ଲାଞ୍ଜିଗଡ଼ ବ୍ଲକର ନକ୍ସଲ ପ୍ରବଣ ଅଞ୍ଚଳ ଗସ୍ତରେ ପୁଲିସ ଡିଜି

କ୍ୟାମ୍ପ୍ ପରିଦର୍ଶନ ଓ ସ୍ଥିତି ସମୀକ୍ଷା କଲେ ଡିଜି

ଲାଞ୍ଜିଗଡ଼: ନକ୍ସଲ ଦମନ ପାଇଁ ସରକାର କଠୋର ନୀତି ଅବଲମ୍ବନ କରିବା ସହ ନକ୍ସଲ ପ୍ରବଣ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ସହଯୋଗରେ ସିଆର୍‌ପିଏଫ୍ ଓ ବିଏସ୍‌ଏଫ୍ କ୍ୟାମ୍ପ୍ ସବୁ ସ୍ଥାପନ ସହିତ ବାରମ୍ବାର କମ୍ବିଂ ଓ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ସେହିପରି ଏହିସବୁ ଦୁର୍ଗମ ଅଞ୍ଚଳରେ ରହୁଥିବା ଜବାନମାନଙ୍କ ମନୋବଳ ବୃଦ୍ଧି ସହିତ ସଠିକ୍ ରଣନୀତି ପ୍ରସ୍ତୁତି ଘନଘନ ବୈଠକ ଓ ସମୀକ୍ଷା କରାଯାଉଛି। ଏହିକ୍ରମରେ ସୋମବାର ରାଜ୍ୟ ପୁଲିସ ଡିଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ସବୁଠୁ ମାଓପ୍ରବଣ ଗସ୍ତ ସହିତ ଅଞ୍ଚଳରେ ଥିବା କ୍ୟାମ୍ପ୍ ପରିଦର୍ଶନ ସହିତ ସମୀକ୍ଷା କରି ଫେରିଯାଇଛନ୍ତି।

ଏହି ପରିଦର୍ଶନ ଓ ସମୀକ୍ଷା କାର୍ଯ୍ୟକ୍ରମରେ କଳାହାଣ୍ଡି ସମେତ ରାୟଗଡା ଓ କନ୍ଧମାଳ ପୁଲିସ ଜିଲ୍ଲାକୁ ସାମିଲ କରାଯାଇଥିବା ବେଳେ ଡିଜିଙ୍କ ସହିତ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ଶର୍ମା, ଆଇଜି ଅମିତାଭ ଠାକୁର, ସିଆରପିଏଫ୍‌ର ଡିଆଇଜି ଏସ୍‌କେ ମହାନ୍ତି, ବିଏସ୍‌ଏଫର ଡିଆଇଜି ଅନିରୁଦ୍ଧ ସିଂହ ପ୍ରମୁଖ ସାମିଲ ହୋଇଥିଲେ ।


ଏଥିରେ କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର, କନ୍ଧମାଳ ଏସ୍‌ପି ବିନୀତ ଅଗ୍ରୱାଲ, ରାୟଗଡା ଏସ୍‌ପି ଡ. ଶ୍ରବଣ ବିବେକ ପ୍ରମୁଖ ସାମିଲ ହୋଇଥିବାବେଳେ ଏହି ଅଧିକାରୀମାନେ ତ୍ରିଲୋଚନପୁର ଠାରେ ଥିବା ସିଆର୍‌ପିଏଫ୍ କ୍ୟାମ୍ପ୍ ପରିଦର୍ଶନ ସହିତ ସମୀକ୍ଷା କରିଥିଲେ। ଏହାସହିତ ଏହି କ୍ୟାମ୍ପ୍‌ରେ ଥିବା ଜବାନମାନଙ୍କ ମନୋବଳ ବୃଦ୍ଧି କରିବା ସହିତ ବିଭିନ୍ନ ରଣନୀତି ସଂପର୍କରେ ଆଲୋଚନା କରିଥିଲେ।

ଏହି ସମୟରେ କ୍ୟାମ୍ପ୍ କମାଣ୍ଡରମାନେ ଡିଜିଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କୁ ସ୍ୱାଗତ କରିବା ସହିତ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଅପରେସନ ସଂପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ୟାମ୍ପ୍ ଗୁଡିକ ଦ୍ୱାରା ବିଭିନ୍ନ ନାଗରିକ କାର୍ଯ୍ୟକ୍ରମଗୁଡିକୁ ଡିଜି ଶ୍ରୀ ଅଭୟ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏସବୁ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।


ଡିଜିଙ୍କ ଗସ୍ତ ସମୟରେ କେସିଙ୍ଗା ଏସ୍‌ଡିପିଓ ଏସ୍ ସୁଶ୍ରୀ, ବିଜେପୁର ଥାନାଧିକାରୀ ପ୍ରଶାନ୍ତ କୋଲ୍‌ହାରସ, ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ସମେତ ସିଆର୍‌ପିଏଫ୍ ଜବାନ ଓ ସ୍ଥାନୀୟ ପୁଲିସ ବଳ ଉପସ୍ଥିତ ଥିଲେ। ପରିଦର୍ଶନ ଓ ସମୀକ୍ଷା ଶେଷ ପରେ ଡିଜିଙ୍କ ସମେତ ଅଧିକାରୀଗଣ ଆକାଶମାର୍ଗରେ ଫେରିଯାଇଥିଲେ।

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.