ଜେଏନୟୁ ପ୍ରବେଶିକା ପରୀକ୍ଷାରେ କଳାହାଣ୍ଡି ଛାତ୍ରଛାତ୍ରୀଙ୍କ ସଫଳତା


କଳାହାଣ୍ଡି: ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ) ପ୍ରବେଶିକା ପରୀକ୍ଷା ୨୦୨୦ ରେ କଳାହାଣ୍ଡି ଜିଲ୍ଲାର ଦୁଇ ଜଣ ଶିକ୍ଷାର୍ଥୀ କୃତିତ୍ବ ହାସଲ କରିଛନ୍ତି। ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଭବାନୀପାଟଣା ତଥା ବର୍ତ୍ତମାନର କଳାହାଣ୍ଡି ବିଶ୍ବବିଦ୍ୟାଳୟରୁ ଉଭୟ ସ୍ନାତକ ପାସ କରିଛନ୍ତି।

ଜୟପାଟଣା ବ୍ଳକ ଅନ୍ତର୍ଗତ ବଡ ପୁଜାରୀଗୁଡାର ଭୋଳେଶ୍ବର ନାଏକ ଜେଏନୟୁ ରାଜନୀତି ବିଜ୍ଞାନ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ସର୍ବଭାରତୀୟ ସ୍ତରରେ ଅନୁସୂଚିତ ଜନଜାତିରେ ପ୍ରଥମ ରାଙ୍କ ରଖି ସଫଳତା ପାଇଛନ୍ତି। ସେ ପଶ୍ଚିମ ଛାତ୍ରବାସରେ ରହି ପାଠ ପଢୁଥିଲେ।

ସେହିପରି ଜୁନାଗଡ଼ ବ୍ଳକ ପଲାସ ଗ୍ରାମର ଛାତ୍ରୀ ସରୀତା ଦୁର୍ଗା ପଦାର୍ଥ ବିଜ୍ଞାନରେ ସର୍ବଭାରତୀୟ ସ୍ତରରେ ୪ ନଂ ରେଙ୍କ ରଖି କୃତିତ୍ବ ହାସଲ କରିଛନ୍ତି। ସରୀତା ମଧ୍ୟ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଭବାନୀପାଟଣା ଠାରେ ୨୦୧୯ ମସିହାରେ ପଦାର୍ଥ ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି। ଉଭୟଙ୍କ ସଫଳତା ପାଇଁ କଳାହାଣ୍ଡି ସାରା ଖୁସିର ଲହରୀ ଖେଳିଯାଇଛି। ବିଶ୍ବସ୍ତରୀୟ ଜେଏନୟୁ ବିଶ୍ବବିଦ୍ୟାଳୟରେ ପଢିବାର ସୁଯୋଗ ପାଇଥିବାରୁ ରାଜ୍ୟ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର ଉଭୟଙ୍କ କୃତିତ୍ବ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହାସହ ଜିଲ୍ଲାର ବିଭିନ୍ନ ମହଲରୁ ଉଭୟଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ରିପୋର୍ଟ OdiaBarta.in