ଏଥର ହେବନି କୁର୍ଶୁଲାର ପ୍ରସିଦ୍ଧ ମକରମେଳା : ରଥାରୁଢ ହରଗୌରୀଙ୍କୁ ଦେଖିପାରିବେନି ଭକ୍ତ

କୋଭିଡ ଗାଇଡଲାଇନ ଅନୁଯାଇ ହେବ ନୀତିକାନ୍ତି

କଳାହାଣ୍ଡି: ପଶ୍ଚିମଓଡିଶାର ଅନ୍ୟତମ ପ୍ରସିଦ୍ଧ ମକରମେଳା କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକର କୁର୍ଶୁଲା ସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥାଏ । ଆଜକୁ ୭୦ ବର୍ଷ ତଳୁ ୧୯୫୧ ମସିହାରୁ ନିରବଚ୍ଛିନ୍ନ ଭାବେ ଜାନୁୟାରୀ ୧୨ ତାରିଖରୁ ୧୭ ତାରିଖ ଯାଏ ମହାସମାରୋହରେ ଓ ଲକ୍ଷାଧିକ ଭକ୍ତ ଙ୍କ ସମାଗମରେ ହୋଇ ଆସୁଥିବା ମକରମେଳା କିନ୍ତୁ ଏଥର ହେବ ନାହିଁ ବୋଲି କମିଟି ନିଷ୍ପତି ନେଇଛି । କରୋନା ମହାମାରୀ ଏଥର ଯାତ୍ରାକୁ ରୋକ ଲଗାଇଥିବାରୁ ଅଂଚଳରେ ନିରୁତ୍ସାହ ଦେଖାଦେଇଛି । ତେବେ କୋଭିଡ ଗାଇଡଲାଇଡନ ଅନୁଯାଇ ସ୍ୱଳ୍ପ ସଂଖ୍ୟକ ସେବକଙ୍କ ଉପସ୍ଥିତିରେ ପରମ୍ପରା ଅନୁଯାଇ ସ୍ୱତନ୍ତ୍ର ନୀତିକାନ୍ତ କରାଯିବ ବୋଲି ଜଣାପଡିଛି । ମକରମେଳା ପରିଚାଳନା କମିଟି ସଭାପତି ଜଗତରାମ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମିଟି ବୈଠକରେ ଏଭଳି ନିଷ୍ପତି ନିଆଯାଇଛି । ଏଥିରେ ମକରମେଳା ଆୟୋଜନ ସହ ସଂଶ୍ଳିଷ୍ଟ ଆଖପାଖ ୪୫ ଖଣ୍ଡ ଗ୍ରାମର ପ୍ରତିନିଧି ଉପସ୍ଥିତ ଥିଲେ । କୋଭିଡ କଟକଣା ହେତୁ ମକରମେଳା ଆୟୋଜନ କରାନଯାଇ ନିୟମାନୁଯାୟୀ ପୂଜାର୍ଚ୍ଚନା କରାଯିବାକୁ ସଭାରେ ସହମତି ହୋଇଥିଲା । ସଂପାଦକ କଂସାସୁର ଜାନୀ, ପୂଜକ ନେତ୍ରାନନ୍ଦ ବଡମାଳି ଙ୍କ ସମେତ କମିଟି କର୍ମକର୍ତା ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu


ପ୍ରକାଶଯୋଗ୍ୟଯେ ୧୯୫୧ ମସିହାରେ କୁର୍ଶୁଲା ଅଂଚଳର କେତେଜଣ ବ୍ୟକ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ ତୀର୍ଥଯାତ୍ରାରେ ବାହାରିଥିଲେ । ସେମାନେ ତିର୍ଥ ସାରି ଫେରିବା ବେଳେ ବାଟରେ ନୟାଗଡ ଜିଲ୍ଲାର ଓଡଗାଁ ସ୍ଥିତ ପ୍ରସିଦ୍ଧ ବାବା ଲଡୁକେକଶ୍ୱର ମହାଦେବ ଙ୍କ ପୀଠରେ ମକରମେଳା ପର୍ବ ଚାଲିଥିବା ଦେଖିବାକୁ ପାଇଥିଲେ । ଏହାପରେ ସେମାନେ ଗାଁ କୁ ଫେରି ନିଜ ଗାଁ ରେ ମକରମେଳା କରିବା ପାଇଁ ଇଚ୍ଛା କଲେ ଏବଂ ସେହି ସମୟରେ ଆଖପାଖ ୪୪ ଖଣ୍ଡ ଗ୍ରାମର ଗାଁ ମୁଖିଆ ଲୋକଙ୍କୁ ଡାକି ସଭା କରିଥିଲେ । ସଭାରେ ନିଷ୍ପତି ହେଲା ମକରମେଳା କରିବାକୁ ଏବଂ ସେଇବର୍ଷ ଠାରୁ ଅଦ୍ୟାବଧି ମେଳା ଅନୁଷ୍ଠିତ ହୋଇଆସୁଥିଲା । ସପ୍ତାହଧରି ଏଇ ମହୋତ୍ସବରେ ବିଭିନ୍ନ ମନୋହରୀ ଦୋକାନ ବଜାର, ଅପେରା, ସର୍କସ, ମୀନାବଜାର, ଅଖଣ୍ଡ ପ୍ରହର ନାମଯଜ୍ଞ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଏ । ଏଇ ମେଳା ଦେଖିବାକୁ କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ ସମେତ ବିଭିନ୍ନ ପ୍ରାନ୍ତରୁ ଭକ୍ତ ଓ ବ୍ୟବସାୟୀ ମାନେ ଆସିଥାନ୍ତି । ମକରମେଳାର ପ୍ରଥମ ଦିନ ଦେଉଳ ପ୍ରବେଶ ହୋଇଥାଏ ଓ ସଂକ୍ରାନ୍ତି ଦିନ ବାବା ଶ୍ରୀ ନୀଳକଣ୍ଠଶ୍ୱର (ହରଗୌରୀ) ରଥାରୁଢ ହୋଇ ଗ୍ରାମ ପରିକ୍ରମା କରିଥାନ୍ତି । ଗ୍ରାମର ପ୍ରତ୍ୟେକ ପରିବାର ଘର ସମ୍ମୁଖରେ ଝୋଟି ଦେଇ କଳସୀ ବସାଇ ବାବା ଙ୍କୁ ସ୍ୱାଗତ କରନ୍ତି ଓ ଚାଉଳ, ଆଖୁ, ଗୁଡ, ରାଶି, ଚିନି, କଦଳୀ ଓ ନଡିଆରେ ମିଶ୍ରିତ ଏକ ସ୍ୱତନ୍ତ୍ର ଚାଉଳ ‘ମକର ଚାଉଳ’ ପୂଜକ ଙ୍କ ଠାରୁ ଗ୍ରହଣ କରିଥାନ୍ତି । ଏଇ ମକର ଚାଉଳ ପରସ୍ପର ମଧ୍ୟରେ ଖୁଆଇ ମକର, ସଙ୍ଗାତ, ବଉଳ, ମିତ ବସି ନିବିଡ ସଂପର୍କରେ ବାନ୍ଧି ହୋଇଯାନ୍ତି । ତେବେ ଏଥର ହରଗୌରୀ ଙ୍କୁ ଆଉ ରଥାରୁଢ ଅବସ୍ଥାରେ ତଥା ଗାଁ ପରିକ୍ରମାରେ ଦେଖିପାରିବେନି ଭକ୍ତ । ମନ୍ଦିର ମଧ୍ୟରେ ହିଁ ପରମ୍ପରା ଅନୁଯାଇ ମକର ପ୍ରସାଦ ଲାଗିହେବ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଉଲ୍ଲେଖଥାଉକି ନବମ,ଦଶମ ଶତାବ୍ଦୀରେ ସୋମବଂଶୀ ରାଜାଙ୍କ ରାଜତ୍ୱକାଳରେ କୁର୍ଶୁଲା ଠାରେ ଶିବ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ସମୟକ୍ରମେ ସେଇ ମନ୍ଦିର ମାଟିରେ ବିଲୀନ ହୋଇଯାଇଥିଲା । ମ.ରାମପୁର ଜମିଦାର ସ୍ୱର୍ଗତଃ ଦୁର୍ଗାମାଧବ ସଂହଦେଓ ଭକ୍ତ ପୁରାତନ ପୀଠ କୁ ଖନନ କରାଇ ଶିବଲିଙ୍ଗ ଆବିଷ୍କାର କରିଥିବା କୁହାଯାଏ । ତେବେ ବର୍ତମାନର ମନ୍ଦିର ୧୯୪୮ ମସିହାରେ ନିର୍ମାଣ ହୋଇଥିଲା । ମନ୍ଦିର ପରିସରରେ ଥିବା ଆଦିବାସୀ ଙ୍କ ଧରଣୀ ପୀଠରେ ମକରମେଳା ଅବସରରେ ପଶୁ ବଳି ମଧ୍ୟ ଦିଆ ଯାଇଥାଏ ।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.