ମହିଳାଙ୍କ ଠାରୁ ୯୭୨୦୦ ଟଙ୍କା ଛଡେଇ ନେବା ଘଟଣାରେ ଜଣେ ଗିରଫ: ୧,୧୭,୨୦୦ ଟଙ୍କା ସହ ଦୁଇଟି ବାଇକ ଜବତ

ରାୟଗଡ ଥାନା ପୋଲିସକୁ ସଫଳତା

ରାୟଗଡ: ରାୟଗଡ ଥାନା ପୋଲିସକୁ ମିିଳିଛି ସଫଳତା । ବ୍ୟାଙ୍କରୁ ଟଙ୍କା ଉଠାଣ କରି ଚାଲି ଯାଉଥିବା ବେଳେ ମହିଳାଙ୍କ ଠାରୁ ଟଙ୍କା ଭର୍ତି ବ୍ୟାଗ ଛଡେଇ ନେଇ ଫେରାର ଥିବା ଚୋରକୁ ଗିରଫ କରାଯାଇଥିବା ନେଇ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ଶର୍ବଣା ବିବେକ ଏମ.ପ୍ରେସ ବିବୃତି ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ଗିରଫ ଅଭିଯୁକ୍ତ ଆଉଲୁ ସନ୍ତୁ (୨୩) ଏବଂ ତା ଘର ଗଂଜାମ ଜିଲ୍ଳାର ଆସ୍କା ଥାନା ଅନ୍ତର୍ଗତ ଗୋଲାପଲ୍ଳି ନିକଟସ୍ଥ କଲେଜ ଛକ ନିକଟରେ ବୋଲି ଜଣାପଡିଥିବା ବେଳେ ଅଭିଯୁକ୍ତ ସନ୍ତୁ ଠାରୁ ନଗଦ ୧ଲକ୍ଷ ୧୭ହଜାର ୨୦୦ଟଙ୍କା,ଦୁଇଟି ଭୋଟର ପରିଚୟ ପତ୍ର ସହ ଲାଲ ରଙ୍ଗର ଏକ ବଜାଜ ପଲସର ଓ ବଜାଜ ଡିସ୍କଭର ବାଇକକୁ ଜବତ କରାଯାଇଥିବା ଏସ.ପି.ସୂଚନା ପ୍ରଦାନ କରିଛନ୍ତି ।


ସୂଚନାଯୋଗ୍ୟ ଯେ,ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ସହରର ବିସିରୋଡ ନିକଟସ୍ଥ ନୂଆପଡା ସାହିରେ ରହୁଥିବା ଏ.ରେଣୁ (୫୨), ରୁପା ଲିମା, ସରସା ଜେନା, ଏ.ସଂଜୁ ଓ ପ୍ରେମା ସୁର୍ଜାଲ ପାଂଚ ଜଣ ମହିଳା ଗତ ଡିସେମ୍ବର ୨ତାରିଖରେ ରାୟଗଡ ସହରର ଏକ୍ସିସ ବ୍ୟାଙ୍କରୁ ବ୍ୟକ୍ତିଗତ ଗ୍ରୁପ ଲୋନ ଉଠାଣ ନିମନ୍ତେ ରାୟଗଡକୁ ଆସିଥିଲେ । ମଧ୍ୟାହ୍ନ ସମୟରେ ବ୍ୟାଙ୍କରେ ସମସ୍ତ କାଗଜପତ୍ର ଦାଖଲ କରିବା ପରେ ସେଠାରୁ ସମସ୍ତେ ଟଙ୍କା ଧରି ଚାଲି ଚାଲି ନିଜ ଘରକୁ ଫେରିବା ପାଇଁ କପିଳାସ ଛକକୁ ଫେରୁଥିଲେ । ଏ.ରେଣୁ ଓ ରୁପା ଲିମା ଦୁହିଁଙ୍କ ୯୭,୨୦୦ ଟଙ୍କା ଥିବା ବ୍ୟାଗକୁ ଧରି ରେଣୁ ସ୍ଥାନୀୟ ହୋଟେଲ କପିଳାସ ସମ୍ମୁଖ ରାସ୍ତା ଦେଇ ଆସୁଥିବା ବେଳେ ହଠାତ୍ ପଛପଟୁ ନମ୍ବର ବିହୀନ ଏକ ଲାଲ ପଲସର ବାଇକରେ ଦୁଇଜଣ ଦୁର୍ବୁତ ଆସି ରେଣୁ ହାତରୁ ଟଙ୍କା ଭରି ବ୍ୟାଗ ଛଡେଇ ନେଇ ଚାଲିଯାଇଥିଲେ ।

ମହିଳାମାନେ ବାଇକକୁ ଧରିବା ପାଇଁ ପଛରେ ଗୋଡାଇ ଥିଲେ ସୁଦ୍ଧା ଦୁର୍ବୁତମାନେ ଫେରାର ହୋଇଯାଇଥିଲେ । ତେବେ ପୋଲିସ ସିସିଟିଭି ଯାଂଚ କରିବା ପରେ ସନ୍ତୁକୁ ଗିରଫ କରିଥିବା ବେଳେ ତା’ସାଥେ ଥିବା ଆଉଜଣେ ସହଯୋଗୀଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରହିଥିବା ଏସ.ପି.ସୂଚନା ଦେଇଛନ୍ତି । ସେହିପରି ଗିରଫ ଅଭିଯୁକ୍ତ ସନ୍ତୁ ଗତ ଫେବୃୟାରୀ ମାସରେ ଚାନ୍ଦିଲି ଏବଂ ନଭେମ୍ବରରେ ପଦ୍ମପୁର ଥାନା ଅଂଚଳରେ ମଧ୍ୟ ଲୁଟ ଘଟଣାରେ ସଂପୃକ୍ତ ଥିବା ଜଣାପଡିଥିବା ବେଳେ ଏ ନେଇ ରାୟଗଡ, ଚାନ୍ଦିଲି ଓ ପଦ୍ମୁପୁର ଥାନାରେ ମାମାଲା ରୁଜୁ ହୋଇଥିବା ମଧ୍ୟ ଏସ.ପି.ସୂଚନା ଦେଇଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.