ଜାତୀୟ କାର୍ଯ୍ୟକ୍ରମରେ ଶିକ୍ଷକ ସନ୍ତୋଷ କରଙ୍କ ଯୋଗଦାନ


ଭୁବନେଶ୍ୱର: ଗତ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଭାରତ ଅନ୍ତର୍ଜାତୀୟ ବିଜ୍ଞାନ ମହୋତ୍ସବ ଆୟୋଜିତ ହୋଇଯାଇଛି। ଚଳିତ ବର୍ଷର ମହୋତ୍ସବର ବିଷୟବସ୍ତୁ ଥିଲା ‘ଆତ୍ମନିର୍ଭରଶୀଳ ଭାରତ ଏବଂ ବିଶ୍ୱ କଲ୍ୟାଣ ପାଇଁ ବିଜ୍ଞାନର ଭୂମିକା’। ଏହି କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ।

ଏହି ମହୋତ୍ସବର ଜାତୀୟ ବିଜ୍ଞାନ ଶିକ୍ଷକ ସମ୍ମିଳନୀକୁ ପରିଚାଳନା ପାଇଁ ଓଡିଶାରୁ ଏକମାତ୍ର ବ୍ୟକ୍ତି ଭାବେ କଳାହାଣ୍ଡି ଜିଲ୍ଲାର ନର୍ଲାରୋଡ଼ ସ୍ଥିତ ଜୟଦୂର୍ଗା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ଯୋଗଦାନ କରିଥିଲେ। ସେ ଏହି ମହୋତ୍ସବର ତିନିଗୋଟି ଅଧିବେଶନ ସଫଳତାର ସହ ପରିଚାଳନା କରିଥିଲେ। ସେଗୁଡିକ ହେଲା “ବିଜ୍ଞାନ ପ୍ରଦର୍ଶନ”, କନିଷ୍ଠ ଓ ବରିଷ୍ଠ ବିଭାଗ ଶିକ୍ଷଣ ଭିଡିଓ ପ୍ରତିଯୋଗିତା, ଯାହାର ଶୀର୍ଷକ ଥିଲା ଥିଲା “ମହାମାରୀ ସମୟରେ ନୂତନ ଶିକ୍ଷଣ କୌଶଳ”।

ଏହା ପୂର୍ବରୁ ଶ୍ରୀ କର ନୂଆଦିଲ୍ଲୀର ୨୦୦ଟି ବିଜ୍ଞାନ କ୍ଲବକୁ ପ୍ରଶିକ୍ଷଣ ପ୍ରଦାନ, ସର୍ବଭାରତୀୟ ସ୍ତରରେ ସର୍ବଶ୍ରେଷ୍ଠ ବିଜ୍ଞାନ କ୍ଲବ ସଞ୍ଚାଳକ, ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସରେ ମୂଲ୍ୟାୟନକାରୀ, ବିଦ୍ୟାର୍ଥୀ ବିଜ୍ଞାନ ମନ୍ଥନ କାର୍ଯ୍ୟକ୍ରମର ଅକାଡେମିକ ବୋର୍ଡ ସଦସ୍ୟ, ଶିକ୍ଷା ଶିଳ୍ପୀ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଜାତୀୟ କାର୍ଯ୍ୟକର୍ତ୍ତା, ଜାତୀୟ ପର୍ଯ୍ୟାବରଣ ମିତ୍ର ଶିକ୍ଷକ ସମ୍ମାନ ଆଦି ଅନେକ ସଫଳତା ଅର୍ଜନ କରିଛନ୍ତି।

ଶ୍ରୀ କରଙ୍କର ଏହି ସଫଳତା ଯୋଗୁଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।