ଭାଗୀରଥି ମାଣ୍ଡାଙ୍ଗି ହତ୍ୟା ଘଟଣାକୁ ପୂରିଲା ୧୦ବର୍ଷ: ଏ ଯାଏଁ ଗିରଫ ହୋଇନାହିଁ ଅଭିଯୁକ୍ତ

ପରିବାରକୁ ନ୍ୟାୟ ଦେବା ପାଇଁ ଦାବି କରି ଆସୁଛି ଜିଲ୍ଲା ଆଦିବାସୀ ମହାସଂଘ

ରାୟଗଡ: ବହୁ ଚର୍ଚ୍ଚିତ ଆଦିବାସୀ ଯୁବନେତା ସ୍ୱର୍ଗତ ଭାଗିରଥି ମାଣ୍ଡାଙ୍ଗିଙ୍କ ମୃତ୍ୟୁ ଘଟଣାକୁ ପୂରିଲା ୧୦ବର୍ଷ । ତଥାପି ଆଜିଯାଏଁ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇନାହିଁ କ୍ରାଇମବ୍ରାଞ୍ଚ । ଗତ ୧୦ବର୍ଷ ଧରି ସ୍ୱର୍ଗତ ମାଣ୍ଡାଙ୍ଗିଙ୍କ ମୃତ୍ୟୁ ଦିନକୁ ତିରୋଧାନ ଦିବସ ରୂପେ ରାୟଗଡ ଜିଲ୍ଲା ଆଦିବାସୀ ମହାସଂଘ ପାଳନ କରି ଅାସୁଛି । ଉକ୍ତ ଦିନ ଜିଲ୍ଲା ପ୍ରଶାସନ ମାଧ୍ୟମରେ ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଉଛି । କିନ୍ତୁ ଆଜି ସୁଦ୍ଧା କୌଣସି ସୁଫଳ ମିଳି ନାହିଁ । ଘଟଣାର ସିବିଆଇ ତଦନ୍ତ କରାଯାଇ ଅଭିଯୁକ୍ତକୁ ଧରାନଗଲେ ଆଗାମୀ ଦିନରେ ପଞ୍ଚାୟତ ସ୍ତରରେ ଆନ୍ଦୋଳନ କରାଯିବା ସହିତ ସବୁ ସରକାରୀ କାର୍ଯ୍ୟାଳୟକୁ ଅଚଳ କରାଯିବ ବୋଲି ସ୍ଥାନୀୟ ହାଲୁଆ ତୋଟାଠାରେ ଆୟୋଜିତ ଆଦିବାସୀ ମହାସଂଘର ଏକ ବୈଠକରେ ସୂଚନା ଦେଇଛନ୍ତି ସଂଘ ଆବାହକ ବସନ୍ତ ଉଲାକା । ଏହି ହତ୍ୟା ମାମଲାର ପର୍ଦ୍ଦାଫାସ ଯେଉଁ ଯାଏ ହୋଇନି ନ୍ୟାୟ ନ ମିଳିବା ଯାଏଁ ଲଢେଇ ଜାରି ରଖିବୁ ବୋଲି କହିବା ସହ ସାରା ଓଡିଶା ପାଇଁ ଗୋଟେ ନ୍ୟାୟ ଏବଂ ଆଦିବାସୀ ଅଞ୍ଚଳ ପାଇଁ ଆଉ ଏକ ନିୟମ କି ବୋଲି ଶ୍ରୀ ଉଲ୍ଲାକା କହିଥିଲେ । ଦୀର୍ଘ ଦିନର ଦାବିକୁ ନେଇ ଏହି ମାମଲାକୁ ତୁରନ୍ତ କେନ୍ଦ୍ର ତଦନ୍ତକାରୀ ସଂସ୍ଥା ସିବିଆଇକୁ ହସ୍ତାନ୍ତର କରାଯିବା ନିମନ୍ତେ ମହାମହୀମ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ସଂଘ ସଭାପତି ଆପଲସ୍ୱାମୀ କାଡ୍ରାକା ନେତୃତ୍ୱରେ ଆବାହକ ବସନ୍ତ ଉଲ୍ଲାକା ଓ ସଂଘର ଅନ୍ୟ ପ୍ରମୁଖ ସଦସ୍ୟ ଆଜି ଜିଲ୍ଲା ଆରକ୍ଷୀଙ୍କୁ ମିଶି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଉକ୍ତ ବୈଠକରେ ଆଦିବାସୀ ମହାସଂଘର ଶତାଧିକ ଲୋକେ ଉପସ୍ଥିତ ରହିଥିଲେ ।

ପ୍ରକାଶ ଥାଉ କି ଗତ ୨୦୧୦ ଡିସେମ୍ବର ୧୫ ତାରିଖରେ ମା ମଝିଘରିଆଣୀ ମନ୍ଦିର ଟ୍ରଷ୍ଟିର ସଭ୍ୟ ତଥା ବିଜେଡି କାଉନସିଲର ଆଦିବାସୀ ଯୁବନେତା ଭାଗିରଥୀ ମାଣ୍ଡାଙ୍ଗିକୁ ଅପରହରଣ କରାଯାଇ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହାର ୨/୩ ଦିନ ପରେ ପଡୋଶୀ ଆନ୍ଧ୍ର ପ୍ରଦେଶର ଏକ ଡ୍ୟାମ ନିକଟରୁ ତାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର କରାଯାଇଥିଲା । ଅପହରଣ କରାଯାଇ ନିର୍ମମ ଭାବେ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କ୍ରମେ ଖବର ପ୍ରଚାରିତ ହେବା ପରେ ଜିଲ୍ଳା ଆଦିବାସୀ ମହାସଂଘ ପକ୍ଷରୁ ତିବ୍ର ଆନ୍ଦୋଳନ କରାଯିବାରୁ ଏହି ହତ୍ୟାକାଣ୍ଡର ତଦନ୍ତ ନିମନ୍ତେ ରାଜ୍ୟ ସରକାର କ୍ରାଇମବ୍ରାଂଚକୁ ତଦନ୍ତ ଦାୟିତ୍ୱ ଦେଇଥିଲେ । କିନ୍ତୁ ଅଦ୍ୟାବଧି ଏହି ହତ୍ୟାକାଣ୍ଡରେ ସଂପୃକ୍ତ କୈାଣସି ହେଲେ ଜଣେ ହତ୍ୟାକାରୀଙ୍କୁ ଗିରଫ କରାଯାଇ ନ ଥିବା ବେଳେ ତଦନ୍ତକୁ ମଧ୍ୟ ଚାପି ଦିଆଯାଇଛି ଏବଂ ଏଥିରେ ଶାସକ ଦଳର ଜଣେ ବିଜେଡି ନେତାଙ୍କ ସଂପୃକ୍ତି ଥିବାରୁ କ୍ରାଇମବ୍ରାଂଚ ଓ ଓଡିଶା ପୋଲିସ ପକ୍ଷରୁ ଏହି ଘଟଣାର ତଦନ୍ତଭାର ଶୀତିଳ ପଡିଯାଉ ଥିବାରୁ ଏହାକୁ ସିବିଆଇ ତଦନ୍ତ ପାଇଁ ହସ୍ତାନ୍ତର କରାଯାଉ ବୋଲି ଆଦିବାସୀ ମହାସଂଘ ପକ୍ଷରୁ ଆଜି ବି ଦାବି କରାଯାଉଛି ।

ରାୟଗଡ଼ାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.