ବିଧବା ଭତ୍ତା ଓ ସହାୟତାରୁ ବଞ୍ଚିତ ନେମନ୍ତି ମାଝୀ

୧୦ ବର୍ଷର ଦିବ୍ୟାଙ୍ଗ ପୂଅକୁ ବି ମିଳିନାହିଁ ଭତ୍ତା

କଳାହାଣ୍ଡି(ହେମନ୍ତ ସାହୁ): ମ.ରାମପୁର ବ୍ଲକ ଉର୍ଲାଦାନୀ ପଂଚାୟତ ଅଧିନସ୍ଥ ଗାଦାଡି ଗ୍ରାମରେ ଆଜି ବି ପହଁଚିପାରିନାହିଁ ସରକାରଙ୍କ ଅନେକ ଜନହିତୈଷୀକର ଯୋଜନା । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗାଦାଡି ଗ୍ରାମର ବିଧବା ମହିଳା ନେମନ୍ତି ମାଝୀ (୩୭)ଙ୍କ କ୍ଷେତ୍ରରେ । ଏପଟେ ସ୍ଥାନୀୟ ବ୍ଲକ ପ୍ରଶାସନ ଗରିବ ସୀମାରେଖା ତଳେ ଥିବା ଲୋକଙ୍କୁ ସରକାରୀ ଯୋଜନା ମାଧ୍ୟମରେ ତାଙ୍କ ଉନ୍ନତି ପାଇଁ ପ୍ରୟାସ କରୁଥିବା କଥା କହୁଥିବାବେଳେ ଏଭଳି ଅନେକ ଜାଗାରେ ଅନେକ ଯୋଗ୍ୟ ହିତାଧିକାରୀମାନେ ସରକାରୀ ଯୋଜନାର ସୀଧାସଳଖ ଲାଭ ପାଇପାରୁନଥିବା ଏକ ଦୁର୍ଭାଗ୍ୟଜନକ ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ ନେମନ୍ତି ମାଝୀଙ୍କ ସ୍ୱାମୀ ଶିବରାମ ମାଝୀ କୌଣସି ଏକ ଦୁରାରୋଗରେ ପୀଡିତ ହୋଇ ୨ ବର୍ଷ ତଳେ ଇହଧାମ ତ୍ୟାଗ କରିଥିଲେ । ଏହାପରେ ନେମନ୍ତି ମାଝୀ ଦୀର୍ଘ ଦୁଇ ବର୍ଷରୁ ବିଧବା ଯନ୍ତ୍ରଣାରେ ଛଟପଟ ହୋଇ ଦୁଇ ନାବାଳିକା ଝିଅ ସସ୍ମିତା, ମମିତା ଓ ଦୁଇ ନାବାଳକ ପୁଅ ଉଦେଶ୍ୱର, ଯୁଗେଶ୍ୱରକୁ ନେଇ ଅତି କଷ୍ଟରେ ଜୀବନ ଯାପନ କରୁଥିବା ଗ୍ରାମବାସୀମାନଙ୍କ ସୂତ୍ରରୁ ଜଣାପଡିଛି । ବିଧବାଙ୍କ କାନ୍ଧରେ ଦୁଇ ଝିଅ ଓ ଦୁଇ ପୁଅଙ୍କ ବୋଝ ଲଦି ହୋଇଥିବାବେଳେ ତନ୍ମଧ୍ୟରୁ ଦ୍ୱିତୀୟ ପୁତ୍ର ଯୁଗେଶ୍ୱର ମାଝୀ (୧୦) ଜନ୍ମରୁ ମୁକ ହେବା ସହିତ ମାନସିକ ବିକୃତ ଅଟନ୍ତି । ଏପରିପ୍ରେକ୍ଷୀରେ ନେମନ୍ତିଙ୍କ ପାଇଁ ପରିବାର ପ୍ରତିପୋଷଣ ଏକପ୍ରକାର ବୋଝ ଉପରେ ନଳିତା ବିଡା ସମାନ ହୋଇପଡିଛି । ସରକାର ଗରିବ, ଅବହେଳିତ, ନିଷ୍ପେସିତ ଓ ବିକଳାଙ୍ଗ ମାନଙ୍କ ଥଇଥାନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏହି ପରିବାରର ଯୋଗ୍ୟ ହିତାଧିକାରୀ ନେମନ୍ତି ମାଝୀ ଆଜି ପର୍ଯ୍ୟନ୍ତ ସରକାରଙ୍କର ବିଭିନ୍ନ ଯୋଜନାରୁ ବଂଚିତ ହୋଇ ରହିଥିବା ଦେଖିବାକୁ ମିଳିଛି । ଆବାସ ଗୃହ ଉକ୍ତ ପରିବାର ପାଇଁ ସାତ ସପନ ପାଲଟିଥିବାବେଳେ ଏ ପର୍ଯ୍ୟନ୍ତ ସ୍ୱଚ୍ଛଭାରତ ମିଶନରେ ପାଇଖାନ ଖଣ୍ଡିକ ମଧ୍ୟ ପାଇନାହାନ୍ତି । ଏପଟେ ନେମନ୍ତିଙ୍କ ଦ୍ୱିତୀୟ ପୁତ୍ର ଯୁଗେଶ୍ୱର ମାଝୀ ଜନ୍ମରୁ ମୁକ ଓ ମାନସିକ ବିକୃତ ହୋଇଥିବାବେଳେ ତାଙ୍କୁ ମଧ୍ୟ ବିକଳାଙ୍ଗ ପ୍ରମାଣପତ୍ର କିମ୍ବା ବିକଳାଙ୍ଗ ଭତା ଓ ସହାୟତା ପ୍ରଶାସନ ତରଫରୁ ଯୋଗାଇ ଦିଆ ଯାଇନଥିବା ଦେଖିବାକୁ ମିଳିଛି । ଏନେଇ ଗ୍ରାମବାସୀମାନେ ଉକ୍ତ ବିଧବାମହିଳାଙ୍କୁ ଜାତୀୟ ପରିବାର ମଙ୍ଗଳ ଯୋଜନାରୁ ବିଧବା ସହାୟତା ୨୦ ହଜାର ଟଙ୍କା ଓ ବିଧବା ଭତା ପ୍ରଦାନ କରିବା ସହିତ ଆବାସ ଯୋଜନାରେ ତାଙ୍କ ନାମ ତାଲିକାଭୁକ୍ତ କରି ଯଥାଶୀଘ୍ର ଘର ଓ ପାଇଖାନା ଯୋଗାଇଦେବାପାଇଁ ପ୍ରଶାସନଠାରେ ଅନୁରୋଧ କରିଛନ୍ତି । ତତ୍ ସହିତ ୧୦ ବର୍ଷର ବିକଳାଙ୍ଗ ପୁଅକୁ ବିକଳାଙ୍ଗ ଭତା ପ୍ରଦାନ କରିବା ସହିତ ବିକଳାଙ୍ଗ ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.