ଲାଞ୍ଜିଗଡ଼ (ଦୁଃଖୀଶ୍ୟାମ ନାଗ): ପୁରାତନ ଛାତ୍ରଛାତ୍ରୀଙ୍କୁ ନିଜ ସ୍କୁଲ୍ ସହ ଯୋଡ଼ିବାର ଏକ ନିଆରା ପ୍ରୟାସ ‘ମୋ ସ୍କୁଲ୍ ଅଭିଯାନ’ ସାରା ରାଜ୍ୟରେ ଏକ ଆନ୍ଦୋଳନ ପାଲଟି ଥିବା ବେଳେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ୍ ବି ଏଥିରୁ ବାଦ ଯାଇନି। ଆଦିବାସୀ ଅଧ୍ୟୁଷିତ ଏହି ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ଏହି ଅଭିଯାନ ଜୋରସୋରରେ ଚାଲିଛି। ଏହି ଅଭିଯାନର ଫଳ ସ୍ୱରୂପ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ଲାଞ୍ଜିଗଡ଼ ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ମଧ୍ୟାହ୍ନ ଭୋଜନ ହଲ୍ ଉଦଘାଟିତ ହୋଇଯାଇଛି।
ବିଦ୍ୟାଳୟର ପୂର୍ବତନ ଛାତ୍ର ଶ୍ରୀବତ୍ସ ତାଣ୍ଡି, ସୁବାସ ଅଗ୍ରୱାଲ, ଉଦୟ କୁମାର ଓ ଜନ୍ମେଜୟ ସାହୁ ଏଥିପାଇଁ ଅଂଶଦାନ ଦେଇଥିବା ବେଳେ ମୋ ସ୍କୁଲ୍ ଅଭିଯାନରେ ସରକାର ତାର ଦୁଇଗୁଣା ଅଂଶଦାନ ଦେଇଥିଲେ। ଉକ୍ତ ହଲ୍ ଓ ଲାଞ୍ଜିଗଡ଼ କ୍ଲଷ୍ଟର୍ ସିଆରସିସିଙ୍କ କାର୍ଯ୍ୟାଳୟକୁ ବିଇଓ ସଞ୍ଜୀବ କୁମାର ନାଏକ ଉଦଘାଟନ କରିଥିବା ବେଳେ ପୂର୍ବତନ ଏବିଇଓ ଗୋପବନ୍ଧୁ ପୁଷ୍ଟି, ଗୋପବନ୍ଧୁ ହାଇସ୍କୁଲ ବିଶ୍ଵନାଥପୁରର ପ୍ରଧାନଶିକ୍ଷକ ରାଜେନ୍ଦ୍ର କୁମାର ସାହୁ ଓ ସମସ୍ତ ସିଆରସିସି ଉପସ୍ଥିତ ଥିଲେ।
ଗୋବର୍ଦ୍ଧନପୁର ସିଆରସିସି ତପନ କୁମାର ଭୋଇ ସଭା ପରିଚାଳନା କରିଥିବା ବେଳେ ଲାଞ୍ଜିଗଡ଼ ସିଆରସିସି ଏମ୍ ସୁନ୍ଦର ଶେଖର ଧନ୍ୟବାଦ ଅର୍ପଣ କରିଥିଲେ। ମନୋଜ ମହାଖୁଡ଼, ଗୁରୁଗୋବିନ୍ଦ ମହାନ୍ତି, ହେମାମାଳିନୀ ସାହୁ, ମୁରଲୀ ଗଉଡ଼, ସୁଜାତା ଦାସ, ଦୁର୍ଗାମାଧବ ମହାଖୁଡ଼, ଡମ୍ବରୁଧର ସାହୁ ପ୍ରମୁଖ ସହଯୋଗ କରିଥିଲେ।
ଏହି ଅବସରରେ ବିଇଓଙ୍କ ଅଧ୍ୟକ୍ଷତାରେ ବିଶ୍ଵନାଥପୁର, ଚମ୍ପାଦେଇପୁର, ହରେକୃଷ୍ଣପୁର ଓ ଲାଞ୍ଜିଗଡ଼ କ୍ଲଷ୍ଟରର ପ୍ରଧାନଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ତଥା କ୍ଲଷ୍ଟର ସ୍ତରୀୟ କୋର୍ କମିଟି ସଦସ୍ୟମାନଙ୍କୁ ନେଇ ମୋ ସ୍କୁଲ୍ ଅଭିଯାନ, ଶିକ୍ଷା ସଂଯୋଗ, ରେଡିଓ ପାଠଶାଳା, ପୁଷ୍ଟିକର ଉଦ୍ୟାନ, ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆଦି କାର୍ଯ୍ୟକ୍ରମ ଆଗକୁ ନେବା ପାଇଁ ଏକ କାର୍ଯ୍ୟାନ୍ଵୟନ ବୈଠକ ଅନୁଷ୍ଠିତ ହୋଇଥିଲା।