ରାୟଗଡ: ରାୟଗଡ ଜିଲ୍ଳା କୋଲନରା ବ୍ଳକର ବାଙ୍କିଲି ପଂଚାୟତ କାର୍ଯ୍ୟାଳୟ ଠାରେ ଭାରତ ଜ୍ଞାନ ବିଜ୍ଞାନ ସମିତି, ଓଡିଶା ତରଫରୁ ବିଶ୍ୱ ପାଇଖାନା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମହିଳାମାନଙ୍କ ଦ୍ୱାରା ରଙ୍ଗୋଲି ପ୍ରତିଯୋଗିତା,ଛୋଟଛୋଟ ଶିଶୁମାନଙ୍କୁ ନେଇ ଚିତ୍ରାଙ୍କନ, ପ୍ରଶ୍ନୋତ୍ତର ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ବାଙ୍କିଲି ଗ୍ରାମ ପଂଚାୟତର ସରପଂଚ ବିଶିକେସନ କଣ୍ଡାଗରୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ପଂଚାୟତ ନିର୍ବାହୀ ଅଧିକାରୀ ରାନୁ ମାଣ୍ଡାଙ୍ଗି ଓ ବିଭିନ୍ନ ୱାର୍ଡର ସଭ୍ୟସଭ୍ୟା, ଅଙ୍ଗନୱାଡି ଓ ଆଶା କର୍ମୀ ସହ ଗ୍ରାମର ମୁଖିଆମାନେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ କଣ୍ଡାଗରୀ ପାଇଖାନର ବ୍ୟବହାର ଦ୍ୱାରା ସ୍ୱାସ୍ଥ୍ୟର ଉନ୍ନତୀ ଓ ସମୟର ସଦୁପଯୋଗ ଓ ବ୍ୟକ୍ତିଗତ ସୁରକ୍ଷା ବିଷୟରେ ଗୁରୁତ୍ୱ ଦେବା ସହିତ ସମସ୍ତେ ନିୟମିତ ପାଇଖାନା ବ୍ୟବହାର କରିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭାରତ ବିଜ୍ଞାନ ସମିତି ତରଫରୁ ନିହାରରଂଜନ ପାଢୀ ବିଶ୍ୱ ପାଇଖାନା ଦିବସ ଓ ତାହାର ମହତ୍ୱ ସମ୍ବନ୍ଧରେ ସମସ୍ତଙ୍କୁ ଆଲୋକପାତ କରାଇଥିଲେ ।
ଅଜିତ କୁମାର ମଙ୍ଗୁଳୁ, ପ୍ରକାଶ ହିଆଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ସହିତ ହାତଧୂଆ ଅଭ୍ୟାସ କରାଇଥିଲେ ଏବଂ ଉପସ୍ଥିତ ସମସ୍ତଙ୍କୁ ସାବୁନ ବଂଟନ କରି ନିୟମିତ ହାତ ଧୋଇବା ପାଇଁ ସଚେତନ କରାଇଥିଲେ । ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରି ସଭା ଶେଷ ହୋଇଥିଲା ।
ରାୟଗଡ଼ାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in