ରାଧାନାଥ ସାହିତ୍ୟ ଉପରେ ରାଜ୍ୟସ୍ତରୀୟ ଅନଲାଇନ ଆଲୋଚନା ଚକ୍ର

ସାହିତ୍ୟିକ କବି ବନ୍ଧୁ ପରିବାରର ନିଆରା ପ୍ରୟାସ

ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୂଲ୍ୟରେ ଏକ ସାନ୍ଧ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ଜିଲ୍ଲାର ସାରସ୍ଵତ ସାଧକ ତଥା ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାଏକଙ୍କର ପ୍ରାରମ୍ଭିକ ଅଭିଭାଷଣ ପରେ, ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦିକା ପ୍ରଣତି ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ସୁସାହିତ୍ୟିକ ତଥା ନୟାଗଡ ଜିଲ୍ଲାର ପ୍ରବୀଣ ପାଲା ଗାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପଣ୍ଡା ଏବଂ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସୁସାହିତ୍ୟିକ ଶ୍ରୀଯୁକ୍ତ ଜଗନ୍ନାଥ ବାରିକଙ୍କ ସାନିଧ୍ୟ ସଭାଟିକୁ ଏକ ଉଚ୍ଚତମ ସୋପାନକୁ ନେଇ ଯାଇଥିଲା। ସମ୍ପାଦିକା ଶ୍ରୀମତି ପ୍ରଣତି ମହାପାତ୍ର ସଭା ପରିଚାଳନା କରିଥିବାବେଳେ ସଂଯୋଜନାରେ ଥିଲେ ସଞ୍ଜୟ କୁମାର ସାହୁ।

ଶ୍ରୀଯୁକ୍ତ ପଣ୍ଡା ତଥା ଶ୍ରୀଯୁକ୍ତ ବାରିକ ଆଧୁନିକ କାବ୍ୟ ଯୁଗର ସ୍ରଷ୍ଟା ରାୟ ବାହାଦୁର କବିବର ରାଧାନାଥ ରାୟଙ୍କ ଓଡିଆ ସାହିତ୍ୟକୁ ଅବଦାନ ଉପରେ ଆଲୋକପାତ କରିବା ସହ ତାଙ୍କ ଅନନ୍ୟ ସୃଷ୍ଟିରାଜିରେ ସଂସ୍କୃତ ତଥା ଇଂରାଜୀ ଭାଷାର ପ୍ରଭାବ ଉପରେ ବିଶ୍ଳେଷଣାତ୍ମକ ଆଲୋଚନା କରିଥିଲେ। ରାଧାନାଥ ସାହିତ୍ଯରେ ଆଧୁନିକତା, ବୈଜ୍ଞାନିକ ବିଚାରଧାରା, ଆଧ୍ୟାତ୍ମିକତାର ପ୍ରଭାବ ଆଦି ଆଲୋଚନାର ବିଷୟ ବସ୍ତୁ ଥିଲା। ସାରା ଓଡ଼ିଶାର କୋଣ ଅନୁକୋଣରୁ ସାହିତ୍ୟିକ ମାନେ ଆଲୋଚନାରେ ଭାଗ ନେଇ ସେମାନଙ୍କ ଅଭିମତ ରଖିଥିଲେ ତଥା ବିଶ୍ଵେଶ୍ଵର ମାଝୀଙ୍କ ଚମତ୍କାର ଗଠନମୂଳକ ସମୀକ୍ଷା ସଭାକୁ ସରସ ସୁନ୍ଦର କରିଥିଲା।


ଉକ୍ତ ଆସରରେ ଯାଜପୁରରୁ ଅମରନାଥ ବାରିକ, ଭଦ୍ରକରୁ ଶୁଭ୍ରାଂଶୁ ମାହୁନ୍ତ, କଟକରୁ ସଞ୍ଜୟ ସାହୁ, ଢେଙ୍କାନାଳରୁ ଅଶୋକ ପ୍ରଧାନ, ତପନ ବିଶ୍ଵାଳ, ଭୁବନେଶ୍ୱରରୁ ପ୍ରଶାନ୍ତ ହୋତା, ରୀତା ଅପରାଜିତା ମହାନ୍ତି, ଅନୁଗୁଳରୁ ନନ୍ଦନୀ ରାଉତ, ପୁରୀରୁ ବୈଜୟନ୍ତୀ ମାଳା ରାଉତ, ବାଲେଶ୍ବରରୁ ପ୍ରଣତି ମହାପାତ୍ର, ସ୍ନିଗ୍ଧା ସାମନ୍ତରାୟ, ଜୁମରନାଥ ପାତ୍ର, ବିପିନ ବିହାରୀ ବାରିକ, ରଞ୍ଜନ ମହାନ୍ତି, ସମର ବଲ୍ଲଭ ଭୋଇ, ମୟୂରଭଞ୍ଜରୁ ଧିରେନ ବାଗ, ନବରଙ୍ଗପୁରରୁ ସାଗର ପରିଡ଼ା, ନଗେନ୍ଦ୍ର ରାଉତ, ରେଣୁକା ସାମଲ,ଅନାମ ସାହୁ, କଟକରୁ ମନୋରମା ମହାପାତ୍ର, କଳାହାଣ୍ଡି ରୁ କାହ୍ନୁ ଚରଣ ସାହୁ, ବଲାଙ୍ଗୀର ଜିଲ୍ଲାରୁ ଦେବେନ୍ଦ୍ର କୁମାର ନାଏକ, ଯାଜପୁରରୁ ବିନୋଦିନୀ ଦାଶ, ବିନୟ କୁମାର ମହାପାତ୍ର, ଗଞ୍ଜାମରୁ ଅଜିତ କୁମାର ମହାପାତ୍ର, ରଞ୍ଜନ କୁମାର ପଣ୍ଡା, ତପସ୍ଵିନୀ ପରିଡ଼ା, ଶ୍ରୀନିଧି ଚୌଧୁରୀ ପ୍ରମୁଖ କବି କବୟତ୍ରୀ ସେମାନଙ୍କ ନିଜସ୍ବ କବିତା/ପ୍ରବନ୍ଧ ପରିବେଷଣ କରିଥିଲେ।

ଅତିଥି ମାନେ ଏ ଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସନ୍ତୋଷ ପ୍ରକାଶ କରିବା ସହ ସାହିତ୍ୟିକ କବି ବନ୍ଧୁ ପରିବାରର ଉତ୍ତରୋତ୍ତର ଉନ୍ନତି କାମନାର୍ଥେ ଶୁଭବାର୍ତ୍ତା ପ୍ରଦାନ କରିଥିଲେ ଏବଂ ପରିବାର ସହ ଯୋଡି ହୋଇ ରହିବାକୁ ପ୍ରତିଶୃତି ଦେଇଥିଲେ। ଶେଷରେ ବାଲେଶ୍ବରରୁ ବିଶ୍ୱେଶ୍ୱର ମାଝୀଙ୍କ ଦ୍ୱାରା ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଥିଲା ତଥା ମୁଖ୍ଯ ଅତିଥିଙ୍କ ଉଦାତ୍ତ କଣ୍ଠରେ ଶାନ୍ତି ପାଠ ପରେ ଆଲୋଚନା ଚକ୍ରର ସମାପ୍ତି ଘୋଷଣା ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.