ପ୍ରିୟତମାର କବି ଫନୀ ମହାନ୍ତି ପାଇବେ ଫକୀରମୋହନ ସାହିତ୍ୟଶ୍ରୀ ସମ୍ମାନ

● ଘୋଷଣା ହେଲା ୨୦୨୧ ପାଇଁ ଫକୀରମୋହନ ସାହିତ୍ୟ ପରିଷଦର ପୁରସ୍କାର ଓ ସମ୍ବର୍ଦ୍ଧନା ସମ୍ମାନ ତାଲିକା

ବାଲେଶ୍ବର, (କୃଷ୍ଣ କୁମାର ମହାନ୍ତି): ବିଶିଷ୍ଟ ଓଡ଼ିଆ କବି ଡକ୍ଟର ଫନୀ ମହାନ୍ତି ‘ଫକୀରମୋହନ ସାହିତ୍ୟଶ୍ରୀ ସମ୍ମାନ-୨୦୨୧’ ପାଇବା ପାଇଁ ମନୋନୀତ ହୋଇଛନ୍ତି। ଗତକାଲି ଏ ସମ୍ପର୍କରେ ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ଜାରି ଏକ ପ୍ରେସ୍ ରିଲିଜ୍ ଏହା ପ୍ରକାଶ କରିଛି।

ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ଜାନୁଆରୀ ମାସ ମକରସଂକ୍ରାନ୍ତିରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ନାମରେ ନାମିତ ସର୍ବପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଫକୀରମୋହନ ସାହିତ୍ୟ ପରିଷଦ ଏକ ତ୍ରିଦିବସୀୟ ସାହିତ୍ୟୋତ୍ସବ ଆୟୋଜନ କରିଥାନ୍ତି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ କିଛି ଚୟିତ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥାଏ। ଏହି କ୍ରମରେ ୨୦୨୧ ମସିହା ପାଇଁ ସମ୍ବର୍ଦ୍ଧିତ ପ୍ରତିଭା ସମ୍ମାନ ପାଇଁ ନାମ ଘୋଷଣା କରାଯାଇଛି। ତଦନୁସାରେ ସର୍ବୋଚ୍ଚ ସମ୍ମାନ ‘ଫକୀରମୋହନ ସାହିତ୍ୟଶ୍ରୀ ସମ୍ମାନ’ ପାଇବାକୁ ସୁଖ୍ୟାତ କବି ଡକ୍ଟର ଫନୀ ମହାନ୍ତି ଯୋଗ୍ୟ ବିବେଚିତ ହୋଇଥିବା ବେଳେ ‘ଫକୀରମୋହନ ସମାଲୋଚନା ସାହିତ୍ୟ ସମ୍ମାନ’ ପାଇଁ ଡକ୍ଟର ସୌଦାମିନୀ ନନ୍ଦ, ‘ସାହିତ୍ୟ ଓ ସମାଜସେବା’ ପାଇଁ ଡକ୍ଟର ରମାକାନ୍ତ ନାୟକ, ‘ନାଟକ ସମ୍ମାନ’ ପାଇଁ ରଣଜିତ ପଟ୍ଟନାୟକ, ‘ଅନୁବାଦ ସାହିତ୍ୟ ସମ୍ମାନ’ ପାଇଁ ଭାରତୀ ନନ୍ଦୀ, ‘ଗୀତିଶ୍ରୀ ସମ୍ମାନ’ ପାଇଁ ମନୋଜ ପଟ୍ଟନାୟକ, ‘ଜଗନ୍ନାଥ ସଂସ୍କୃତିର ପ୍ରସାର ସମ୍ମାନ’ ପାଇଁ ଡକ୍ଟର ହରିହର କାନୁନଗୋ, ‘ସାହିତ୍ୟ ସଂଗଠନ ସମ୍ମାନ’ ପାଇଁ ଭାଗବତ ପଣ୍ଡା, ‘ଆଧ୍ୟାତ୍ମିକ ସାହିତ୍ୟ ସମ୍ମାନ’ ପାଇଁ ପଦ୍ମଲୋଚନ ଦ୍ବିବେଦୀ, ‘ପତ୍ରିକା ସମ୍ପାଦନା ସମ୍ମାନ’ ପାଇଁ ବନ୍ଦନା ମିଶ୍ର, ‘ସମ୍ବାଦ ସାହିତ୍ୟ ସମ୍ମାନ’ ପାଇଁ ଉପେନ୍ଦ୍ର ବିଶ୍ବାଳ, ‘ଗଳ୍ପ ସାହିତ୍ୟ ସମ୍ମାନ’ ପାଇଁ ଡକ୍ଟର କବିତା ବାରିକ, ‘କବିତା ସମ୍ମାନ’ ପାଇଁ ଗିରିଜା ବଳିଆରସିଂ, ‘ଉପନ୍ୟାସ ସମ୍ମାନ’ ପାଇଁ ନବକିଶୋର ରାଜ, ‘ପ୍ରବନ୍ଧ ସାହିତ୍ୟ ସମ୍ମାନ’ ପାଇଁ ଡକ୍ଟର ବାବାଜୀ ପଟ୍ଟନାୟକ, ‘ଉଦୟପ୍ରତିଭା ସମ୍ମାନ’ ପାଇଁ ଡକ୍ଟର ଶାନ୍ତନୁ କୁମାର ନାୟକ, ‘ହାସ୍ୟ ଓ ବ୍ୟଙ୍ଗ ସାହିତ୍ୟ ସମ୍ମାନ’ ପାଇଁ ରାଧାଶ୍ୟାମ ରାଉଳ, ‘ଶିଶୁ ସାହିତ୍ୟ ସମ୍ମାନ’ ପାଇଁ ପୂର୍ଣ୍ଣଚନ୍ଦ୍ର ସେଠୀ, ‘ପରିଷଦ ଗୌରବ ସମ୍ମାନ’ ପାଇଁ ବଟକୃଷ୍ଣ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି।

ଆସନ୍ତା ଜାନୁଆରି ମାସ ୧୪ ତାରିଖ ଦିନ ଶାନ୍ତିକାନନ ପରିସରରେ ଏହି ବିଜୟୀ ପ୍ରତିଭାମାନଙ୍କୁ ମାନପତ୍ର, ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବ ବୋଲି ବୋଲି ପରିଷଦ ସଭାପତି ଡକ୍ଟର ଶିରୀଷ ଚନ୍ଦ୍ର ଜେନା ଓ ସମ୍ପାଦକ ଡାକ୍ତର କୁମାରଗୋପାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.