କଳା ସଂସ୍କୃତି ଓ ଐତିହ୍ୟରେ ରୁଦ୍ଧିମନ୍ତ କଳାହାଣ୍ଡି ବୀର ମାଟି

ଲୋକାର୍ପିତ ହେଲା ମାସିକ ସମ୍ବାଦପତ୍ର ବନ୍ଦେ କଳାହାଣ୍ଡି

ଲାଞ୍ଜିଗଡରେ ପାଳିତ ହେଲା ସହିଦ ରେଣ୍ଡୋ ମାଝୀଙ୍କ ୧୬୫ତମ ବଳିଦାନ ଦିବସ

ଲାଞ୍ଜିଗଡ,(ଦୁଃଖିଶ୍ୟାମ ନାଗ): କଳା ସଂସ୍କୃତି, ଐତିହ୍ୟ ପରମ୍ପରାରେ କଳାହାଣ୍ଡି ଯେପରି ସମୃଦ୍ଧ, ସେହିପରି ଏକ ବୀର ମାଟିର ଗୈାରବ ଗାଥା ବହନକରି ଏହି ଭୂମୀ ରୁଦ୍ଧିମନ୍ତ। ମାତୃଭୂମିର ସ୍ୱାଭିମାନ ରକ୍ଷା ପାଇଁ କଳାହାଣ୍ଡିର ବୀର ପୁରୁଷମାନେ ଯୁଗେ ଯୁଗେ ନିଜ ଜୀବନକୁ ବାଜି ଲଗାଇଦେଇ ଏହି ମାଟିର ସ୍ୱାଭିମାନ ଓ ହୃତ ଗୌରବକୁ ପ୍ରାଣପଣେ ରକ୍ଷା କରିଆସିଛନ୍ତି। ଆଟବିକ, ବିଦ୍ୟାଧର ରାଜ୍ୟ, କାନ୍ତାର, ମହାକାନ୍ତାର, ଇନ୍ଦ୍ରବଣ ଆଦି ବିବିଧ ନାମରେ ନାମିତ ଏହି ମାଟିର ପ୍ରାଚୀନତା ର ପ୍ରମାଣ ଗୁଡହାଣ୍ଡି, ଅସୁରଗଡ ଆଦି ବଖାଣ କରିଥାନ୍ତି। ଠିକ୍ ସେହିପରି ଦେଶର ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମର ବିଗୁଲ ବଜାଇଥିବା ସହିଦ ରେଣ୍ଡୋ ମାଝୀଙ୍କ ରକ୍ତ ରଞ୍ଜିତ ଏ ମାଟିର ବୀରତ୍ୱର ପଟାନ୍ତର ନାହିଁ। ସେଇ ବୀର ପୁରୁଷଙ୍କ ୧୬୫ତମ ଜନ୍ମ ଜୟନ୍ତୀ ଭଳି ଏକ ପବିତ୍ର ଅବସରରେ କଳାହାଣ୍ଡି ଗଣମାଧ୍ୟମ ଇତିହାସରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡିହେବାକୁ ଯାଉଛି ବୋଲି ଆଜି ଲାଞ୍ଜିଗଡସ୍ଥିତ ହୋଟେଲ ସୁଦାମାକ୍ରିଷ୍ଣା କନ୍‌ଫରେନ୍ସ ହଲଠାରେ ଆୟୋଜିତ ମାସିକ ସମ୍ବାଦପତ୍ର ‘ବନ୍ଦେ କଳାହାଣ୍ଡି’ର ଲୋକାର୍ପଣ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।


ଏନେଇ ଆୟୋଜିତ ଲୋକାର୍ପଣ ଉତ୍ସବରେ ମୁଖ୍ୟଅତିଥି ଭାବେ ବନ୍ଦେ କଳାହାଣ୍ଡିର ସଂପାଦକ ଭବାନୀଶଙ୍କର ନିଆଲ ଯୋଗଦେଇ ଉପସ୍ଥିତ ବିଦ୍ୱାନ ମଣ୍ଡଳିକୁ ସମ୍ବୋଧିତ କରିଥିଲେ। ଏହା ସହିତ ସହିଦ ରେଣ୍ଡୋ ମାଝୀଙ୍କ ସମେତ ତତ୍କାଳୀନ ସ୍ବାଧିନତା ସଂଗ୍ରାମରେ ରେଣ୍ଡୋ ମାଝୀଙ୍କ ସହିତ ମାରନା ମାଝୀ, ଆବନ ମାଝୀ, ବିୟ ମାଝୀ, ଟେକା ମାଝୀ, ପଟା ମାଝୀ, ଗେଅଡା ମାଝୀ, ବଏରା ମାଝୀ, ଗୋଦାଡା ମାଝୀ, ମେଲୁ ମାଝୀ ପ୍ରମୁଖ କନ୍ଧ ସର୍ଦ୍ଦାର ନେତୃତ୍ୱ ନେଇଥିବାବେଳେ ଅନ୍ଧାରୁ ଡମ୍ବ, ପଦି ଡମ୍ବ, ଟଡ ଡମ୍ବ, ବସଟା ଡମ୍ବ, ଡାକି ଡମ୍ବ, ପଟ୍ର ଡମ୍ବ, ଲିଆଭାଜୁ ଡମ୍ବ, ବିନ୍ଧ ଡମ୍ବ, କଟ୍ରା ଡମ୍ବ, ଅଲିକାର ଡମ୍ବ ପ୍ରମୁଖ ଡମ୍ବ ସଂପ୍ରଦାୟ ର ବ୍ୟକ୍ତି ବିଶେଷ ଓ ଆମଷ ପାତ୍ର, ବଳରାମ ପାତ୍ର, ଗୁହାଲୁ ପାତ୍ର, ଦୁଃଖିଆ ପାତ୍ର, ବଗରିଆ ପାତ୍ର, ପଣ୍ଡା ପାତ୍ର, ରତନ ପାତ୍ର, ଦାସ ପାତ୍ର, ରଣସି ପାତ୍ର, ସୋମନାଥ ପାତ୍ର ପ୍ରମୁଖ ଗଣ୍ଡ ବୀରମାନେ ସାମିଲ ହୋଇ ଇଂରେଜମାନଙ୍କ ବିରୁଦ୍ଧରେ ଲଢେଇ କରିଥିବା ସଂପର୍କରେ ଶ୍ରୀଯୁକ୍ତ ନିଆଲ ତଥ୍ୟ ଉପସ୍ଥାପନ କରିଥିଲେ।

ସମାରୋହରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଭାଗ ମୁଖ୍ୟ ଡକ୍ଟର ସିଲି ରାଉତ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କଳାହାଣ୍ଡିର କଳା ସଂସ୍କୃତି ଓ ଐତିହ୍ୟ ସଂପର୍କରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ବିକାଶ ପରିଷଦର ସଭାପତି ଶ୍ରୀଧର ପେସନିଆ, ବିଶିଷ୍ଟ ଶିକ୍ଷାବିତ ଗୋପବନ୍ଧୁ ପୃଷ୍ଟି, ଉଦୟ କୁମାର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ, ବରିଷ୍ଠ ନାଗରିକ ରଘୁବୀର ନାଗ, ବେଦାନ୍ତ ଲୋକସଂପର୍କ ବିଭାଗ ମୁଖ୍ୟ ଧରିତ୍ରୀ ଶତପଥି, ଲାଞ୍ଜିଗଡ ପ୍ରେସ୍ କ୍ଲବ ସଭାପତି କୈଳାସ ସାହୁ, ଉପସଭାପତି ବି.ତ୍ରିପତି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବନ୍ଦେ କଳାହାଣ୍ଡିର କାର୍ଯ୍ୟକାରୀ ସଂପାଦକ ଇଂ ଫକୀରମୋହନ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ବନ୍ଦେ କଳାହାଣ୍ଡିର ସହ ସଂପାଦକ ସୁଶୀଲ କୁମାର ବାଗ ଅତିଥି ପରିଚୟ, ସ୍ୱାଗତଭାଷଣ ସହିତ ସଭା ପରିଚାଳନା କରିଥିଲେ।

ଏହି ଅବସରରେ ଅମର ବୀର ସହିଦ ରେଣ୍ଡୋ ମାଝୀ ଓ ସ୍ୱାଧୀନତା ପରବର୍ତ୍ତି କଳାହାଣ୍ଡି ଶୀର୍ଷକ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଏହାସହିତ ବନ୍ଦେ କଳାହାଣ୍ଡିର ସ୍ୱତନ୍ତ୍ର ସଂଖ୍ୟାକୁ ଅତିଥିମାନେ ଲୋକାର୍ପଣ କରିଥିଲେ। ଏଥିରେ କଳାହାଣ୍ଡି ଜିଲ୍ଲାର କୋଣଅନୁକୋଣରୁ ଅନେକ ଲେଖକ, ବୁଦ୍ଧିଜୀବୀ, ଯୁବକ ସଂଘର ସଦସ୍ୟ ଓ କଲେଜ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ରୋଭର ଲିଡର କିଶୋର କୁମାର ଘଡେଇଙ୍କ ନେତୃତ୍ୱରେ ମାଁ ହୀରାନୀଳା ଉଚ୍ଚବିଦ୍ୟାଳୟର ସ୍କାଉଟ ଛାତ୍ରମାନେ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିବାବେଳେ ଜୟରାମ ତାଣ୍ଡି, ପରମାନନ୍ଦ ନାଏକ, ରମ୍ୟରଞ୍ଜନ ସାମଲ, କ୍ଷମାନିଧି ମହାକୁଡ, ମାନବେନ୍ଦ୍ର ଜେନା, ରିଙ୍କୁ ପ୍ରଧାନ, ମୂରଲୀ ନାଏକ, ଗୋପବନ୍ଧୁ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.