ ଜଗଦୀଶ ମେହେର ଓ ପ୍ରଣବ କୁମାର ନାଏକଙ୍କ ନେତୃତ୍ଵରେ ଅଗ୍ନିଶମ ବାହିନୀ ପୋଖରୀ ରେ ଖୋଜାଖୋଜି କରିବା ପରେ ଅଷ୍ଟମୀର ଶବ ପୋଖରୀ ତୁଠ ନିକଟରୁ ଉଦ୍ଧାର କରିଥିଲେ । ତେବେ ରିଷିଡା ଫାଣ୍ଡିଅଧିକାରୀ ଅନୁପସ୍ଥିତ ଥିବା ତଥା ରିଷିଡା ଫାଣ୍ଡି ଦାୟିତ୍ଵରେ ଥିବା କର୍ଲାମୁଣ୍ଡା ଫାଣ୍ଡିଧିକାରୀ ମଧ୍ୟ ଛୁଟିରେ ଥିବାରୁ ତହସିଲଦାର ମ.ରାମପୁର ଥାନାଧିକାରୀଙ୍କୁ ଜଣାଇଥିଲେ । ପ୍ରାୟ ଦୁଇ ଘଣ୍ଟା ପରେ ମ.ରାମପୁର ଥାନାର ଜଣେ ଏ.ଏସ.ଆଇ ଅକ୍ଷୟ କୁମାର ଜାଲ ରିଷିଡା ଫାଣ୍ଡିର ଦୁଇ ଜଣ କନେଷ୍ଟବଳ ସହିତ ଘଟଣାସ୍ଥଳରେ ପହଞ୍ଚି ଶବଜବତ କରି ପଞ୍ଚନାମା କରିଥିଲେ । ମାଜିଷ୍ଟ୍ରେଟ ଦାୟିତ୍ଵରେ ଥିବା ତହସିଲଦାର ଶ୍ରୀମତୀ ସେଠୀ ଙ୍କ ସହ ରିଷିଡା ରାଜସ୍ଵନିରୀକ୍ଷକ ସସ୍ମିତା ରଣା, ତେରେସିଂହା ରାଜସ୍ଵନିରୀକ୍ଷକ ବିଜୟଲକ୍ଷ୍ମୀ ନାଗ, ଅତିରିକ୍ତ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ । ତେବେ ବାରମ୍ବାର ଅଭିଯୋଗ ସତ୍ଵେ ଓ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ବି ରିଷିଡା ଫାଣ୍ଡିରେ ଦୀର୍ଘଦିନ ହେଲା ସ୍ଥାୟୀ ଅଧିକାରୀ ନ ଥିବାରୁ ଏପରି ଅଘଟଣ ସମୟରେ ଅସୁବିଧା ଦେଖାଦେଉଛି । ଅନ୍ୟପକ୍ଷରେ ଘଟଣାଟି ଅଞ୍ଚଳରେ ଗଭୀର ଆଲୋଡନ ସୃଷ୍ଟି କରିଛି । ମୃତକ ସିମରନର ବାପା ସନ୍ତୋଷ ପରିବାର ସହ ମଦନପୁରେ ରାହୁଥିବାବେଳେ ଗତ କିଛି ଦିନ ହେଲା ସିମରନ ନିଜ ବାପଘର ଗାଁ ଶିରବାହାଲକୁ ଆସି ରାହୁଥିଲା ।
କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in