ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୩ଟି ପଂଚାୟତବାସୀଙ୍କ ୨ଦିନିଆ ଅନଶନ ଓ ଧାରଣା

ଆନ୍ଧ୍ରକୁ ବାଲି ଚାଲାଣ ବନ୍ଦ କରିବାକୁ ଦାବି

ରାୟଗଡ: ରାୟଗଡ ଜିଲ୍ଳା ସଦର ତହସିଲ ଅନ୍ତର୍ଗତ ନାଗାବଳୀ ନଦୀ ତଟରେ ରହିଥିବା ପୀତାମହଲ, କେରଡା ଓ ଜେମାଦେଇପେଣ୍ଠ ୩ଟି ପଂଚାୟତବାସୀ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ରାୟଗଡ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଅନଶନ ଓ ଧାରଣା ଦେଇଛନ୍ତି । ନାଗାବଳୀ ନଦୀ ଗର୍ଭରୁ ଜେସିବି ମେସିନ ଲଗାଇ ଦୈନିକ ୧୦୦ ରୁ ୧୫୦ଟି ଟ୍ରକ ଓ ଟ୍ରାକ୍ଟର ଯୋଗେ ଲିଜଧାରୀମାନେ ଆନ୍ଧ୍ରକୁ ବାଲି ଚାଲାଣ କରୁଥିବା ବେଳେ ସ୍ଥାନୀୟ ଟ୍ରାକ୍ଟର ମାଲିକମାନେ ନଦୀରୁ ଶ୍ରମିକ ଲଗାଇ ବାଲି ଉଠାଇ ସ୍ଥାନୀୟ ଲୋକଙ୍କ ଗୃହ ନିର୍ମାଣ ଓ ସରକାରୀ ଗୃହ ତଥା କାର୍ଯ୍ୟାଳୟ ନିମନ୍ତେ ବାଲି ଆଣୁଥିବା ସମୟରେ ତହସିଲଦାର ସେମାନଙ୍କ ଠାରୁ ରୟାଲଟି ଫର୍ମ ନ ଥିବା ଦର୍ଶାଇ ଦଶ ହଜାର ଟଙ୍କାରୁ ଆରମ୍ଭ କରି ୩୦ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରୁଛନ୍ତି ଏବଂ ରୟାଲଟି ଫର୍ମ ନ ଥିଲେ ବାଲି ଉଠାଣ କରିପାରିବ ନାହିଁ ତାଗିଦ କରୁଛନ୍ତି । କିନ୍ତୁ ଆନ୍ଧ୍ରକୁ ହେଉଥିବା ଟ୍ରକ ଟ୍ରକ ବାଲିଚାଲାଣ ବିରୋଧରେ କୈାଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଯୋଗ ହୋଇଛି ।


ସ୍ଥାନୀୟ ଟ୍ରାକ୍ଟର ମାଲିକମାନେ କାର୍ଯ୍ୟାଳୟରୁ କିମ୍ବା ରାଜସ୍ୱ ନିରୀକ୍ଷକଙ୍କ ଠାରୁ ରୟାଲଟି ଫର୍ମ ଆଣିବାକୁ ଗଲେ ସେମାନଙ୍କୁ ଫର୍ମ ନାହିଁ କହି ପଠାଇ ଦିଆଯାଉଛି ବୋଲି ମଧ୍ୟ ଅଭିଯୋଗ କରାଯାଇଛି । ଟ୍ରାକ୍ଟରମାଲିକମାନେ ଗୋଟିଏ ବାଲି ଲୋଡ ପିଚ୍ଛା ୫୦୦ ରୁ ୬୦୦ଟଙ୍କା ସ୍ଥାନୀୟ ଅଂଚଳରେ ବିକ୍ରି୍ର କରୁଥିବା ବେଳେ ତହସିଲ ପକ୍ଷରୁ ସେମାନଙ୍କୁ ୧୦ହଜାରରୁ ୩୦ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯାଉଥିବାରୁ ଟ୍ରାକ୍ଟର ମାଲିକମାନେ ଏବଂ ଟ୍ରାକ୍ଟର ଚାଲିଲେ ତା ଉପରେ ନିର୍ଭର କରି ଚଳୁଥିବା ଡ୍ରାଇଭର ଓ ଶ୍ରମିକମାନଙ୍କ ରୋଜଗାର ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି ।


ରାଷ୍ଟ୍ରିୟ କିଶାନ ମଜଦୁର ମହାସଂଘର ଜିଲ୍ଳା ସଭାପତି ଗଙ୍ଗାରାଜୁ ନାୟକ, ଇରକୁବାଡି ପୂର୍ବତନ ସରପଂଚ କାମେଶ୍ୱର ତାଡିଙ୍ଗି, ନାଗେଶ୍ୱର ହାରକା, ପିତାମହଲ ଯୁବକ ସଂଘର ସଭାପତି ମନୋଜ କୁମାର ତାଡିଙ୍ଗି, ସଂପାଦକ ରଂଜନ ତାଡିଙ୍ଗି, ବିଟୁ ତାଡିଙ୍ଗି, ସାଗନା କିଲାକାଙ୍କ ସମେତ ନବ ଭାରତ ନିର୍ମାଣ ସେବା ପାର୍ଟିର ସଭାପତି ବି.କାନ୍ତାରାଓ, ରାୟଗଡ ଜିଲ୍ଳା ବିକାଶ ପରିଷଦର ସଭାପତି ତଥା ଆଇନଜୀବି ପ୍ରଦୀପ କୁମାର ଦାସ, ସାମାଜିକ କର୍ମୀ ଶ୍ରୀମତି ସନ୍ତୋଷୀ ସେନାପତି, ବଡ ଇରକୁବାଡି ସରପଂଚ ବିଶ୍ୱନାଥ ପାଲକା, ଆଇଏନଟିୟୁସି ଶ୍ରମିକ ସଂଘର ରାଜ୍ୟ ସଂପାଦକ ଭବାନୀଶଙ୍କର ଜେନା, ହୁତାସେନ ନାୟକ, ଏମ.ଶଙ୍କର ନାଇଡୁ, ଆମ ଆଦମୀ ପାର୍ଟିର ଜିଲ୍ଳା ଆବାହକ ଜନ୍ମେଜୟ ସ୍ୱାଇଁ ପ୍ରମୁଖ ଅନଶନ ଓ ଧାରଣାକୁ ସମର୍ଥନ ଜଣାଇ ଏକ ୧୬ ଦଫା ଦାବିପତ୍ର ରାୟଗଡ ତହସିଲଦାର ଉମାଶଙ୍କର ବେହେରାଙ୍କୁ ପ୍ରଦାନ କରିଥିଲେ ।


ବାଲିବନ୍ଧ ପାଇଥିବା ସମସ୍ତ ତଥ୍ୟ ଓ ଲିଜଧାରୀଙ୍କ ନାମ ଓ ଠିକଣା ପଂଚାୟତବାସୀଙ୍କୁ ଜଣାଇବା, ବାଲିବନ୍ଧରୁ କେତେ ସେଂଟିମିଟର ମାସିକ ଓ ବାର୍ଷିକ ଉଠାଯିବ ତାହା ନିର୍ଦ୍ଧାରଣ କରି ନିୟମିତ ଆରଆଇଙ୍କ ଦ୍ୱାରା ଯାଂଚ କରିବା,ପ୍ରଦାନ କରାଯାଉଥିବା ଅରଫର୍ମ ଓ ତାହାର ମୂଲ୍ୟ ନିର୍ଦ୍ଧାରଣ କରି ଯାଂଚ କରିବା, ବାଲିବନ୍ଧର ସ୍ଥାନ ଓ ଅଂଚଳ ନିର୍ଦ୍ଧାରଣ କରିବା, ବାଲିକୁ ସୁରକ୍ଷିତ ରଖିବା ସହ ରାଜସ୍ୱ ବଂଚାଇବା ବ୍ୟବସ୍ଥା କରିବା, ଟ୍ରକ ଓ ଟ୍ରାକ୍ଟର, ଶଗଡ ଗାଡିରେ ନିଆଯାଉଥିବା ବାଲିର ମୂଲ୍ୟ ନିର୍ଦ୍ଧାରଣ କରିବା, ଅଂଚଳର ସୂକ୍ଷ୍ମ ଖଣିଜ ସଂପଦ ଯଥା ବାଲି, ପଥରକୁ ସୁରକ୍ଷିତ କରି ଅଂଚଳରେ ହେଉଥିବା ବାୟୁ,ଜଳ ଓ ପରିବେଶ ପ୍ରଦୁଷଣକୁ ସୁରକ୍ଷିତ କରିବା,ପାର୍ଥାପୁର ବାଲି ଘାଟର ମୃତ ଲିଜଧାରୀଙ୍କ ତଥ୍ୟ ପ୍ରକାଶ କରିବା ସହ ନୂତନ ଲିଜଧାରୀଙ୍କ ତଥ୍ୟ ସର୍ବସାଧାରଣରେ ପ୍ରଦାନ କରି ଏହାର ନବୀକରଣ ଯାଏଁ ବାଲି ଚାଲାଣ ବନ୍ଦ କରିବା, ଅଂଚଳରେ ଥିବା ଜଳସଙ୍କଟକୁ ଦୂର କରିବା ସହ ମାଛ ଚାଷକୁ ସୁରକ୍ଷା ଦେବା, ବାଲିବନ୍ଧ ଅଂଚଳରେ ମହିଳାମାନଙ୍କ ସୁରକ୍ଷା ବ୍ୟବସ୍ଥା କରିବା ଓ ଆନ୍ଧ୍ରକୁ ବାଲି ଚାଲାଣ ବନ୍ଦ କରିବା ଆଦି ୧୬ଦଫା ଦାବି କରାଯାଇଛି । ତେବେ ଆନ୍ତଃରାଜ୍ୟ ବାଲି ଚାଲାଣ ନିମନ୍ତେ ସରକାରୀ ନିୟମ ରହିଥିବାରୁ ନିୟମକୁ ଉଂଲଘନ କରି ବାଲି ଚାଲାଣ ବନ୍ଦ କରାଯାଇ ପାରିବ ନାହିଁ ଓ ଅନ୍ୟାନ୍ୟ ଦାବିଗୁଡିକ ଆସନ୍ତା ସପ୍ତାହ ମଧ୍ୟରେ ପୂରଣ କରାଯିବ ବୋଲି ତହସିଲଦାର ଶ୍ରୀ ବେହେରା ଦାବିପତ୍ର ଗ୍ରହଣ ସମୟରେ ପ୍ରତିଶୃତି ଦେଇଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.